ଓଡ଼ିଶାଲାଇଭ୍‍ ବ୍ୟୁରୋ

‘ପୂର୍ବୋଦୟ- ପୂର୍ବ ଭାରତରେ ପୁଞ୍ଜିନିବେଶର ନୂତନ ସୂର୍ଯ୍ୟୋଦୟ’ – ଏହି ଥିମ୍ ନେଇ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋ‍ଇଛି ପେଟ୍ରୋକେମିକାଲ୍ ଇନଭେଷ୍ଟର୍ସ୍‍ କନକ୍ଲେଭ୍ – ୨୦୧୭।

ରାଜଧାନୀ ଭୁବନେଶ୍ୱରରେ ଇଣ୍ଡିଆନ୍ ଅଏଲ୍ ତରଫରୁ ଆୟୋଜିତ ହୋଇଛି ପେଟ୍ରୋକେମିକାଲ୍ ଇନଭେଷ୍ଟର୍ସ୍‍ କନକ୍ଲେଭ୍ – ୨୦୧୭ର ଦିନିକିଆ କନ୍‌କ୍ଲେଭ। ଏଥିରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଯୋଗ ଦେଇଥିଲେ।

କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ, ସାର ଏବଂ ରସାୟନ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ତୈଳ ଓ ଗ୍ୟାସ କମ୍ପାନିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ନିବେଶକାରୀ, ଯୁବ ଉଦ୍ୟୋଗପତିମାନେ ଉପସ୍ଥିତ ରହି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ଦେଶରେ ଏକ ବିଶ୍ୱସ୍ତରୀୟ, ଉଜ୍ୱଳ ପେଟ୍ରୋକେମିକାଲ୍ସ କଂପ୍ଲେକ୍ସ ନିର୍ମାଣ କରିବା ଦିଗରେ କେନ୍ଦ୍ର ସରକାରଙ୍କ ଯେଉଁ ପ୍ରଚେଷ୍ଟା ରହିଆସିଛି, ଏହି କନକ୍ଲେଭ ତାହାର ଏକ ଅଂଶ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏହି କନକ୍ଲେଭ ସମ୍ବନ୍ଧୀୟ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଯାହା ମାଧ୍ୟମରେ ଓଡ଼ିଶାରେ ଭବିଷ୍ୟତରେ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ହେବାକୁ ଥିବା ଉନ୍ନତିମୂଳକ ଯୋଜନା ସମ୍ବନ୍ଧରେ ଦର୍ଶାଯାଇଥିଲା।

ମୁମ୍ବାଇସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ସ ଟେକ୍ନୋଲୋଜିର କୁଳପତି ପଦ୍ମଶ୍ରୀ ପ୍ରୋଫେସର ଜି.ଡି ଯାଦବ ଭାରତର ବିକାଶରେ ପେଟ୍ରୋକେମିକାଲ୍ସ ସେକ୍ଟରର ଉନ୍ନତି ଓ ଅଭିବୃଦ୍ଧି କେତେ ମାତ୍ରାରେ ଗୁରୁତ୍ୱପୂର୍ଣ୍ଣ ତାହା ଦର୍ଶାଇଥିଲେ। ଏହି କନକ୍ଲେଭରେ ଇଣ୍ଡିଆନ ଅଏଲ, ଇଡ୍‌କୋ, ଆଇସିଟି ଓ ଏମ୍‌ସିପିଆ ମଧ୍ୟରେ ଏମ୍‌ଓୟୁ ଆଦାନପ୍ରଦାନ ହୋଇଥିଲା।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଅଭିଭାଷଣର ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପୂର୍ବ-ଭାରତର ବିକାଶକୁ ପ୍ରାଧାନ୍ୟ ଦେବା କଥା ଉଲ୍ଲେଖ କରିଥିଲେ। ଓଡ଼ିଶାରେ ପ୍ରଚୁର ପରିମାଣର କଞ୍ଚାମାଲ ଥିବା ବେଳେ ଏହାର ଉଚିତ ବିନିଯୋଗ ହେବା ଆବଶ୍ୟକ। ପାରଦୀପଠାରେ ହେବାକୁ ଥିବା ପ୍ଲାଷ୍ଟିକ୍ ପାର୍କ ରାଜ୍ୟରେ ଲକ୍ଷ ଲକ୍ଷ ରୋଜଗାର ଯୋଗାଇବା ସହିତ ଓଡ଼ିଶାର ମୁଣ୍ଡ ପିଛା ଆୟର ଅଭିବୃଦ୍ଧି ହେବ ବୋଲି ସେ ମତ ପ୍ରକାଶ କରିଥିଲେ। ତାଙ୍କ ଅଭିଭାଷଣରେ ସେ ମଧୁସୂଦନ ଦାସଙ୍କ ଦୂରଦୃଷ୍ଟି କଥା ଉଲ୍ଲେଖ କରିଥିଲେ।

“ଶହେ ବର୍ଷ ତଳେ ମଧୁବାବୁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ଆମେ ସାକାର କରିବାକୁ ଯାଉଛୁ”, କହିଛନ୍ତି ଶ୍ରୀ ପ୍ରଧାନ।

ପୂର୍ବ ଭାରତରେ କଞ୍ଚାମାଲର ମହଜୁଦ, ଅନୁକୂଳ ପରିବେଶ ଓ ଆୟ ବୃଦ୍ଧି ହେତୁ ପୂର୍ବରେ ଟେକ୍ସଟାଇଲ୍ ହେଉଛି ଏକ ନୂତନ ସୂର୍ଯ୍ୟୋଦୟ ଶିଳ୍ପ।

ଏହି ଅବସରରେ ଭବିଷ୍ୟତ ଯୋଜନା ସମ୍ବନ୍ଧରେ ଏକ ଶ୍ୱେତପତ୍ର ଉନ୍ମୋଚିତ ହୋଇଥିଲା।

ଏହି କନକ୍ଲେଭ ମାଧ୍ୟମରେ ବିଭିନ୍ନ ନୀତି ନିର୍ଦ୍ଧାରକ, ପେଟ୍ରୋକେମିକାଲ୍ସ ଶିଳ୍ପର ବିଭିନ୍ନ ଜାତୀୟ, ଆନ୍ତର୍ଜାତୀୟ କମ୍ପାନୀ ବିତ୍ତଲଗାଣକାରୀ, ବୈଷୟିକ ଜ୍ଞାନକୌଶଳ ପ୍ରଦାନକାରୀମାନେ ପ୍ରତ୍ୟକ୍ଷ ଆଲୋଚନା କରିବା ସହ ପୂର୍ବ ଭାରତରେ ପୁଞ୍ଜିନିବେଶ ନିମନ୍ତେ ସୁଯୋଗ ପ୍ରଦାନ କରିବେ।

Comment