ଓଡ଼ିଶାଲାଇଭ୍‌ ସ୍ୱତନ୍ତ୍ର ପ୍ରତିନିଧି

  • ଡିସେମ୍ବର ୧ରୁ ୫ କୋଣାର୍କ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ
  • ୮ଟି ଦେଶରୁ ଆସୁଛନ୍ତି ବହୁ ବାଲୁକା ଶିଳ୍ପୀ
  • ମହିଳା ଓ ଭିନ୍ନକ୍ଷମ ଶିଳ୍ପୀ ହେବେ ଆକର୍ଷଣ
  • ୫ ଦିନରେ ୫ଟି ଥିମ୍
  • ଶ୍ରେଷ୍ଠ ୩ କଳାକୁ ମିଳିବ ଅର୍ଥ ପୁରସ୍କାର
  • ସୁଦର୍ଶନ ପଟ୍ଟନାୟକ ବ୍ରାଣ୍ଡ ଆମ୍ବାସଡର

କୋଣାର୍କସ୍ଥିତ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜନ ହେବାକୁ ଯାଉଛି ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ। ଏଥିପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କୋଣାର୍କ ଉତ୍ସବ ସହ ତାଳ ଦେଇ ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ବାଲୁକା କଳା ଉତ୍ସବ।

୨୦୧୧ରୁ ହୋଇଥିବା କୋଣାର୍କ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ସପ୍ତମ ବର୍ଷରେ ପାଦ ଦେଉଛି। ଦେଶ ବିଦେଶର ଆଗଧାଡ଼ିର ବାଲୁକା ଶିଳ୍ପୀଙ୍କ ସହ ଚଳିତବର୍ଷର ବିଶେଷ ଆକର୍ଷଣ ହେବାକୁ ଯାଉଛନ୍ତି ଭିନ୍ନକ୍ଷମ କଳାକାରମାନେ। ଚଳିତବର୍ଷ ପ୍ରଥମ ଥର କରି ଓଡ଼ିଶାର ଦୁଇ ଜଣ ଭିନ୍ନକ୍ଷମ ବାଲୁକା ଶିଳ୍ପୀ ୫ ଦିନ ଧରି ସେମାନଙ୍କ କଳା ପ୍ରଦର୍ଶନ କରିବେ।

ସେହିପରି ଗତ କିଛିବର୍ଷ ଧରି ମହିଳା ଶିଳ୍ପୀମାନେ ମଧ୍ୟ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରି ଆସୁଛନ୍ତି। ମହିଳା ଶିଳ୍ପୀମାନେ ମୁଖ୍ୟତଃ ଗ୍ରୁପ୍ ଇଭେଣ୍ଟରେ ଭାଗ ନେଉଥିବା ବେଳେ ଚଳିତବର୍ଷ ଝାଡଖଣ୍ଡ ଓ ମହାରାଷ୍ଟ୍ରରୁ ଦୁଇ ଜଣ ମହିଳା ଡବଲ୍ସ ବିଭାଗରେ ଯୋଗ ଦେଉଛନ୍ତି।

ବିଦେଶରୁ ଆସୁଛନ୍ତି ବହୁ ବାଲୁକା ଶିଳ୍ପୀ

“ଚଳିତବର୍ଷ ଭାରତ ଛଡା ୮ଟି ଦେଶରୁ ଅନେକ କଳାକାର ଭାଗ ନେଉଛନ୍ତି। ସେହି ଦେଶଗୁଡିକ ମଧ୍ୟରେ ରହିଛି ଶ୍ରୀଲଙ୍କା, ଜର୍ମାନୀ, ସିଙ୍ଗାପୁର, ମେକ୍ସିକୋ, ଘାନା, ଫ୍ରାନ୍ସ, ସ୍ପେନ୍ ଏବଂ ଋଷିଆ। ଏହାସହ ଭାରତର ବିଭିନ୍ନ ପ୍ରଦେଶରୁ ବାଲୁକା ଶିଳ୍ପୀ ଯୋଗ ଦେଉଛନ୍ତି”, ଓଡ଼ିଶା ପର୍ଯ୍ୟଟନ ନିର୍ଦ୍ଦେଶକ ଡକ୍ଟର ନୀତିନ ଭାନୁଦାସ ଜୱାଲେ ଓଡ଼ିଶାଲାଇଭ୍‌କୁ ଏହି ସୂଚନା ଦେଇଛନ୍ତି।

