ଓଡ଼ିଶାଲାଇଭ୍‌ ବ୍ୟୁରୋ

ୟୁପିରେ ମୁଲାୟମ ସିଂହ ଯାଦବ ଏବଂ ମାୟାବତୀଙ୍କ ଯେଉଁ ପ୍ରଭାବ ଥିଲା ଏବେ ତାହା ଯୋଗୀ ଆଦିତ୍ୟ ନାଥଙ୍କୁ ମିଳିଛି। ୟୁପି ପୌର ନିର୍ବାଚନରେ ବିଜେପିକୁ ସଫଳତା ମିଳିବା ପରେ ଯୋଗୀ ସେମାନଙ୍କ ସମାସ୍କନ୍ଧ ହୋଇ ପାରିଛନ୍ତି।

ଉତ୍ତରପ୍ରଦେଶ ପୌର ନିର୍ବାଚନରେ ମିଳିଥିବା ବିରାଟ ସଫଳତା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଦେଇଛି ଏକ ନୂଆ ମାଇଲେଜ୍। ଏହି ସଫଳତା ଯୋଗୁ ଯୋଗୀଙ୍କ ଓଜନ ଉଭୟ  ରାଜ୍ୟ ଏବଂ ଦଳ ଭିତରେ ବଢ଼ିଛି। ଉତ୍ତରପ୍ରଦେଶ ରାଜନୀତିରେ ଆଗରୁ ତାଙ୍କ ଦବଦବା ତ  ଥିଲା,ଏବେ ଏହା ଆହୁରି ଉପରକୁ ଉଠିଯାଇଛି।

ଯୋଗୀଙ୍କ ନେତୃତ୍ୱରେ ହିଁ ଉତ୍ତରପ୍ରଦେଶ ପୌର ନିର୍ବାଚନ ଲଢ଼ା ଯାଇଥିଲା।ଏହି ନିର୍ବାଚନ ପାଇଁ ସେ ୩୪ଟି ରାଲି ମଧ୍ୟ କରିଥିଲେ। ବିଜେପିକୁ ଯେଉଁ ସଫଳତା ହାସଲ ହେଲା ସେଥିରେ ଯୋଗୀ ଭଲ ନମ୍ବର ରଖି ପାସ କରିଛନ୍ତି ବୋଲି ଧରି ନେବାକୁ ହେବ।

ଯୋଗୀଙ୍କ ପାଇଁ ପୌର ନିର୍ବାଚନ ଏକ ବ୍ୟକ୍ତିଗତ ଚାଲେଞ୍ଜ ମଧ୍ୟ ଥିଲା।ବିଧାନସଭା ନିର୍ବାଚନ ପରେ ଏହା ଥିଲା ସବୁଠାରୁ ବଡ଼ ନିର୍ବାଚନ। ଯଦି ଏଥିରେ କିଛି ବି କମି ଦେଖା ଯାଇଥାନ୍ତା ଯୋଗୀଙ୍କ ବ୍ୟକ୍ତିଗତ ସ୍ଥିତି ଉପରେ ଆଞ୍ଚ ଆସିଥାନ୍ତା।
ଉତ୍ତରପ୍ରଦେଶ ପୌର ନିର୍ବାଚନରେ ବିଏସପି, କଂଗ୍ରେସ ଓ ସମାଜବାଦୀ ପାର୍ଟିକୁ ମଧ୍ୟ ଶିକ୍ଷା ମିଳିଛି।

