ଅନୁଜ ଦାସ

ଭିନ୍ନକ୍ଷମ ଓ ଅସହାୟଙ୍କ ପାଇଁ ସନ୍ନ୍ୟାସ ବେହେରା ମାତ୍ର ୧୧ ବର୍ଷ ବୟସରୁ ଆରମ୍ଭ କରିଥିବା ଲଢ଼େଇ ଶେଷ ହୋଇନି। ନ୍ୟାୟ ପାଇଁ ଏବେ ବି ସନ୍ନ୍ୟାସଙ୍କ ଘର ଆଗରେ ଭିଡ଼ ଲାଗୁଛି।

ଭାଇ ଭୋକ ଲାଗିଲାଣି। କ’ଣ ଖାଇବି?
ଆରେ ଟିକେ ରହିଯା’। ୮ଟା ବେଳେ ତ ସମସ୍ତେ ଖାଇବା।
ପ୍ରବଳ ଭୋକ ଲାଗିଲାଣି ଆଉ ରହିହେବନି।
ପାଣି ପିଇବେ, ସବୁ ଠିକ୍ ହୋଇଯିବ।

ଭୁବନେଶ୍ୱର ଭୀମଭୋଇ ଦୃଷ୍ଟିହୀନ ଛାତ୍ରାବାସରେ ଦୁଇ ଅନ୍ତେବାସୀଙ୍କ ଭିତରେ ଏମିତି କଥାବାର୍ତ୍ତା ଚାଲୁଥାଏ। ଏହି ଘଟଣା କେବଳ ଗୋଟିଏ ଦିନ ନୁହଁ ସବୁ ଦିନ ଭୋକ ବିକଳରେ ଅଣାୟତ୍ତ ହୋଇପଡ଼ନ୍ତି ଛାତ୍ରାବାସର ଅନ୍ତେବାସୀ।

ଭିନ୍ନକ୍ଷମଙ୍କ ଖାଇବା ବାବଦକୁ ସରକାର ସେତେବେଳେ ଜଣ ପିଛା ମାତ୍ର ୭୫ ଟଙ୍କା ଦେଇଥିଲେ। ସେଥିପାଇଁ ସକାଳ ୯ଟା ଓ ରାତି ୮ଟାରେ ମିଳୁଥିଲା ଖାଦ୍ୟ। ଅବଶିଷ୍ଟ ସମୟରେ ପାଣି ପିଇ ଭୋକକୁ ମେଣ୍ଟାଉଥିଲେ ଅନ୍ତେବାସୀ। କିନ୍ତୁ ଦିନେ ନିଜ ହକ ପାଇଁ ଅନ୍ତେବାସୀଙ୍କୁ ଏକାଠି କଲେ ସନ୍ନ୍ୟାସ। ମାତ୍ର ୧୧ ବର୍ଷ ବୟସରେ ସମସ୍ୟାର ସମାଧାନ ପାଇଁ  ଅଣ୍ଟା ଭିଡିଲେ।

ଶିକ୍ଷା ବିଭାଗର ଉପ-ନିର୍ଦ୍ଦେଶକଙ୍କୁ ଭେଟି ଅନ୍ତେବାସୀଙ୍କ ସମସ୍ୟା କଥା କହିଲେ। ସରକାରୀ ବାବୁ ସବୁ ଶୁଣିଲେ, ହେଲେ ଯେଉଁ ଉତ୍ତର ଦେଲେ ତାହା ଶୁଣି ସବୁ ଆଶ୍ଚର୍ଯ୍ୟ ହେଲେ। “ମଣିଷମାନଙ୍କୁ ଛାଡ଼ି ମାଙ୍କଡ଼ମାନଙ୍କ ପାଇଁ ଖର୍ଚ୍ଚ କଲେ କି ଲାଭ’’। ଏଭଳି କହି ସମସ୍ତଙ୍କୁ ଫେରାଇଦେଲେ ସରକାରୀ ବାବୁ।