ଓଡ଼ିଶାର ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କୋଣାର୍କ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ସହିତ ମୂଳରୁ ଯୋଡ଼ି ହୋଇ ରହିଛନ୍ତି। ସୁଦର୍ଶନ ଏହାର ବ୍ରାଣ୍ଡ ଆମ୍ବାସଡର ଭାବେ ବାଲୁକା କଳା ମାଧ୍ୟମରେ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ଓ ପ୍ରସାର ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏହି ୫ ଦିନିଆ ଉତ୍ସବରେ ସୁଦର୍ଶନ ନିଜେ ଯୋଗଦେଇ ଶିଳ୍ପୀମାନଙ୍କୁ ଉତ୍ସାହିତକ କରିବେ।

କୋଣାର୍କ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବରେ ଯୋଗ ଦେଉଥିବା ପ୍ରତିଯୋଗୀମାନଙ୍କୁ ୩ଟି ଭାଗରେ ବିଭକ୍ତ କରାଯାଇଛି। ତାହା ହେଲୋ ସୋଲୋ ବା ଏକକ, ଡବଲ୍ସ ଏବଂ ଗ୍ରୁପ୍  ଇଭେଣ୍ଟ। ଚଳିତବର୍ଷ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି। ଉଚ୍ଚକୋଟୀର କଳା ପ୍ରଦର୍ଶନ କରିଥିବା ଶିଳ୍ପୀଙ୍କୁ ପ୍ରଥମ ସ୍ଥାନ ପାଇଁ୧ ଲକ୍ଷ ଟଙ୍କା, ଦ୍ୱିତୀୟ ଶିଳ୍ପୀଙ୍କୁ ୫୦ ହଜାର ଟଙ୍କା ଏବଂ ତୃତୀୟ ସ୍ଥାନ ପାଇଁ ଶିଳ୍ପୀଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ପର୍ଯ୍ୟଟନ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ଚଳିତବର୍ଷ ଗୁଜୁରାଟ, ମହାରାଷ୍ଟ୍ର, ରାଜସ୍ଥାନ, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ବହୁ ସଂଖ୍ୟାରେ ବାଲୁକା ଶିଳ୍ପୀ ଯୋଗ ଦେଉଛନ୍ତି।

ବ୍ରାଣ୍ଡ ଆମ୍ବାସଡର ସୁଦର୍ଶନ ପଟ୍ଟନାୟକ

“କୋଣାର୍କ ହେଉଛି ଭାରତର ସବୁଠାରୁ ବଡ଼ ବାଲୁକା କଳା ଉତ୍ସବ। ଆନ୍ତର୍ଜାତିକ ଖ୍ୟାତି ଦୃଷ୍ଟିରୁ ଏହା ମଧ୍ୟ ବେଶ୍ ଗୁରୁତ୍ବପୂର୍ଣ୍ଣ। ବାଲୁକା କଳା ଏକ ପବ୍ଲିକ ଆର୍ଟ ଫର୍ମ ହୋଇଥିବାରୁ ଏହା ଆମ ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ସମୃଦ୍ଧ କରିବାରେ ସହାୟକ ହେଉଛି”, ଚଳିତବର୍ଷର ଆନ୍ତର୍ଜାତିକ ବାଲୁକା କଳା ଉତ୍ସବର ଆୟୋଜନ ସମ୍ପର୍କରେ କଥାବାର୍ତ୍ତା ବେଳେ ଓଡ଼ିଶାଲାଇଭ୍‌କୁ ଏକଥା କହିଛନ୍ତି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

