ଓଡ଼ିଶାଲାଇଭ୍‍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୋଟିଏ ବଡ଼ କଥା କହିଛନ୍ତି। ଦେଶର ଭଲ ପାଇଁ ସେ ଯେଉଁ ପଦକ୍ଷେପ ନେଇଛନ୍ତି ସେଥିପାଇଁ ଯଦି ତାଙ୍କୁ ରାଜନୈତିକ ମୂଲ୍ୟ ଦେବାକୁ ହୁଏ ସେ ପ୍ରସ୍ତୁତ। ଏକଥା ମଧ୍ୟ ସେ କହିଛନ୍ତି ଯେ ଯେଉଁ ରାସ୍ତାରେ ସେ ଯାଉଛନ୍ତି ସେଥିରୁ ତାଙ୍କୁ କେହି ହଟାଇପାରିବେ ନାହିଁ।

ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋଦି କହିଛନ୍ତି ଯେ ଏକ ଦୁର୍ନୀତିମୁକ୍ତ, ନାଗରିକ-କେନ୍ଦ୍ରିକ ଓ ବିକାଶମୁଖୀ ସରକାର ପ୍ରତିଷ୍ଠା କରିବା ତାଙ୍କର ପ୍ରାଥମିକତା। ତାଙ୍କ ସରକାର ନୀତି ଉପରେ ଆଧାରିତ, ପାରଦର୍ଶିତା ଉପରେ ଆଧାରିତ ଓ ବ୍ୟବସ୍ଥାଭିତ୍ତିକ ଯେଉଁଥିରେ ତ୍ରୁଟି ବିଚ୍ୟୁତି ଓ ଜାଲିଆତିର ସମ୍ଭାବନା କମ।

“ମୁଁ ଭଲଭାବେ ଜାଣିଛି ଯେ ଯେଉଁ ରାସ୍ତାରେ ମୁଁ ଚାଲିଛି ତାହା କଣ୍ଟକିତ। ଦେଶକୁ ଯେଉଁ ସ୍ଥାନରେ ପହଞ୍ଚାଇବା ପାଇଁ ମୁଁ ଲକ୍ଷ୍ୟ ରଖିଛି, ତା’ ପାଇଁ କଣ ରାଜନୈତିକ ମୂଲ୍ୟ ଦେବାକୁ ହେବ ସେ କଥା ମୋତେ ଭଲ ଭାବରେ ଜଣା। କିନ୍ତୁ ମୁଁ ସେହି ରାସ୍ତାରୁ କଦାପି ହଟିବି ନାହିଁ”।

ସେ କହିଛନ୍ତି ଯେ ବିମୁଦ୍ରୀକରଣ ପରେ ଦେଶର ଆଚରଣରେ ପରିବର୍ତ୍ତନ ଆସିଛି। ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଏହା ହୋଇଛି କି କଳାଧନ କାରବାର କରିବାକୁ ଲୋକେ ଭୟ କରିଛନ୍ତି। ସେମାନଙ୍କ ପାଖରେ ଧରା ପଡ଼ିବାର ଭୟ ଦେଖାଯାଉଛି। ଯେଉଁ କଳାଧନ ଗୋଟିଏ ସମୟରେ ସମାନ୍ତରାଳ ଅର୍ଥନୀତି ସୃଷ୍ଟି କରିଥିଲା ତାହା ବର୍ତ୍ତମାନ ଅର୍ଥନୀତିର ମୁଖ୍ୟ ଧାରାକୁ ଆସି ଯାଇଛି।

ଜନସାଧାରଣଙ୍କ ନିକଟରେ ବିଭିନ୍ନ ସୁବିଧା ପହଞ୍ଚିବାରେ ଆଧାରର ଭୂମିକାକୁ ପ୍ରଶଂସା କରିଛନ୍ତି ମୋଦି। ସେ କହିଛନ୍ତି ଯେ ଆଧାର ଯୋଗୁଁ ଏପରି ବ୍ୟବସ୍ଥା ଗ୍ରହଣ କରାଯାଇଛି ଯାହାକୁ ଆଉ ପରିବର୍ତ୍ତନ କରିହେବ ନାହିଁ। ଆଧାର ବ୍ୟତୀତ ଜନ ଧନ ଓ ମୋବାଇଲ ନମ୍ବର ଯୋଡ଼ିବା ଫଳରେ ଏଭଳି ଏକ ଭିତ୍ତିଭୂମି ସୃଷ୍ଟି ହୋଇଛି ଯାହା କିଛି ବର୍ଷ ତଳେ ଚିନ୍ତା ବି କରାଯାଇପାରି ନଥାନ୍ତା।

ଆଧାର କାର୍ଡ ଯୋଗୁଁ ବିଗତ ତିନି ବର୍ଷ ମଧ୍ୟରେ କୋଟି କୋଟି ଜାଲ ନାମକୁ ବ୍ୟବସ୍ଥା ଭିତରୁ ବାଦ ଦିଆଯାଇଛି। ଏବେ ବେନାମି ସମ୍ପତ୍ତି ଠୁଳ କ୍ଷେତ୍ରରେ ମଧ୍ୟ ଏହି ବ୍ୟବସ୍ଥା ସହାୟକ ହେବ।

ପ୍ରଧାନମନ୍ତ୍ରୀ କହିଲେ ଯେ ଅଧିକାଂଶ ଦେଣନେଣ ଓ ଖରିଦ ବିକ୍ରି ଯେତେବେଳେ ସମ୍ପୂର୍ଣ ଡିଜିଟାଲ ହେବ, ସେହିଦିନଠାରୁ ସଂଗଠିତ ଦୁର୍ନୀତି ପ୍ରାୟ ଶେଷ ହେଲା ବୋଲି ଧରି ନେବାକୁ ହେବ।

ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ବିଭିନ୍ନ ଯୋଜନା ଯେତେବେଳେ ଗତିଶୀଳ ହୁଏ ଦେଶର ପ୍ରଗତି ସମ୍ଭବ ହୁଏ। ବ୍ୟବସ୍ଥାରେ ଗତ ତିନି ବର୍ଷ ମଧ୍ୟରେ କିଛି ପରିବର୍ତ୍ତନ ନିଶ୍ଚିତ ଭାବରେ ଆସିଛି ଯାହାଫଳରେ ଯୋଜନାଗୁଡ଼ିକର ଗତି ବଢ଼ିଛି। ସେଇ ସମ୍ବଳ, ସେହି ସାଧନ କିନ୍ତୁ ବ୍ୟବସ୍ଥାରେ ଗତି ସମ୍ଭବ ହୋଇପାରିଛି। ଅମଲାତନ୍ତ୍ର ରେ ଏକ ନୂଆ ସଂସ୍କୃତି ସୃଷ୍ଟି ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଦୃଢ ଭାବରେ କହିଛନ୍ତି।

Comment