ଓଡ଼ିଶାଲାଇଭ୍‍ ବ୍ୟୁରୋ

ଗୁଜୁରାଟ ମହାସମରରେ କିଏ ଜିତିବ କିଏ ହାରିବ ସେ କଥା ତ ଡିସେମ୍ବର ୧୮ ତାରିଖରେ ହିଁ ଜଣା ପଡ଼ିବ, କିନ୍ତୁ ତା’ ପୂର୍ବରୁ ଆସନ୍ତୁ ଦେଖିବା ଓପିନିୟନ ପୋଲ କଣ କହୁଛି। ଇତି ମଧ୍ୟରେ ୫ଟି ନ୍ୟୁଜ ଚ୍ୟାନେଲ ଓ ଖବରକାଗଜ ଯେଉଁ ସର୍ଭେ କରିଥିଲେ ସେଥିରେ ଭିନ୍ନଭିନ୍ନ ଅନୁମାନ ପଦାକୁ ଆସିଛି।

କେଉଁ ସର୍ଭେ ବିଜେପିକୁ ବିପୁଳ ବିଜୟ ହାସଲ କରିବ ବୋଲି କହିଛି ତ ଅନ୍ୟ କେଉଁ ସର୍ଭେ କଂଗ୍ରେସ ଓ ବିଜେପି ପାଖାପାଖି ରହିବେ ବୋଲି କହିଛି। ତେବେ ଗୋଟିଏ କଥା ସ୍ପଷ୍ଟ ଯେ ଉଭୟ ଦଳ ଭିତରେ କଡ଼ା ମୁକାବିଲା ହେବ। ଯଦି ଏ ସବୁ ମତାମତ ସଂଗ୍ରହର ଫଳକୁ ଏକାଠି କରିନିଆଯାଏ, ଗୁଜୁରାଟରେ ପୁଣି ଥରେ ବିଜେପି ହିଁ ଶାସନ କ୍ଷମତାକୁ ଫେରିବ ଏହା ଦେଖାଯାଉଛି।

ଟାଇମସ୍ ନାଓ
ଟାଇମସ୍ ନାଓର ମତ ଅନୁସାରେ ଗୁଜୁରାଟରେ ବିଜେପିକୁ ବହୁସଂଖ୍ୟକ ଆସନ ମିଳିବ। କିନ୍ତୁ ଗତ ନିର୍ବାଚନ ତୁଳନାରେ ଏଥର ଆସନ ସଂଖ୍ୟା କମିବ। ୨୦୧୨ରେ ବିଜେପିକୁ ୧୧୫ ଆସନ ମିଳିଥିବା ବେଳେ ଏଥର ୧୦୬-୧୧୦ ଆସନ ମିଳିପାରେ ବୋଲି ଟାଇମସ୍ ନାଓ କହିଛି।

ଏବିପି ନ୍ୟୁଜ୍
ଏବିପି ନ୍ୟୁଜ୍ ଓ ସିଏସଡିଏସ ସର୍ଭେରେ କୁହାଯାଇଛି ଯେ ଭୋଟ ଗ୍ରହଣ ପାଖେଇ ଆସିବା ବେଳେ ବିଜେପି ହାତରୁ ଭୋଟ ଖସି କଂଗ୍ରେସକୁ ଯିବ। ଗଲା ମାସରେ ଏହି ମତାମତ ସଂଗ୍ରହ କରିଥିଲା ଆନନ୍ଦ ବଜାର ଗ୍ରୁପର ନ୍ୟୁଜ୍ ଚ୍ୟାନେଲ। ଏହି ସର୍ଭେ ଅନୁସାରେ ବିଜେପିକୁ ଅତି ବେଶୀରେ ୯୦-୯୯ ଆସନ ମିଳିବ। ଗୁଜୁରାଟରେ ସରକାର ଗଢିବା ପାଇଁ  ମ୍ୟାଜିକ ସଂଖ୍ୟା ହେଉଛି ୯୨।

ଟିଭି 9
ଟିଭି 9 ପକ୍ଷରୁ ଏକ ସର୍ଭେ କରା ଯାଇଥିଲା। ଏଥିରେ ବିଜେପିକୁ ଭଲ ଫଳ ମିଳିବ ବୋଲି କୁହାଯାଇଛି। ଯଦି ଭୋଟ ଅନୁପାତ କଥା କହିବା ଟିଭି 9 ଅନୁସାରେ ବିଜେପି କୁ ୪୭% କଂଗ୍ରେସକୁ ୪୨% ଓ ଆମ ଆଦମୀ ପାର୍ଟିକୁ ୧୧ ପ୍ରତିଶତ ଭୋଟ ମିଳିପାରେ। ଟିଭି 9 ପକ୍ଷରୁ ଆକଳନ କରାଯାଇଛି ଯେ ବିଜେପିକୁ ୧୦୯ ଆସନ ମିଳିବ ଓ କଂଗ୍ରେସକୁ ୭୩।

ନ୍ୟୁଜ୍ ନେସନ୍
ନ୍ୟୁଜ୍ ନେସନ୍ ଟିଭି ଚ୍ୟାନେଲ ପକ୍ଷରୁ ନିଆଯାଇଥିବା ଗ୍ରାଉଣ୍ଡ  ଜିରୋ  ମତାମତ  ଅନୁସାରେ ବିଜେପିକୁ ବମ୍ପର ସଫଳତା ହାସଲ ହେବ। ସର୍ଭେ ଅନୁସାରେ ୨୨ ବର୍ଷ ଧରି ଶାସନ ରେ ଥିବା ବିଜେପିକୁ ୧୮୨ ମଧ୍ୟରୁ ୧୩୧-୧୪୧ ଆସନ ମିଳିବ ବୋଲି ଭବିଷ୍ୟବାଣୀ କରାଯାଇଛି। କଂଗ୍ରେସର ସଫଳତା  ୩୭-୪୭ ଆସନ ଭିତରେ ସିମୀତ ରହିବ।

ସାହାରା-ସିଏନଏକ୍ସ
ସାହାରା ଓ ସିଏନଏକ୍ସ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ବିଜେପିକୁ ବିପୁଳ ପରିମାଣରେ ଭୋଟ ମିଳିବ। ବିଜେପିକୁ ୫୦ ପ୍ରତିଶତ ଭୋଟ ମିଳିବ ବୋଲି କହିଛନ୍ତି ସଂସ୍ଥା। ଏହି ଭୋଟ ଅନୁପାତକୁ ଯଦି ଆସନରେ ପରିଣତ କରିବା ତେବେ ବିଜେପି ପାଇବ ୧୨୮ ଆସନ ଓ କଂଗ୍ରେସ ୫୨।

ସମସ୍ତ ନ୍ୟୁଜ୍ ଚ୍ୟାନେଲର ଆକଳନକୁ ଯଦି ଦେଖାଯାଏ ବିଜେପି ପୁଣି ଥରେ ସରକାର ଗଢିବା ଦେଖାଯାଉଛି। କଂଗ୍ରେସ କ୍ଷମତାକୁ ଫେରିବା ହୁଏତ ସମ୍ଭବ ନୁହେଁ। କିନ୍ତୁ ରାଜ୍ୟ ରାଜନୀତିକୁ ଫେରିବା ନିଶ୍ଚିତ।

୪ଟି ଯାକ ନ୍ୟୁଜ୍ ଚ୍ୟାନେଲର ଅନୁମାନ କହୁଛି ଯେ ବିଜେପିକୁ ହାରାହାରି ୧୧୨ ଓ କଂଗ୍ରେସକୁ ୬୯ ଆସନ ମିଳିବ।

Comment