“ଆଜିର ଦିନରେ ପର୍ଯ୍ୟଟକମାନେ ନୂଆନୂଆ କଥା ଦେଖିବାକୁ ଚାହୁଁଛନ୍ତି ଓ ଅନୁଭବ କରିବାକୁ ଚାହୁଁଛନ୍ତି। କେବଳ ଓଡ଼ିଶା କାହିଁକି ପୃଥିବୀର ବିଭିନ୍ନ କୋଣରେ ଆଜି ବାଲୁକା କଳା ଏହି ଦୃଷ୍ଟିରୁ ଏକ ବିଶେଷ ଆକର୍ଷଣ ହୋଇପାରିଛି। ତେଣୁ ମୁଁ ଚାହୁଁଛି ଏହି କଳା ଦେଖିବା ପାଇଁ ଅଧିକରୁ ଅଧିକ ପର୍ଯ୍ୟଟକ ଓଡ଼ିଶାକୁ ଆସନ୍ତୁ ଓ ଆମର ମନ୍ଦିର ସ୍ଥାପତ୍ୟ ତଥା ଅପୂର୍ବ ପରିବେଶ ସହ ଆମ ଶିଳ୍ପୀମାନଙ୍କର ହାତର କୁହୁକ ନିକଟରୁ ଅନୁଭବ କରନ୍ତୁ” କହିଛନ୍ତି ସୁଦର୍ଶନ।

ପାଞ୍ଚ ଦିନରେ ୫ ଥିମ୍

କୋଣାର୍କ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ୫ ଦିନରେ ୫ଟି ଥିମ ରଖାଯାଇଛି। ଚଳିତବର୍ଷ ଏହି ବିଷୟଗୁଡିକ ମଧ୍ୟରେ ପ୍ରଥମ ଦିନ- Save the Sea, ଦ୍ୱିତୀୟ ଦିନ- Buddhist Heritage, ତୃତୀୟ ଦିନ- Eco Tourism, ଚତୁର୍ଥ ଦିନ- Ethnic Heritage, ପଞ୍ଚମ ଦିନ- World Heritage ରହିଛି।

ପୁରୀ ସମୁଦ୍ର ବେଳାଭୂମିରୁ ଆକସ୍ମିକ ଭାବେ ବାଲୁକା କଳା ଆରମ୍ଭ କରିଥିବା ସୁଦର୍ଶନ ପଟ୍ଟନାୟକ ଏ କ୍ଷେତ୍ରରେ ତାଙ୍କର ଦକ୍ଷତା ପାଇଁ ଓଡ଼ିଶାକୁ ଏକ ନୂଆ ପରିଚୟ ଦେଇଛନ୍ତି। ଗତବର୍ଷ ସେ ପୁରୀ ବେଳାଭୂମିରେ ତାଙ୍କ ସାଥୀମାନଙ୍କୁ ନେଇ ୪୮ ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ଏକ ବାଲୁକା ଦୁର୍ଗ ତିଆରି କରି ଗିନିଜ ରେକର୍ଡ ପ୍ରତିଷ୍ଠା କରିଥିଲେ। ଚଳିତବର୍ଷ ଜର୍ମାନୀର ବାଲୁକା ଶିଳ୍ପୀମାନେ ଏହି ରେକର୍ଡକୁ ଭାଙ୍ଗି ବାଲୁକା କଳାକୁ ଏକ ଅନ୍ତର୍ଜାତୀୟ ତଥା ଲୋକପ୍ରିୟ ଧାରା ହିସାବରେ ପ୍ରତିଷ୍ଠା କରିଛନ୍ତି। କୋଣାର୍କ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ଦେଶ ବିଦେଶର ଶିଳ୍ପୀ, କଳା ସଙ୍ଗଠକ ତଥା ପର୍ଯ୍ୟଟକମାନଙ୍କ ପାଇଁ ଆଜି ବିଶେଷ ଗୁରୁତ୍ୱ ବହନ କରିଛି।

LEAVE A REPLY

Please enter your comment!
Please enter your name here