ଅନୁମାନ କରାଯାଉଛି ୟୁପି ପୌର ନିର୍ବାଚନ ଫଳକୁ ଗୁଜରାଟ ବିଧାନସଭା ନିର୍ବାଚନରେ ଲଗାଯିବ।ବିଗତ ଦିନରେ ମଧ୍ୟ ମହାରାଷ୍ଟ୍ର, ରାଜସ୍ଥାନ,ମଧ୍ୟପ୍ରଦେଶ, ଛତିଶଗଡ, ଦିଲ୍ଲୀ ଓ ହିମାଚଳ ପ୍ରଦେଶରେ ଅନୁଷ୍ଠିତ ପୌର ନିର୍ବାଚନରେ ବିଜେପିକୁ ଏହିଭଳି ବିରାଟ ସଫଳତା ମିଳିଥିଲା। ନିକଟରେ ହୋଇଥିବା ବେଙ୍ଗାଳୁରୁ ପୌର ନିର୍ବାଚନ ମଧ୍ୟ ବିଜେପି ପାଇଁ ଭଲ ଖବର ଆଣିଥିଲା। କିନ୍ତୁ ଉତ୍ତରପ୍ରଦେଶ ପୌର ନିର୍ବାଚନ ଫଳ ହିଁ ଦଳକୁ ୨୦୧୯ ଅଭିଯାନରେ ଆଗେଇ ନେବାରେ ସାହାଯ୍ୟ କରିବ।

ମୁଲାୟମ-ମାୟାବତୀଙ୍କ ସମାସ୍କନ୍ଧ ହେଲେ ଯୋଗୀ

ନିର୍ବାଚନ ଫଳାଫଳ ଯୋଗୁ ମୁଖ୍ୟମନ୍ତ୍ରୀ ଯୋଗୀ ବିଜେପିରେ ଏକ ନିର୍ବିଵାଦିୟ ନେତା ଭାବରେ ଉଭା ହୋଇଛନ୍ତି। ଗୋଟିଏ ସମୟରେ ୟୁପିରେ ମୁଲାୟମ ସିଂହ ଯାଦବ ଓ ମାୟାବତୀଙ୍କ ଯେଉଁ ପ୍ରଭାବ ଥିଲା, ଯୋଗୀ ମଧ୍ୟ ସେମାନଙ୍କ ସମାସ୍କନ୍ଧ ହୋଇ ପାରିଛନ୍ତି। ବିଜେପି ନେତାଙ୍କ ଭିତରେ ଅତୀତରେ କେବଳ କଲ୍ୟାଣ ସିଂହ ଓ ରାଜନାଥ ସିଂହ ହିଁ ଏହିଭଳି ଅନୁକୂଳ ସ୍ଥିତିରେ ଥିଲେ।

ଯୋଗୀ କେମିତି ଜଗିଲେ ଭୋଟ ବ୍ୟାଙ୍କ

ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ୮ ମାସ ମଧ୍ୟରେ ଯୋଗୀ ହିନ୍ଦୁତ୍ୱ ଓ ସୁଶାସନ ଉପରେ ଗୁରୁତ୍ୱ ଆରୋପ କରିଥିଲେ ଓ ଏଥିରେ ସଫଳ ହୋଇଥିଲେ ମଧ୍ୟ।ଅଯୋଧ୍ୟାରୁ ପୌର ନିର୍ବାଚନ ଅଭିଯାନ ଆରମ୍ଭ, ଦୀପାବଳି ପାଳନ ବେଳର ଭବ୍ୟ ଉତ୍ସଵ, ରାଜ୍ୟ ସଚିବାଳୟକୁ ଗେରୁଆ ରଙ୍ଗରେ ପରିଣତ କରିବା ଆଦି ପଦକ୍ଷେପ ନେବା ଫଳରେ ବିଜେପିର ଭୋଟ ବ୍ୟାଙ୍କକୁ ସେ ମଜବୁତ କରି ପାରିଥିଲେ।ହିନ୍ଦୁତ୍ୱ କାର୍ଡ ଖେଳିବା ବ୍ୟତୀତ ଅଧିକାରୀମାନଙ୍କୁ ଉତ୍ତରଦାୟୀ କରିବା, ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର ରଖିବା ସହିତ ଏହାକୁ ସୁଦୃଢ଼ କରିବା ପାଇଁ ଯୋଗୀ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରିଥିଲେ, ଯାହାଫଳରେ କି ଏହାର ପ୍ରଭାବ ପୌର ନିର୍ବାଚନରେ ସ୍ପଷ୍ଟ  ଦେଖିବାକୁ ମିଳିଛି।

Comment