ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜୁରାଟ ନିର୍ବାଚନ ବେଳେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଚତୁରତାର ସହ ଗୋଟି ଚାଳନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନିଜ ଦଳର ବରିଷ୍ଠ ନେତା ମଣିଶଙ୍କର ଆୟାରଙ୍କୁ ବିଦା କରି ରାହୁଲ୍ ରାଜନୀତିରେ ହଇଚଇ ସୃଷ୍ଟି କରିଛନ୍ତି।
“ଏ ହେଉଛନ୍ତି ଜଣେ ନିଚ୍ଚମନା ବ୍ୟକ୍ତି। ତାଙ୍କ ପାଖରେ ସଭ୍ୟତା ବୋଲି କିଛି ନାହିଁ। ଏହି ମଉକାରେ ସେ ନୀଚ୍ଚ ରାଜନୀତି କରୁଛନ୍ତି”, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏଭଳି ନକରାତ୍ମକ ଟିପ୍ପଣୀ ଦେଇଥିଲେ କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାର।
ଏହି ମନ୍ତବ୍ୟ ଏବେ ଆୟାରଙ୍କ ପାଇଁ ମହଙ୍ଗା ପଡ଼ିଛି। ପ୍ରଧାନମନ୍ତ୍ରୀଙ୍କୁ କଟୁ ସମାଲୋଚନା କରି ଆୟାର କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ନିଜ ଦଳର ଜଣେ ବରିଷ୍ଠ ନେତାଙ୍କୁ ଦଳରୁ ବହିଷ୍କାର କରି କଂଗ୍ରେସ ବିଜେପିକୁ ଚାଲେଞ୍ଜ ଦେଇଛି। କଂଗ୍ରେସ ଆଜି ଯାହା କରିଛି ମୋଦି ତାହା କରି ପାରିବେ କି ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି।
ରାହୁଲ ଗାନ୍ଧି ଟ୍ବିଟ କରି କହିଛନ୍ତି, “ବିଜେପି ଏବଂ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ସମାଲୋଚନା କରି ଅଶାଳୀନ ଶବ୍ଦ ପ୍ରୟୋଗ କରିଛନ୍ତି। କିନ୍ତୁ କଂଗ୍ରେସର ସଂସ୍କୃତି ଏବଂ ପରମ୍ପରା ହେଉଛି ସମ୍ପୂର୍ଣ୍ଣ ଅଲଗା। ମଣିଶଙ୍କର ଆୟାର ପ୍ରଧାନମନ୍ତ୍ରୀଙ୍କ ପ୍ରତି ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଗ୍ରହଣୀୟ ନୁହେଁ। କଂଗ୍ରେସ ଚାହୁଁଛି ଶ୍ରୀ ଆୟାର ଏଥିପାଇଁ କ୍ଷମା ମାଗନ୍ତୁ।”
ଗୁଜୁରାଟ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ଆୟାର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଡ଼ା ଶବ୍ଦରେ ଏଭଳି ବୟାନ ଦେଇଛନ୍ତି। କାଳେ ଏହି ମନ୍ତବ୍ୟ କଂଗ୍ରେସ ପାଇଁ ମହଙ୍ଗା ପଡ଼ିବ ସେଥିପାଇଁ ଆୟାରଙ୍କୁ ଦଳରୁ ବିଦା କରାଯାଇଥିବା ଚର୍ଚ୍ଚା ହେଉଛି। ଏହାସହ ଭୋଟରଙ୍କ ଅନୁକମ୍ପା ପାଇବା ପାଇଁ ରାହୁଲ ଏଭଳି ଚାଲ୍ ଖେଳିଥିବା କୁହାଯାଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟରେ ଏକ ଜନସଭାରେ ଆୟାରଙ୍କ ‘ନୀଚ’ ଶବ୍ଦ ଉପରେ ଜନତାଙ୍କୁ ଉଦ୍ବୋଧନ ଦେଇଛନ୍ତି। କହିଛନ୍ତି, “ଆପଣ ମୋତେ ପ୍ରଧାନମନ୍ତ୍ରୀ ଆସନରେ ବସାଇଛନ୍ତି। ମୁଁ କେବେ ନୀଚ କାମ କରିଛି କି? କଂଗ୍ରେସ ନେତାମାନେ ମାନସିକ ଭାରସାମ୍ୟ ହରାଇ ଏଭଳି କଟୁ ମନ୍ତବ୍ୟ ଦେଉଛନ୍ତି। ଏ ଦେଶର ଗରିବ ଲୋକଙ୍କ ସହ ବସିବା ପାଇଁ ମୋତେ କିଛି ଫରକ ପଡ଼ୁନି। ନୀଚ ଜାତିର ହୋଇଥିବାରୁ ମୁଁ ନିଜକୁ ଗର୍ବ ଅନୁଭବ କରୁଛି ଏବଂ ଉଚ୍ଚ କାମ କରିବା ହେଉଛି ଆମ ସଂସ୍କାର।”








ଗୁଜୁରାଟ ନିର୍ବାଚନ ବେଳେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଚତୁରତାର ସହ ଗୋଟି ଚାଳନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନିଜ ଦଳର ବରିଷ୍ଠ ନେତା ମଣିଶଙ୍କର ଆୟାରଙ୍କୁ ବିଦା କରି ରାହୁଲ୍ ରାଜନୀତିରେ ହଇଚଇ ସୃଷ୍ଟି କରିଛନ୍ତି।