ସରକାରୀ ବାବୁଙ୍କ ବ୍ୟବହାର ସନ୍ନ୍ୟାସଙ୍କୁ କଷ୍ଟ ଦେଲା, ହେଲେ ଆଗକୁ ବଢ଼ିବା ପାଇଁ ଖୋରାକ ପାଇଲେ ସନ୍ନ୍ୟାସ। ଦିନେ ହୋଲି ଖେଳିବା ବାହାନାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ଭେଟି ନିଜ ସମସ୍ୟା କଥା କହିଲେ। କିଛି ଦିନ ଭିତରେ ଅନ୍ତେବାସୀଙ୍କ ମାସିକିଆ ଖାଇବା ଖର୍ଚ୍ଚ ୭୫ ଟଙ୍କାରୁ ୨୧୦ ଟଙ୍କା ହୋଇଗଲା। ଏହାପରେ ସକାଳର ଜଳଖିଆ ଖାଇବାକୁ ମିଳିଲା। ଜୀବନର ପ୍ରଥମ ଲଢ଼େଇରେ ସଫଳ ହେଲେ ସନ୍ନ୍ୟାସ।

ସନ୍ନ୍ୟାସଙ୍କ ବଡ଼ ଭାଇ ବି ଦୃଷ୍ଟିହୀନ ଥିଲେ। ଉଭୟ ଗୋଟିଏ ଛାତ୍ରବାସରେ ହିଁ ରହୁଥିଲେ। ହଠାତ୍ ଦିନେ ତାଙ୍କ ବଡ଼ ଭାଇଙ୍କର ସ୍ୱାସ୍ଥ୍ୟ ବିଗିଡ଼ି ଗଲା। ଛାତ୍ରାବାସରେ ଚିକିତ୍ସା ପାଇଁ କିଛି ବ୍ୟବସ୍ଥା ନଥିଲା। କିଛି ଦିନ ସ୍ୱାସ୍ଥ୍ୟ ଖରାପ ହେବା ପରେ  କୌଣସି ଚିକିତ୍ସା ନ କରାଇ ତାଙ୍କୁ ଘରକୁ ପଠାଇଦେଲେ। ହେଲେ ମାତ୍ର କେଇ ଦିନ ଭିତରେ ସେ ଆଖି ବୁଜିଦେଲେ। ଘରକୁ ପଠାଇବା ପରିବର୍ତ୍ତେ ଚିକିତ୍ସା କରାଯାଇଥିଲେ ହୁଏତ ତାଙ୍କ ବଡ଼ ଭାଇଙ୍କର ଜୀବନ ଯାଇନଥାନ୍ତା। ଏହି ଘଟଣା ସନ୍ନ୍ୟାସଙ୍କୁ ବ୍ୟଥିତ କରିଥିଲା।

ପିଲାବେଳୁ ହିଁ ସାହିତ୍ୟ ପ୍ରତି ବେଶ ରୁଚି ଥିଲା ସନ୍ନ୍ୟାସଙ୍କର। ଭଲ କବି କିମ୍ବା ଲେଖକ ହେବେ ବୋଲି ସ୍ୱପ୍ନ ଦେଖୁଥିଲେ। ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ରଙ୍କ ଜାତୀୟତାବାଦି ସାହିତ୍ୟରେ ପ୍ରଭାବିତ ହୋଇଥିଲେ।

ଶିଶୁ ପତ୍ରିକା “ଶିଶୁ ଲେଖା’ରେ ନିୟମିତ ଲେଖୁଥିଲେ। କୁରୁକ୍ଷେତ୍ର ପତ୍ରିକା ପକ୍ଷରୁ ଆୟୋଜିତ ଏକ କବିତା ପାଠୋତ୍ସବରେ ସାମିଲ ହୋଇ ଭିନ୍ନକ୍ଷମଙ୍କ ଜୀବନ କାହାଣୀକୁ ନେଇ କବିତା ପାଠ କରିଥିଲେ। ସଭିଙ୍କ ମନକୁ ଛୁଇଁଥିଲା କବିତା। ଅନେକଙ୍କ  ଆଖିରୁ ଝରିପଡ଼ିଥିଲା ଲୁହ। ପତ୍ରିକାର ସଂପାଦକ ଲୋକନାଥ ଦାଶ ସନ୍ନ୍ୟାସର କବିତାରେ ବିଭୋର ହୋଇପଡ଼ିଥିଲେ। ହେଲେ ପ୍ରତିକ୍ରିୟାରେ ଯେଉଁ ଦି ପଦ କଥା କହିଲେ ତାହା ସନ୍ନ୍ୟାସଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିଦେଇଥିଲା।

