ଭାସ୍କର ପରିଚ୍ଛା

ଅଜେୟ ରାଉତଙ୍କ ଲିଖିତ ‘ଧାରା ୩୭୦ ଓ କଶ୍ମୀର ପରିପ୍ରେକ୍ଷୀରେ ଭାରତବର୍ଷର ଗଣତନ୍ତ୍ର ଓ ସଂଘୀୟ ବ୍ୟବସ୍ଥା’ ଏକ ଉପାଦେୟ ପୁସ୍ତକ କେବଳ ନୁହେଁ ଏହାର ରଚନା ସମୟ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଗଷ୍ଟ ୫ରେ ସମ୍ବିଧାନର ଧାରା ୩୭୦ ଲାଗୁ ହେବା ସହ କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିବା ଓ ସେଠାରେ ସାଧାରଣ ଜୀବନ ଧାରଣ କିଭଳି ଦୁର୍ବିସହ ହୋଇଛି ତାହାରି ମୋଟାମୋଟି ପରିପ୍ରେକ୍ଷୀରେ ଏହି ପୁସ୍ତକର ରଚନା।

ଅଜେୟ ରାଉତଙ୍କ ଏହି ପୁସ୍ତକଟି ଅନେକ ଦୃଷ୍ଟିରୁ ଏକ ମହତ ପ୍ରଚେଷ୍ଟା। ଏଗାରଟି ଅଧ୍ୟାୟରେ ବିଭାଜିତ  ପୁସ୍ତକରେ ସମଗ୍ର କଶ୍ମୀର କଥା ଆଲୋଚନା ହୋଇଛି। ଲେଖକୀୟରେ ଅଜେୟ ରାଉତ ଲେଖିଛନ୍ତି, ‘‘ଜଣେ ସତ୍ୟନିଷ୍ଠ ଇତିହାସର ଛାତ୍ର ରୂପେ, କୌଣସି ପକ୍ଷ ନ ନେଇ, କୌଣସି ବିଚାର, ଭାବଧାରା, ରାଜନୈତିକ ଆଦର୍ଶ ପ୍ରତି ସ୍ୱର୍ଥୀ ଆନୁଗତ୍ୟ କିମ୍ବା ଅସୂୟାର ବଶବର୍ତ୍ତୀ ନ ହୋଇ, କୌଣସି ଧର୍ମର ପ୍ରହେଳିକାରେ ଆଦୌ ପ୍ରଭାବିତ ନ ହୋଇ, କୌଣସି ଅଞ୍ଚଳ କିମ୍ବା ଦେଶର ଅନ୍ଧ ସମର୍ଥକ ବା ଅନ୍ଧ ବିରୋଧୀ ନ ହୋଇ କେବଳ ମାତ୍ର ଅତୀତର ଘଟଣାବଳୀକୁ ଯେତେ ସମ୍ଭବ ସଠିକ ଭାବେ ଉପସ୍ଥାପନ କରିବାକୁ ଉଦ୍ୟମ କରିଛି।’’

କଶ୍ମୀରର ଆଦ୍ୟ ଇତିହାସରୁ ପୁସ୍ତକର ଆରମ୍ଭ। ଏଥିରେ କାଶ୍ମୀରର ପୌରାଣିକ, ଐତିହାସିକ ଓ ସାମ୍ପ୍ରତିକ ସମୟର ଇତିହାସକୁ ଧାରାବାହିକ ଭାବରେ ଅଣାଯାଇଛି। ବ୍ରିଟିଶ ସାମ୍ରାଜ୍ୟବାଦୀ ଶାସନରୁ ମୁକ୍ତ ବିଭାଜିତ ଭାରତ, ହିନ୍ଦୁ ମୁସଲମାନ ସମ୍ପ୍ରଦାୟ, ଭାରତରେ ଦେଶୀୟ ରାଜ୍ୟ ମିଶ୍ରଣର ପ୍ରକ୍ରିୟା, ସଂଘୀୟ ବ୍ୟବସ୍ଥାର ନିରୀହ ମେଣ୍ଢାଛାଲ ଭିତରେ ଏକକ ବ୍ୟବସ୍ଥାଟି କିଭଳି ହିଂସ୍ର ଗଧିଆ ପାଲଟିଛି। ଅହିଂସା ବୀରମାନଙ୍କ ରକ୍ତର ହୋରୀ ଖେଳରେ ଭାରତ, ଭାରତ ସହ କାଶ୍ମୀର ମିଶ୍ରଣ ଚୁକ୍ତିର ପରିଭାଷା, ସମ୍ବିଧାନର ଧାରା ୩୭୦ ଓ ତାହାର ଅବକ୍ଷୟ, ସଂଘୀୟ ବିଚାରର ଅପମୃତ୍ୟୁ ଏହିଭଳି ଏକ ପୂର୍ଣ୍ଣାଙ୍ଗ ଓ ନିରପେକ୍ଷ ବିଶ୍ଳେଷଣ ଏହି ପୁସ୍ତକ। ଶେଷରେ ଲେଖକ ଭାରତ ଓ ପାକିସ୍ତାନ ଭିତରେ ୭୨ ବର୍ଷ ଧରି କେବଳ ଶତ୍ରୁତା ହିଁ କିଭଳି ଲାଗି ରହିଛି ତାର ତର୍ଜମା କରିଛନ୍ତି।

