ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗକୁ ରାତିରେ ବି ଖୋଲା ରହିବ ନନ୍ଦନକାନନ ବନ୍ୟପ୍ରାଣୀ ଉଦ୍ୟାନ। ଏଠାରେ ରାତ୍ରି କାଳୀନ ଜଙ୍ଗଲ ସଫାରିର ମଜା ନେଇପାରିବେ ପର୍ଯ୍ୟଟକ। ଏନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ (ସିଜେଡଏ) ନିକଟରେ ମାଷ୍ଟର ପ୍ଲାନ୍ ଦାଖଲ କରାଯାଇଛି।

ନନ୍ଦନକାନନରେ ରାତିରେ ପର୍ଯ୍ୟଟକଙ୍କ ପାଇଁ ଜଙ୍ଗଲ ସଫାରୀ ସହ ଚିଡ଼ିଆଖାନା ସମ୍ପର୍କିତ ଫିଲ୍ମ ସୋ’ ପ୍ରଦର୍ଶିତ ହେବ। ଏହାଛଡ଼ା ଚିଡ଼ିଆଖାନାରେ ବିଭିନ୍ନ ରାତ୍ରିଚର ଜୀବଜନ୍ତୁଙ୍କ ଏନକ୍ଲୋଜର ବୁଲିବା ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ।

“ଏବେ ନନ୍ଦନକାନନରେ ଅନେକ ରାତ୍ରିଚର ଜୀବଜନ୍ତୁ ରହିଛନ୍ତି। ଚିଡ଼ିଆଖାନା ରାତିରେ ଖୋଲା ରହିଲେ ପର୍ଯ୍ୟଟକମାନେ ସେମାନଙ୍କ ସମ୍ପର୍କରେ ଅଧିକ ଜାଣିବାକୁ ସୁଯୋଗ ପାଇବେ। ଏଥିପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ‘ନାଇଟଆଉଟ ଆଟ ଜୁ’ ଆରମ୍ଭ କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ଯଦି ଏହି ପ୍ରସ୍ତାବକୁ ଗ୍ରହଣ କରାଯାଏ, ତେବେ ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ରାତିରେ ବି ଖୋଲାରହିବ”, କହିଛନ୍ତି ପିସିସିଏଫ୍‌ (ବନ୍ୟପ୍ରାଣୀ) ଓଡ଼ିଶା ସୁଶିଲ୍‌ କୁମାର ପୋପଲି।

ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ୨୦ ବର୍ଷିଆ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ଏଥିରେ ଚିଡ଼ିଆଖାନାର ପରିସରକୁ ବଢ଼ାଇବାର ଯୋଜନା ରହିଛି। ଏବେ ବଟାନିକାଲ ଗାର୍ଡେନକୁ ମିଶାଇ ନନ୍ଦନକାନନ ୪୩୭ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ ରହିଛି। ଆଗକୁ କୃଷ୍ଣପ୍ରସାଦ ଓ ଚୁଡ଼ଙ୍ଗ ସଂରକ୍ଷିତ ଜଙ୍ଗଲକୁ ମିଶାଇ ଏହାର ପରିସୀମାକୁ ୧୦୪୩ ହେକ୍ଟରକୁ ବଢ଼ାଯିବାର ଯୋଜନା ରହିଛି।

ଏବେ ପ୍ରତଦିନ ସନ୍ଧ୍ୟା ୫ଟାରେ ନନ୍ଦନକାନନ ବନ୍ଦ ହୋଇଯାଉଛି। ଆଗକୁ ଏହି ପ୍ରାଣୀ ଉଦ୍ୟାନ ରାତିରେ ବି ଖୋଲା ରହିଲେ ପର୍ଯ୍ୟଟକମାନେ ଏହାର ଭରପୁର ମଜା ଉଠାଇପାରିବେ।

Tags: #Nandankanan #WildlifePark #NightOpening #WildAnimals #Odisha

 

Comment