ଓଡ଼ିଶାଲାଇଭ୍‍ ବ୍ୟୁରୋ


କିଟ୍‍ ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋ‍ଇଯାଇଛି। ଏଥିରେ ୩ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଡକ୍ଟରେଟ୍‍ ଅଫ୍‍ ଲିଟରେଚର (ଡି ଲିଟ୍‍) ସମ୍ମାନ ପ୍ରଦାନ କରାଯାଇଛି। ସେହିପରି ଏହି ଉତ୍ସବରେ ୮୩୭ ଜଣ ଛାତ୍ରଛାତ୍ରୀଙ୍କୁ ସ୍ନାତକୋତ୍ତର ଡିଗ୍ରୀ, ୩୬୭୮ଙ୍କୁ ସ୍ନାତକ ଡିଗ୍ରୀ, ୨୪୦ଙ୍କୁ ଡୁଆଲ ଡିଗ୍ରୀ ଏବଂ ୬୨ ଜଣଙ୍କୁ ପିଏଚ୍‌ଡି ଡିଗ୍ରୀ ପ୍ରଦାନ କରାଯାଇଛି।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଥିଲେ ଯେ, ଭାରତ ଏବେ ଆଗକୁ ବଢ଼ୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍କିଲ୍‌ ଇଣ୍ଡିଆ ଯୋଜନାରେ ଯୁବକମାନେ ଆକର୍ଷିତ ହେଉଛନ୍ତି। ବର୍ତ୍ତମାନ ହେଉଛି ଲିବରାଲାଇଜେସନ୍‌, ପ୍ରାଇଭେଟାଇଜେସନ୍‌ ଏବଂ ଗ୍ଲୋବାଲାଇଜେସନ୍‌ (ଏଲ୍‌ପିଜି)ର ଯୁଗ। ବିଶ୍ୱ ଅର୍ଥନୀତିରେ ସୁଧାର ଆସି ନଥିବା ବେଳେ ଆଜି ଭାରତର ଅର୍ଥନୀତିରେ ଅଭିବୃଦ୍ଧି ଘଟୁଛି। ବିଶ୍ୱବ୍ୟାଙ୍କ ଭାରତକୁ ପ୍ରଶଂସା କରିଛନ୍ତି। ଏହା ଆମ ଦେଶ ପାଇଁ ଶୁଭ ସୂଚନା ବୋଲି ସେ କହିଛନ୍ତି। ଶିକ୍ଷା ମାଧ୍ୟମରେ ଦେଶର ବିକାଶ ସମ୍ଭବ। ଉଚ୍ଚଶିକ୍ଷା ହିଁ ରୋଜଗାରର ବାଟ ଦେଖାଏ ବୋଲି ଉପରାଷ୍ଟ୍ରପତି ଉଦ୍‌ବୋଧନ ଦେବା ଅବସରରେ କହିଛନ୍ତି।

ଉପ-ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଆହୁରି କହିଥିଲେ ଯେ, ଭାରତର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟ ସମଗ୍ର ବିଶ୍ୱବାସୀଙ୍କ ପାଇଁ ପ୍ରେରଣା ପାଲଟିଛି। ମହାନ୍ ଇତିହାସକୁ ନେଇ ଆଜି ଭାରତ ବିକାଶ ପଥରେ ଆଗେଇ ଚାଲିଛି। ସେହିପରି ସଂସ୍କୃତିସମ୍ପନ୍ନ ରାଜ୍ୟ ଉତ୍କଳରେ କିଟ୍‌ ଭଳି ଅନୁଷ୍ଠାନ ପ୍ରତିଷ୍ଠା ହେବା ଦ୍ୱାରା ରାଜ୍ୟର ଗୌରବ ଓ ଗରିମା ଆହୁରି ସମୃଦ୍ଧଶାଳି ହୋଇପାରିଛି। ଏହି ମାଟିରେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ ବୋଲି ସେ ଉଦାହରଣ ଦେଇ କହିଥିଲେ। ଏହି ଅବସରରେ ସେ କିଟ୍‍ ଓ କିସ୍‍ ଭଳି ଦୁଇଟି ଅନନ୍ୟ ଅନୁଷ୍ଠାନ ଗଢିତୋଳିବା ପାଇଁ ଏହାର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ପ୍ରଶଂସା କରିଥିଲେ।

ଉପ-ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ବେଳେ କିଛି ସମୟ ପାଇଁ ଓଡ଼ିଆରେ କହିବା ସହ ‘ଜୟ ଜଗନ୍ନାଥ’ କହିବା ବେଳେ ଉପସ୍ଥିତ ଦର୍ଶକମାନେ କରତାଳି ଦେଇଥିଲେ।

ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ଡକ୍ଟର ଏସ୍‌ସି ଜମିର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଗୋଟିଏ ବିଶ୍ୱବିଦ୍ୟାଳୟର ପରିଚୟ ତା’ର ପୂର୍ବତନ ଛାତ୍ରଛାତ୍ରୀଙ୍କଠାରୁ ମିଳିଥାଏ। କିଟ୍‍ ବିଶ୍ୱବିଦ୍ୟାଳୟ ଆଜି ତା’ର ଛାତ୍ରଛାତ୍ରୀମାନଙ୍କ ପାଇଁ ସାରା ପୃଥିବୀରେ ପରିଚିତ ହୋ‍ଇଛି। ବାସ୍ତବରେ ଏହା ଜ୍ଞାନ, ଦକ୍ଷତା ଓ ସାଂସ୍କୃତିକ ବିନିମୟ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ ହୋ‍ଇଛି ବୋଲି ରାଜ୍ୟପାଳ କହିଥିଲେ।

ତିନିଜଣ ବିଶିଷ୍ଟ ବ୍ୟକ୍ତି – ସିମ୍ପ୍ଲେକ୍ସ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିମିଟେଡର ଅଧ୍ୟକ୍ଷ ଡକ୍ଟର ବିଥଲ ଦାସ ମୁନ୍ଧ୍ରା, ଭରତିଆ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ କ୍ରିଶନଲାଲ ଅଗ୍ରୱାଲ ଏବଂ ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ଏହି ଅବସରରେ ସମ୍ମାନଜନକ ଡି ଲିଟ୍‌ ପ୍ରଦାନ କରାଯାଇଥିଲା। ସେହିପରି ବିଶ୍ୱବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା।

କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, କିଟ୍‌ ବିଶ୍ୱବିଦ୍ୟାଳୟର ମଧ୍ୟବର୍ତ୍ତୀକାଳୀନ କୁଳାଧିପତି ଡକ୍ଟର ସୁବ୍ରତ କୁମାର ଆଚାର୍ଯ୍ୟ, କୁଳପତି ପ୍ରଫେସର ହୃଷିକେଶ ମହାନ୍ତି, କୁଳସଚିବ ପ୍ରଫେସର ସସ୍ମିତା ସାମନ୍ତ ତଥା କିଟ୍‍ ଏବଂ କିସ୍‌ର ଅଧ୍ୟକ୍ଷା ଶାଶ୍ୱତୀ ବଳ ମଞ୍ଚରେ ଉପସ୍ଥିତ ଥିଲେ।

Comment