ପୁସ୍ତକଟିର ମହତ୍ତ୍ୱ ଏଥିରୁ ସ୍ପଷ୍ଟ ପ୍ରମାଣିତ ହେବ ଯେ ଶ୍ରୀ ରାଉତ ବିଭିନ୍ନ ଦଲିଲ ଓ ବିବରଣୀକୁ ଉଦ୍ଧୃତି କରିବା ସହ ତାହାକୁ ଏକ ଦୃଷ୍ଟିକୋଣ ଭିତରକୁ ଆଣିବା ପାଇଁ ଉଦ୍ୟମ କରିଛନ୍ତି। ଗୋଟିଏ ସମୟରେ ଭାରତର ସଂଘୀୟ ବ୍ୟବସ୍ଥା  ଓ ବିଚାର ଯେଉଁଭଳି ସମୃଦ୍ଧ ଥିଲା, ବିଭିନ୍ନ ସଂସ୍କୃତି ଓ ପରମ୍ପରାର ଯେଉଁ ବୃହତ୍ତର ତଥା ବ୍ୟାପକ ଅର୍ଥ ଥିଲା ତାହା କ୍ରମଶଃ କ୍ଷୁର୍ଣ୍ଣ ହେଉଥିବା ବେଳେ ଧର୍ମୀୟ ଓ ଆଞ୍ଚଳିକତାବାଦ କିଭଳି ଅନୁପ୍ରବେଶ କରୁଛି ତାହା ପୁସ୍ତକରେ କୁହାଯାଇଛି।

ଧାରା ୩୭୦ ଲାଗୁ ହେବା ପରେ ତାହାର ପୃଷ୍ଠଭୂମି ସମ୍ପର୍କରେ ଏ ଯାବତ କୌଣସି ପୁସ୍ତକ ଓଡ଼ିଆରେ ରଚିତ ହୋଇନଥିଲା। ସେହି ଦୃଷ୍ଟିରୁ ଏହା ଏକ ଜରୁରୀ ସଂଯୋଜନା ବୋଲି କୁହାଯାଇପାରେ। ଯେଉଁମାନେ କାଶ୍ମୀର, ଦେଶର ସମ୍ବିଧାନ, ସଂଘୀୟ ବ୍ୟବସ୍ଥା ଓ ଅବକ୍ଷୟୀ ଗଣତନ୍ତ୍ର ସମ୍ପର୍କରେ ଅବଗତ ହେବା ପାଇଁ ଚାହୁଁଛନ୍ତି, ନିଶ୍ଚିତ ଭାବରେ ଏଇଟି ଏକ  ସହାୟକ ଗ୍ରନ୍ଥ। ଦେଢ଼ ଶହ ପୃଷ୍ଠା ଭିତରେ ଏକ ଗମ୍ଭୀର ବିଷୟକୁ ଶ୍ରୀ ରାଉତ ବ୍ୟବଚ୍ଛେଦ କରିପାରିଛନ୍ତି ତାହା ପ୍ରଶଂସନୀୟ।

ଆଗାମୀ ଦିନରେ ଧାରା ୩୭୦କୁ ନେଇ ଦେଶରେ  ଅଧିକ ଅଧିକ ଆଲୋଚନା ଯେତେବେଳେ ହେବ ଓ ଏକ ନିଚ୍ଛକ ବାସ୍ତବତା ଯେତେବେଳେ ସାମ୍ନାକୁ ଆସିବ ସେହି ସମୟରେ ଏହିପରି ପୁସ୍ତକର ଆବଶ୍ୟକତାକୁ ଅନୁଭବ କରିହେବ।

ଭାରତବର୍ଷର ଗଣତନ୍ତ୍ର ଓ ସଂଘୀୟ ବ୍ୟବସ୍ଥା
ଅଜେୟ ରାଉତ

ଜନମତ ପ୍ରକାଶନ
ଭିଆଇବି- ୫/୧, ମାଷ୍ଟର କ୍ୟାଣ୍ଟିନ୍ ଛକ, ୟୁନିଟ ୩
ଭୁବନେଶ୍ୱର ୭୫୩୦୦୧

Comment