(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ଫସଲ ପୋଡ଼ା ସହାୟତାକୁ ନେଇ ଦୁଇ ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଏବଂ ମହେଶ୍ୱର ମହାନ୍ତି ହୋଇଛନ୍ତି ଟଣାଟଣି। ଯିଏ ସହାୟତା ଦେବାକୁ କହିଛି ସେ ଦେଉ ବୋଲି କହି ଦାମ ଆଉ ଏକ ବିବାଦ ସୃଷ୍ଟି କରିଛନ୍ତି।

“ଫସଲ ପୋଡ଼ୁଥିବା ଚାଷୀଙ୍କୁ ମିଳିବନି ସରକାରୀ ସହାୟତା। କାରଣ ଫସଲ ପୋଡ଼ୁଥିବା ଚାଷୀଙ୍କ ପାଇଁ ସରକାରୀ ଖାତାରେ ସେମିତି କିଛି ସୁବିଧା ନାହିଁ। କେବଳ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାର ସହାୟତା ଦେବେ”,- ଏହା କହିଥିଲେ କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ।

ଏହି ମନ୍ତବ୍ୟକୁ ନେଇ ସାରା ରାଜ୍ୟରେ ଦେଖାଦେଇଥିଲା ତୁମ୍ବିତୋଫାନ। ମନ୍ତ୍ର ରାଉତଙ୍କ ମନ୍ତବ୍ୟକୁ ବିଜେପି ମାନବିକତା ବିହୀନ କହି ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବି କରିଥିଲା। ଏହାର ଗୋଟି ଦିନ ପରେ ସଚିବାଳୟରେ ଆୟୋଜିତ କୃଷି କ୍ୟାବିନେଟରେ ମହେଶ୍ବର ମହାନ୍ତି ଦାମଙ୍କ ମନ୍ତବ୍ୟରେ ମଲମ ମାରିଥିଲେ। କହିଥିଲେ ସମସ୍ତଙ୍କୁ ମିଳିବ ସହାୟତା। ଫସଲ ପୋଡ଼ୁଥିବା ଚାଷୀଙ୍କୁ ସରକାର ସହାୟତା ଯୋଗାଇ ଦେବେ। ଆଜି ମହେଶ୍ୱରଙ୍କ ଏହି ମନ୍ତବ୍ୟକୁ ନେଇ ଦାମ ପୁଣି କମ୍ପିଛନ୍ତି। କହିଛନ୍ତି, ଯିଏ ସହାୟତା ଦେବା ପାଇଁ କହିଛନ୍ତି ସେ ଦିଅନ୍ତୁ। ଏଥିରେ ମୋର କିଛି କହିବାର ନାହିଁ

ଡାକ୍ତର ଦାମୋଦର ରାଉତ କହିଛନ୍ତି, “ଚାଷ ପୋଡ଼ିଲେ କ୍ଷୟକ୍ଷତି ଆକଳନ କରିବା ସମ୍ଭବ ନୁହେଁ। ଏଣୁ ମୁଁ କହିଥିଲି ଫସଲ ପୋଡ଼ିଲେ କ୍ଷତିପୂରଣ ଦେଇ ହେବ ନାହିଁ। ଏଥିପାଇଁ ମୋ କୁଶପୁତ୍ତଳିକା ଦାହ କରାଗଲା। ଏବେ ଯିଏ କହିଛନ୍ତି ସହାୟତା ଦେବା ପାଇଁ ସେ କେମିତି ଦେଉଛନ୍ତି ଦିଅନ୍ତୁ।”

ଏପଟେ ଦାମଙ୍କ ମନ୍ତବ୍ୟର ସିଧାସଳଖ ମହେଶ୍ୱର ମହାନ୍ତି ଜବାବ ଦେଇ ନଥିଲେ ମଧ୍ୟ କହିଛନ୍ତି କ୍ଷୟକ୍ଷତି ଆକଳନ କରିବା ସମ୍ଭବ। ଅଫିସରମାନଙ୍କୁ କୁହାଯାଇଛି କ୍ଷୟକ୍ଷତି ଆକଳନ କରିବା ପାଇଁ। ସେମାନେ ରିପୋର୍ଟ ଦେବା ପରେ ଆକଳନ କରି ସହାୟତା ଦିଆଯିବ।

ଏହା ପୂର୍ବରୁ ଡାକ୍ତର ରାଉତ ଫସଲନ ନପୋଡ଼ିବା ଲାଗି ଚାଷୀମାନଙ୍କୁ ହାତ ଯୋଡ଼ି ନିବେଦନ କରିଥିଲେ। ଧାନ ହେଉଛନ୍ତି ଲକ୍ଷ୍ମୀ ଠାକୁରାଣୀ। ଏଣୁ ଧାନ ପୋଡ଼ିଲେ ଲକ୍ଷ୍ମୀ ଛଡ଼ା ହୋଇଯିବ ବୋଲି ସେ କହିଥିଲେ।

LEAVE A REPLY

Please enter your comment!
Please enter your name here