ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ରାତି ସୁଦ୍ଧା ବାତ୍ୟାର ରୂପ ନେବାର ସମ୍ଭାବନା ରହିଥିବା ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ତେବେ ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।

ବାତ୍ୟା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଆସନ୍ତା ଗୁରୁବାର ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେବ। ଏହା ଦକ୍ଷିଣ ପୂର୍ବ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ। ତେଣୁ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଉପରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳିବ ନାହିଁ ବୋଲି ଆଇଏମଡି ଡିଜି କହିଛନ୍ତି।

ଆସନ୍ତା ୧୪ ସକାଳ ସୁଦ୍ଧା ବାତ୍ୟା ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ବାଂଲାଦେଶ କକ୍ସବଜାର ଓ ମିଆଁମାର କ୍ୟାଉକିପିଉ ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ। ବାତ୍ୟା ଉପକୂଳ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୩୦ କିଲୋମିଟର ରହିବ।

ବାତ୍ୟାର ପ୍ରଭାବ ପଶ୍ଚିମବଙ୍ଗ ଉପକୂଳରେ ପଡ଼ିବା ସହ ପବନର ବେଗ ଘଣ୍ଟା ପ୍ରତି ୫୦ କିଲୋମିଟର ରହିବ ବୋଲି ଆକଳନ କରାଯାଇଛି।
ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଭିତରକୁ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ର ମଧ୍ୟରେ ରହିଛନ୍ତି ସେମାନଙ୍କୁ ଫେରିଆସିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

Tags: #Cyclone #Mocha #WeatherUpdate #WestBengal #LowPressure #RainFall #IMD

LEAVE A REPLY

Please enter your comment!
Please enter your name here