ଓଡ଼ିଶାଲାଇଭ୍‍ ବ୍ୟୁରୋ

ଶୀତ ଦାଉରୁ ସିମ୍ପାଞ୍ଜି ଓ ଓରାଙ୍ଗଉଟାନମାନଙ୍କୁ ରକ୍ଷା କରିବା ପାଇଁ ସେମାନେ ରହୁଥିବା ଖୁଆଡରେ ଖଟ ଏବଂ କମ୍ବଳ ଯୋଗାଇ ଦେବା ସହ ସନ୍ଧ୍ୟାରେ ଖୁଆଡରେ ରୁମ୍ ହିଟର ଲଗାଯାଇ ରୁମ୍କୁ ଉଷୁମ କରାଯାଉଛି, ଯାହାଫଳରେ ସେମାନେ ଆଉ ବିଶେଷ ଶୀତ ଅନୁଭବ କରିପାରିବେ ନାହିଁ

ଦିନକୁ ଦିନ ରାଜ୍ୟରେ ପାରଦ ଖସିବାରେ ଲାଗୁଛି। ଶୀତର ଲହରି ଆସ୍ତେ ଆସ୍ତେ ଅନୁଭବ ହେଲାଣି। ଶୀତ ଦାଉରୁ ରକ୍ଷା କରିବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ପଶୁପକ୍ଷୀମାନଙ୍କ ପାଇଁ ବିଶେଷ ସଜାଗ ହୋଇଉଠିଛନ୍ତି। ନନ୍ଦନକାନନରେ କିଛି ଦିନ ହେବ ପର୍ଯ୍ୟଟକମାନଙ୍କର ଆକର୍ଷଣ ସାଜୁଥିବା ସିମ୍ପାଞ୍ଜି ଓ ଦୁଇ ଓରାଙ୍ଗଉଟାନମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଶୀତ ଦାଉରୁ ସେମାନଙ୍କୁ ରକ୍ଷା କରିବା ପାଇଁ ସେମାନେ ରହୁଥିବା ଖୁଆଡରେ ଖଟ ଏବଂ କମ୍ବଳ ଯୋଗାଇ ଦେବା ସହ ସନ୍ଧ୍ୟାରେ ଖୁଆଡରେ ରୁମ୍ ହିଟର ଲଗାଯାଇ ରୁମ୍‌କୁ ଉଷୁମ କରାଯାଉଛି, ଯାହାଫଳରେ ସେମାନେ ଆଉ ବିଶେଷ ଶୀତ ଅନୁଭବ କରିପାରିବେ ନାହିଁ।

ନନ୍ଦନକାନନରେ ମୋଟ ୨୧୮ଟି ଖୁଆଡରେ ୪ଟି ଶ୍ରେଣୀରେ ୧୫୧ ପ୍ରଜାତିର ୨୦୭୫୮ ଜୀବଜନ୍ତୁ ବସବାସ କରୁଛନ୍ତି। ଶୀତଦିନ ପାଇଁ ଅଧିକାଂଶ ପଶୁପକ୍ଷୀମାନଙ୍କୁ ଉଷୁମ ଏବଂ ରନ୍ଧା ଖାଦ୍ୟ ସହ ଭିଟାମିନ୍ ଦିଆଯାଉଛି।

ପକ୍ଷୀ ବସାମାନଙ୍କରେ ଛୋଟ ଛୋଟ ନଡ଼ା କଟାଯାଇ ରଖାଯାଇଛି। ସରୀସୃପମାନଙ୍କ ପାଇଁ ବାଣୀଅଖାକୁ କାଟି ଏବଂ ଖୋଲଥିବା କାଠ ରଖାଯାଇଛି, ଯାହାଫଳରେ ପଶୁପକ୍ଷୀମାନେ ଶୀତରୁ ରକ୍ଷା ପାଇପାରିବେ। ଶୀତ ଦିନ ମୁଖ୍ୟତଃ ପର୍ଯ୍ୟଟନର ଋତୁ ହେଉଥିବାରୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିଥାନ୍ତି, ଯେପରି ଭାବରେ ପଶୁପକ୍ଷୀମାନେ ଛୋଟଛୁଆ ଏବଂ ପର୍ଯ୍ୟଟକମାନଙ୍କ ଦ୍ୱାରା ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି  ଯତ୍ନବାନ୍ ଅଛନ୍ତି ନନ୍ଦନକାନନର କର୍ତ୍ତୃପକ୍ଷ।

 

LEAVE A REPLY

Please enter your comment!
Please enter your name here