“କେବଳ କବିତା ଲେଖିପଢ଼ି ଦେଲେ କ’ଣ ହେବ? ଏଥିପାଇଁ ବାସ୍ତବରେ କିଛି କରିବାକୁ ପଡିବ। ଯାହା ଲେଖିବ ତାହା ଦୃଷ୍ଟିହୀନ ବ୍ୟକ୍ତି ପଢ଼ିପାରିବେନି”। ଏହି ଦୁଇପଦ କଥା ସନ୍ନ୍ୟାସଙ୍କୁ ଆନ୍ଦୋଳିତ କରିଥିଲା।

କିଛିଦିନ ପରେ ଅଡସି ବସୁଙ୍କ ସହ ତାଙ୍କର ସାକ୍ଷାତ ହେଲା। ବ୍ରେଲ୍‌ରେ ପଢ଼ିବା ପାଇଁ ପ୍ରସ୍ତାବ ଦେଲେ। ଅଳ୍ପ ଦିନ ପରେ ‘ଅନୁଭବ’ ନାମକ ବ୍ରେଲ୍‌ ପତ୍ରିକା ପଢ଼ିବାର ସୁଯୋଗ ପାଇଲେ ଦୃଷ୍ଟିହୀନ ବ୍ୟକ୍ତି। ମାତ୍ର କେଇ ଦିନ ପରେ ବ୍ରହ୍ମପୁର ବ୍ରେଲ ପ୍ରେସ ଏହି ପତ୍ରିକା ଛପାଇବା ବନ୍ଦ କରିଦେଲା।

ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ପାଠ ପଢ଼ିଲା ବେଳେ ପାଖରେ ଥିବା ଆଉ ଏକ ବିଦ୍ୟାଳୟର ଏଲୋରା ବୋଲି ଝିଅଙ୍କ ସହ ସନ୍ନ୍ୟାସଙ୍କର ବନ୍ଧୁତା ହୋଇଗଲା। ଏଲୋରା ଗୋପବନ୍ଧୁଙ୍କ ଜୀବନୀ ପଢ଼ିଲେ। ଗୋପବନ୍ଧୁଙ୍କ ତ୍ୟାଗ, ସମାଜସେବା ତଥା ସମାଜ ପାଇଁ ନିଜ ପୁଅକୁ ହରାଇବା ଘଟଣା ଉଭୟଙ୍କ ମନରେ ସମାଜସେବାରେ ମଞ୍ଜି ପୋତିଦେଲା। ଏହି ଘଟଣାକୁ ନେଇ ଉଭୟ କାନ୍ଦିଲେ ଏବଂ ଭଗବାନଙ୍କ ପାଖରେ ଶପଥ କଲେ କି ଯେଉଁଠି ବି ରହିବେ ସମାଜ ସେବା କରିବେ। ଅଳ୍ପ ବୟସରେ ସମାଜ ସେବା କରିବା ପାଇଁ ଚିନ୍ତା କଲେ ଦୁଇ ବନ୍ଧୁ। ଘଟଣାଚକ୍ରରେ ଉଭୟ ଉଚ୍ଚଶିକ୍ଷା ଜାରି ରଖିଲେ। ଏବେ ପ୍ରଶାସନିକ ଅଧିକାରୀ ହୋଇ ସମାଜ ପାଇଁ କାମ କରୁଛନ୍ତି ଏଲୋରା।

ଧୀରେ ଧୀରେ ସମୟ ଗଡିଚାଲିଲା। ସମାଜସେବାରେ ସମ୍ପୂର୍ଣ୍ଣ ଭାବେ ନିଜକୁ ନିୟୋଜିତ କଲେ ସନ୍ନ୍ୟାସ। ଭଦ୍ରକରୁ ଆରମ୍ଭ ହେଲା ସମାଜସେବାର ଅଧ୍ୟାୟ। ଅନାଦି ଚରଣ ଦାସ ଓ ସଲାମ ଭାଇଙ୍କ ସଂସ୍ପର୍ଶରେ ଆସିବା ପରେ ସମାଜିକ କର୍ମୀହୋଇ କାମ କଲେ ସନ୍ନ୍ୟାସ। ହେଲେ ଏହି ଆରମ୍ଭ ସହଜ ନଥିଲା।

