ଓଡ଼ିଶାଲାଇଭ୍ ବ୍ୟୁରୋ
ବିଲରେ ହସୁଥିଲା ପାଚିଲା ଧାନ। ଆଉ ଦିନ କେଇଟା ପରେ ଅମଳ ହୋଇ ଘରକୁ ଆସିଥାନ୍ତା। ହେଲେ ସବୁ କିଛି ବିଗାଡ଼ି ଦେଇଛି ଲଘୁଚାପ ବର୍ଷା। ଦୁଇ ଦିନର ଲଗାଣ ବର୍ଷାରେ ଧାନ କିଆରିରେ ବର୍ଷା ପାଣି ଜମି ରହିଛି। ବର୍ଷା ଆହୁରି ୨୪ ଘଣ୍ଟା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି।
ଲଘୁଚାପ ବର୍ଷା ଉଜାଡ଼ି ଦେଇଛି କ୍ଷେତ। ବର୍ଷାରେ ଭିଜୁଛି ପାଚିଲା ଧାନ । ଧାନକୁ ସୁରକ୍ଷିତ ରଖିବା ପାଇଁ ଚାଷୀ ଆଗୁଆ ପ୍ରସ୍ତୁତ ହୋଇ ନଥିବାରୁ ସୃଷ୍ଟି ହୋଇଛି ଏଭଳି ଅବସ୍ଥା। ଅମଳ ହୋଇ ଆସିବାକୁ ଥିବା ପାଚିଲା ଧାନ କିଆରିରେ ଏବେ ବର୍ଷା ପାଣି ଭରି ରହିଛି। ବର୍ଷାରେ ଭିଜିଭିଜି ଚାଷୀ ଧାନ କିଆରିରୁ ପାଣି ନିଷ୍କାସନୂ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରୁନି। ବର୍ଷାଯାକର ପରିଶ୍ରମ ଲଘୁଚାପ ବର୍ଷାରେ ନଷ୍ଟ ହୋଇଯାଉଥିବାରୁ ଚାଷୀ ମୁଣ୍ଡରେ ହାତଦେଇ ବସିଛି। ଆହୁରି ୨୪ ଘଣ୍ଟା ବର୍ଷା ଥିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି।
ଅବପାତରେ ପରିଣତ ହୋଇଛି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଏହା ଗୋପାଳପୁରଠାରୁ ଦକ୍ଷିଣ, ଦକ୍ଷିଣ-ପଶ୍ଜିମ ଦିଗରେ ୩୧୦ କିମି ଦୂରରେ ରହିଛି। ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଏବଂ ଉତ୍ତର-ପୂର୍ବ ଦିଗରେ ଗତି କରିବ। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।
ଲଘୁଚାପ ପ୍ରଭାବରେ ଦୁଇଦିନ ହେଲା ରାଜ୍ୟରେ ବର୍ଷା ଲାଗି ରହିଛି। ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ବର୍ଷା ହୋଇଛି। ଏହାସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, ପୁରୀ, ବାଲେଶ୍ବର, ଭୁବନେଶ୍ବର ଓ କଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଘଣ୍ଟାକୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ସ୍ବତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି, “ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି ବ୍ୟତୀତ ଅନ୍ୟ କେଉଁଠି ବର୍ଷା ହୋଇନି। ପୁରୀରେ ୫୬ ମିଲିମିଟର, ଜଗତସିଂହପୁରରେ ୫୨.୩ ମିମି, ଗଜପତିରେ ୪୪.୩ ମିମି, କେନ୍ଦ୍ରାପଡ଼ାରେ ୪୪, ଗଞ୍ଜାମରେ ୩୯.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।“
ଏସ୍ଆର୍ସି ଆହୁରି କହିଛନ୍ତି, ଯେ. ଅଦିନିଆ ବର୍ଷାରେ କେତେ ଫସଲ ନଷ୍ଟ ହୋଇଛି ତାହା ବର୍ଷା ଛାଡ଼ିବା ପରେ ଆକଳନ କରାଯିବ। ଯେଉଁସ୍ଥାନରେ ୧୨୪.୫ ମିଲିମିଟରରୁ ଅଧିକ ବର୍ଷ ରେକର୍ଡ କରାଯାଇଥିବ ସେ ଅଞ୍ଚଳକୁ ପ୍ରାକୃତିକ ବିପର୍ଯ୍ୟୟରେ ସାମିଲ୍ କରିବା ପାଇଁ ତର୍ଜମା ହେବ।








ବିଲରେ ହସୁଥିଲା ପାଚିଲା ଧାନ। ଆଉ ଦିନ କେଇଟା ପରେ ଅମଳ ହୋଇ ଘରକୁ ଆସିଥାନ୍ତା। ହେଲେ ସବୁ କିଛି ବିଗାଡ଼ି ଦେଇଛି ଲଘୁଚାପ ବର୍ଷା। ଦୁଇ ଦିନର ଲଗାଣ ବର୍ଷାରେ ଧାନ କିଆରିରେ ବର୍ଷା ପାଣି ଜମି ରହିଛି। ବର୍ଷା ଆହୁରି ୨୪ ଘଣ୍ଟା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି।








