ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁରରୁ ବିଜେଡି ଆରମ୍ଭ କରିଛି ଯୁବ-ଛାତ୍ର ସମ୍ପର୍କ ଅଭିଯାନ। ତୃଣମୂଳ ସ୍ତରର ଯୁବକଙ୍କୁ ଏକାଠି କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମ ଶେଷ ନହେଉଣୁ ଏପଟେ ଶନିବାର କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ବିଜୁ ଯୁବ ବାହିନୀ ଗଠନ ପାଇଁ ପ୍ରକାଶ କରିଛି ବିଜ୍ଞପ୍ତି। ଶାସକ ବିଜେଡିର ଏହି ଉଦ୍ୟମକୁ ବିରୋଧୀ କରିଛନ୍ତି ସମାଲୋଚନା।

  • ବିଜୁ ଯୁବ ବାହିନୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
  • କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ
  • ୧୫ରୁ ୩୫ ବର୍ଷ ବୟସର ଯୁବକଯୁବତୀ ହୋଇପାରିବେ ସାମିଲ
  • ସମାଲୋଚନା କଲେ ବିରୋଧୀ
  • କଂଗ୍ରେସ କହିଲା, “ବିଜେଡିକୁ ପରାଜୟ ଚିନ୍ତା ଘାରିଛି”
  • ଏହା ଯୁବସମାଜ ପାଇଁ ପ୍ରତାରଣା: ବିଜେପି

୨୦୧୯ ନିର୍ବାଚନ ପାଇଁ ଏବେଠୁ କ୍ଷେତ୍ର ପ୍ରସ୍ତୁତ କରୁଛି ଶାସକ ବିଜେଡି। ଏଥିପାଇଁ ଅଧିକରୁ ଅଧିକ ଯୁବକଙ୍କୁ ଦଳ ସହ ଯୋଡ଼ିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ।୧୪୭ଟି ନିର୍ବାଚନ ମଣ୍ଡଳୀରେ ଯୁବକଙ୍କୁ ଏକାଠି କରିବା ପାଇଁ ଯୁବ-ଛାତ୍ର ସମ୍ପର୍କ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଆଜି ବିଜୁ ଯୁବ ବାହିନୀ ଗଠନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। କ୍ରୀଡ଼ା ଓ ଯୁବ ବ୍ୟାପାର ପକ୍ଷରୁ ପ୍ରକାଶ ପାଇଛି ଏହି ବିଜ୍ଞପ୍ତି। ଏହି ଯୁବ ବାହିନୀରେ ସ୍ବେଚ୍ଛାସେବୀ ନିଯୁକ୍ତି ନେଇ ଦରଖାସ୍ତ ଆହ୍ବାନ କରାଯାଇଛି।

କ୍ରୀଡ଼ା ଏବଂ ଯୁବ ବ୍ୟାପାର ବିଭାଗର ଏହି ବିଜ୍ଞପ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ରାଜନୀତି ପର୍ଯ୍ୟବେକ୍ଷକ ମଧ୍ୟ ଏହାକୁ ନେଇ ଭିନ୍ନ ମତ ପୋଷଣ କରିଛନ୍ତି। ବିଜେଡି ଯୁବ-ଛାତ୍ର ସମ୍ପର୍କ ଅଭିଯାନ ଆରମ୍ଭ କରିଥିବା ବିଜୁ ଯୁବ ବାହିନୀର ଆବଶ୍ୟକତା କାହିଁକି ପଡ଼ିଲା ବୋଲି କହିଛନ୍ତି।

