(ଓଡ଼ିଶାଲାଇଭ୍ ବ୍ୟୁରୋ)

- ବର୍ଷେ ହେଲା ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ
- ବାହା ହେବାକୁ ମନା କରି ଦେଇଥିଲା ପ୍ରେମିକା
- ସୋସିଆଲ ମିଡିଆରେ ପ୍ରେମିକ କରିଥିଲା ଫଟୋ ଭାଇରାଲ
- ଗାଁ ଦାଣ୍ଡରେ ପଡ଼ିଥିଲା ଆପତ୍ତିଜନକ ଲିପ୍ଲେଟ୍
କେନ୍ଦ୍ରାପଡ଼ା: ରଙ୍ଗ୍ ନମ୍ବରରୁ ହୋଇଥିଲା ପରିଚୟ। ଧୀରେ ଧୀରେ ସମ୍ପର୍କ ହୋଇଥିଲା ନିବିଡ଼। ଆଉ ଏହି ସମ୍ପର୍କ ପ୍ରେମରେ ରୂପାନ୍ତରିତ ହୋଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ପ୍ରେମିକା ବାହା ହେବାକୁ ମନା କରିଦେବାରୁ ବିଫଳ ପ୍ରେମିକ ସୋସିଆଲ୍ ମିଡିଆରେ ଫେକ୍ ଆକାଉଣ୍ଟ ଖୋଲି ପ୍ରେମିକାର ଆପତ୍ତିଜନକ ଫଟୋ ଭାଇରାଲ୍ କରିବାକୁ ପଛାଇ ନାହିଁ।। ଫଳରେ ପ୍ରେମିକା ଲୋକ ଲଜ୍ଜାକୁ ଭୟକରି ଆଜି ଜୀବନ ହାରିଛି।
ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ। ବିଫଳ ପ୍ରେମିକ ଫଟୋ ଭାଇରାଲ କରିବା ପରେ ଏବେ ଫେରାର ହୋଇଯାଇଛି। ପୋଲିସ ମାମଲା ରୁଜୁ କରି ତନଘନା ଆରମ୍ଭ କରିଛି।
ମହାକାଳପଡ଼ା ଅଞ୍ଚଳର ଯୁବତୀଙ୍କ ସହ ପଟ୍ଟାମୁଣ୍ଡାଇ ଅଞ୍ଚଳର ଯୁବକ ତାପସର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ଏହାକୁ ଯୁବତୀଙ୍କ ପରିବାର ଲୋକ ବିରୋଧ କରିଥିଲେ। ବାହାଘର ହୋଇପାରିବ ନାହିଁ ବୋଲି ରୋକ୍ଠୋକ୍ କହିବା ପରେ ଯୁବତୀ ମଧ୍ୟ ସଂପୃକ୍ତ ଯୁବକକୁ ମନା କରିଦେଇଥିଲା। ହେଲେ ଏଥିରେ ଉତ୍ତ୍ୟକ୍ତ ହୋଇଯାଇଥିଲା ସଂପୃକ୍ତ ଯୁବକ। ଯୁବତୀକୁ ବଦନାମ କରିବା ପାଇଁ ଆରମ୍ଭ କରିଥିଲା ଚକ୍ରାନ୍ତ। ସୋସିଆଲ ମିଡିଆରେ ‘ଇନ୍ଦିରା ଦାସ ଇନ୍ଦିରା’ ନାମରେ ଫେକ୍ ଆକାଉଣ୍ଟ ଖୋଲି ପ୍ରେମିକାର କିଛି ଆପତ୍ତିଜନକ ଫଟୋ ଅପ୍ଲୋଡ କରିଥିଲା। ଏହାସହ କିଛି ଲିପଲେଟ୍ ମଧ୍ୟ ଗାଁ ଦାଣ୍ଡରେ ଯୁବକ ଜଣକ ଉଡାଇଥିଲା।
ଏହି ଖବର ପ୍ରଚାରିତ ହେବା ପରେ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଶବ ଜବତ କରି ତଦନ୍ତ ଚଳାଇଛି।