ଘାତ-ପ୍ରତିଘାତର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେମାନଙ୍କୁ ବଦ୍‌ନାମ କରିବାକୁ ବି ଅନେକ ଚାହିଁଲେ। ଏପରିକି ମୃତ୍ୟୁ ମୁଖରୁ ବି ଅନେକବାର ଜୀବନଦାନ ପାଇଛନ୍ତି। ହେଲେ ଅଟକିନଥିଲା ସଂଗ୍ରାମ। ଏବେବି ଜାରି ରହିଛି ସଂଗ୍ରାମ। ରାତି ପାହିଲେ ସନ୍ନ୍ୟାସଙ୍କ ଦ୍ୱାରରେ ଅନେକଙ୍କ ଭିଡ଼। ନ୍ୟାୟ ଆଶାରେ ସନ୍ନ୍ୟାସଙ୍କ ପାଖକୁ ଅନେକ ଲୋକ ଛୁଟି ଆସୁଛନ୍ତି। ସନ୍ନ୍ୟାସ ବେହେରା ହିଁ ସମାଧାନର ବାଟ ଦେଖାଇବେ ବୋଲି ଅନେକଙ୍କ ଆଶା ଓ ବିଶ୍ୱାସ।

ଅନେକଙ୍କୁ ନ୍ୟାୟ ଦେବା ପାଇଁ ବିନା ମୂଲ୍ୟରେ ସେ ଲଢ଼ିଛନ୍ତି। ପରିସ୍ଥିତି ଏମିତି ହୋଇଛି ଘରେ ରୋଷେଇ ହୋଇଥିବା ଖାଦ୍ୟକୁ ନିଜେ ନଖାଇ ଘରକୁ ଆସୁଥିବା ଲୋକଙ୍କୁ ଦେବାକୁ ପଡ଼ିଛି। ଏଥିପାଇଁ ପରିବାର ସଦସ୍ୟଙ୍କୁ ମଧ୍ୟ ଭୋକିଲା ରହିବାକୁ ପଡ଼ିଛି। କେତେବେଳେ ଭିନ୍ନକ୍ଷମଙ୍କ ପାଇଁ ତ କେତେବେଳେ ଦୁର୍ନୀତି ବିରୋଧରେ ଲଢ଼େଇ ଜାରି ରଖିଛନ୍ତି ସନ୍ନ୍ୟାସ। ସମାଜସେବୀ ସନ୍ନ୍ୟାସ ବେହେରା ଏବେ ପାଇଛନ୍ତି ନୂଆ ପରିଚୟ। ସିଭିଲ ସର୍ଭିସରେ ଉତ୍ତୀର୍ଣ୍ଣ ହୋଇ ଏବେ ପ୍ରଶାସନିକ ଅଧିକାରୀର ପରିଚୟ ପାଇଛନ୍ତି।

ଭୁବନେଶ୍ୱରର ରାଜକୁମାର ବସ୍ତିରେ ତାଙ୍କର ଘର। ଘର କହିଲେ ଗୋଟିଏ ଶୋଇବା ଘର ଓ ଅନ୍ୟଟି ରୋଷେଇ ଘର। ବସ୍ତିରେ ବିତୁଛି ସନ୍ନ୍ୟାସଙ୍କ ଜୀବନ। ଚାକିରି ଚାଲିଯାଇପାରେ, ହେଲେ ଦୁର୍ନୀତି ବିରୋଧରେ ଲାଢ଼େଇ ଜାରି ରଖିବାକୁ ସଂକଳ୍ପବଦ୍ଧ ସନ୍ନ୍ୟାସ ବେହେରା। ସତରେ ଏବେବି ସରିନି ଲଢ଼େଇ!

1 COMMENT

LEAVE A REPLY

Please enter your comment!
Please enter your name here