ବିଜୁ ଯୁବ ବାହିନୀରେ ସାମିଲ ହେବାକୁ ଚାହୁଁଥିବା ଯୁବଯୁବତୀଙ୍କ ବୟସ ନିର୍ଦ୍ଧାରଣ କରାଯାଇଛି। ୧୫ରୁ ୩୫ ବର୍ଷ ବୟସର ଯୁବକଯୁବତୀମାନେ ଏହି ବାହିନୀରେ ସାମିଲ ହୋଇପାରିବେ। ଏହାସହ ସେମାନେ ଶିକ୍ଷିତ ବା ଉଚ୍ଚଶିକ୍ଷିତ ହୋଇଥିବେ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି। ସ୍ବେଚ୍ଛାସେବୀ ଯୁବ ଗୋଷ୍ଠୀଙ୍କୁ ବିଭିନ୍ନ ସାମାଜିକ ଗଠନ ମୂଳକ କାମରେ ଲଗାଇବା ପାଇଁ ପ୍ରୟାସ କରାଯିବ ବୋଲି ବିଜ୍ଞାପନରେ କୁହାଯାଇଛି।

ଯୁବ ବାହିନୀର ସଦସ୍ୟ ବିଭିନ୍ନ ପଞ୍ଚାୟତ ଏବଂ ସହରାଞ୍ଚଳରେ ନିୟୋଜିତ ହେବେ। ସେମାନେ ସରକାରଙ୍କ ଯୋଜନାଙ୍କୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କାମ କରିବେ।

ବାସ୍ତବରେ ଯୁବକଯୁବତୀଙ୍କୁ ସମାଜସେବା ନା ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ବାହିନୀ ଗଠନ କରାଯାଇଛି ତାକୁ ନେଇ ରାଜନୀତି କରିଡ଼ରରେ ଆରମ୍ଭ ହୋଇଛି ଚର୍ଚ୍ଚା। ୨୦୧୪ ନିର୍ବାଚନ ବେଳେ ବିଜେଡି ବିଜୁ ସାଥୀ ଗଠନ କରିଥିବା ବେଳେ ୨୦୧୯ ନିର୍ବାଚନ ପୂର୍ବରୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଆନୁକୂଲ୍ୟରେ ଯୁବ ବାହିନୀ ଗଠନ କରାଯାଉଥିବା ଆଲୋଚନା ହେଉଛି।

“ସମାଜ ଗଠନରେ ଯୁବଯୁବତୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଏଣୁ ସେମାନଙ୍କୁ ସମାଜର ଭଲ କାମରେ ନିୟୋଜିତ କରିବା ପାଇଁ ବିଜୁ ଯୁବ ବାହିନୀ ଗଠନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି”, ଏହା କହିଛନ୍ତି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା।

ଏପଟେ ବିରୋଧୀ କିନ୍ତୁ ସରକାରଙ୍କ ଏହି ଉଦ୍ୟମକୁ ନାପସନ୍ଦ କରିଛନ୍ତି। ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ସରକାରୀ ଟଙ୍କାରେ ଏଭଳି ଉଦ୍ୟମ କରୁଥିବା ଉଭୟ କଂଗ୍ରେସ ଏବଂ ବିଜେପି ଅଭିଯୋଗ କରିଛନ୍ତି।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି, “ଶାସକ ବିଜେଡି ନିଜର ପ୍ରଚାର ପ୍ରସାର ପାଇଁ ଏଭଳି କାର୍ଯ୍ୟକ୍ରମ କରୁଛି। ବିଜେଡିକୁ ପରାଜୟର ଭୟ ରହିଥିବାରୁ ଏବେଠୁ ଏଭଳି ପ୍ରସ୍ତୁତି ଆରମ୍ଭ କରିଛି।”

ସରକାରୀ ଟଙ୍କାରେ କିପରି ଦଳୀୟ କାର୍ଯ୍ୟକ୍ରମ କରାଯିବ ତାହା ବିଜେଡିକୁ ବେଶ୍ ମାଲୁମ୍। ଯୁବ ସମାଜ ପାଇଁ ୨୦୧୪ ନିର୍ବାଚନ ବେଳେ ବିଜେଡି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ଏପର୍ଯ୍ୟନ୍ତ ପୂରଣ କରିପାରି ନାହିଁ। ଏହା ଯୁବସମାଜ ପାଇଁ ପ୍ରତାରଣା”, ଏହା କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ।

 

Comment