ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବ୍ୟାଙ୍କକ୍‌ରୁ ଭୁବନଶ୍ୱରରେ ପହଞ୍ଚିଲା ପ୍ରଥମ ଏୟାର ଇଣ୍ଡିଆ ବିମାନ
  • ୧୮ ଯାତ୍ରୀଙ୍କୁ ନେଇ ସକାଳ ୭ଟାରେ ପହଞ୍ଚିଲା ବିମାନ
  • ୧୮ ଯାତ୍ରୀଙ୍କ ମଧ୍ୟରେ ଥିଲେ ୬ ଓଡ଼ିଆ ଯାତ୍ରୀ
  • ବ୍ୟାଙ୍କକ୍‌ରୁ ଆସିଥିବା ବିମାନକୁ ଦିଆଗଲା ୱାଟର କ୍ୟାନନ୍‌ ସାଲ୍ୟୁଟ
  • ମିଠା ଖୁଆଇ ଯାତ୍ରୀଙ୍କୁ ସ୍ୱାଗତ କଲେ ପର୍ଯ୍ୟଟନ ବିଭାଗର ଅଧିକାରୀ
  • ୨୦୧୭ ଏପ୍ରିଲ ୨୬ରେ ଭୁବନେଶ୍ୱର-କୁଆଲାଲୁମ୍ପର ମଧ୍ୟରେ ଆରମ୍ଭ ହୋଇଥିଲା ବିମାନସେବା

ଭୁବନେଶ୍ୱର-କୁଆଲାଲୁମ୍ପର ପରେ ରବିବାରଠାରୁ ଭୁବନେଶ୍ୱର-ବ୍ୟାଙ୍କକ୍‌ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହୋଇଛି। ଏୟାର ଇଣ୍ଡିଆ ପକ୍ଷରୁ ଏହି ସେବା ଆରମ୍ଭ ହୋଇଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରବିବାର ସକାଳ ୭ଟାରେ AI339 ନମ୍ବର ବିମାନ ବ୍ୟାଙ୍କକ୍‌ରୁ ଆସି ପହଞ୍ଚିଛି।

ଏହି ବିମାନରେ ୧୮ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ ୬ ଜଣ ଥିଲେ ଓଡ଼ିଆ ଯାତ୍ରୀ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନଟି ପହଞ୍ଚିବା ପରେ ୱାଟର କ୍ୟାନନ୍‌ ସାଲ୍ୟୁଟ ମାଧ୍ୟମରେ ବିମାନକୁ ସ୍ୱାଗତ କରାଯାଇଥିଲା। ବ୍ୟାଙ୍କକ୍‌ ବିମାନ ବନ୍ଦରରୁ ବିମାନଟି ସ୍ଥାନୀୟ ସମୟ ୫ଟା୪୦ରେ ଉଡ଼ାଣ ଆରମ୍ଭ କରିଥିଲା।

ବ୍ୟାଙ୍କକ୍‌ରୁ ଆସିଥିବା ଯାତ୍ରୀମାନଙ୍କୁ ବିମାନ ବନ୍ଦର କର୍ତ୍ତୃପକ୍ଷ ଏବଂ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ସ୍ୱାଗତ କରାଯାଇଥିଲା। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ ସଚିବ ଡକ୍ଟର ମୋନା ଶର୍ମା, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ନିତୀନ ଭାନୁଦାସ ଜାୱାଲେ, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଯାତ୍ରୀମାନଙ୍କୁ ଫୁଲ ଦେଇ ଏବଂ ମିଠା ଖୁଆଇ ସ୍ୱାଗତ କରିଥିଲେ। ଏହାସହ ଯାତ୍ରୀମାନଙ୍କୁ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ମାଧ୍ୟମରେ ସ୍ୱାଗତ କରାଯାଇଥିଲା।

ଭୁବନେଶ୍ୱରରୁ ସ୍ଥାନୀୟ ସମୟ ଅପରାହ୍ନ ୩ଟା୪୫ରେ ବିମାନ ନମ୍ବର AI338 ବ୍ୟାଙ୍କକ୍‌ ଅଭିମୁଖେ ଯାତ୍ରା କରିବ। ଏଥିରେ ୩୮ ଜଣ ଯାତ୍ରୀ ବ୍ୟାଙ୍କକ୍‌ ଯାତ୍ରା କରିବେ। ବ୍ୟାଙ୍କକ୍‌ ଯାଉଥିବା ଯାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ ସମ୍ବର୍ଦ୍ଧନା ଦେବେ।

“ଓଡ଼ିଶା ପାଇଁ ଆଜି ହେଉଛି ଏକ ଖୁସିର ଦିନ। ଭୁବନେଶ୍ୱର-ବ୍ୟାଙ୍କକ୍‌ ମଧ୍ୟରେ ସିଧାସଳଖ ବିମାନସେବା ଆରମ୍ଭ ହୋଇଛି। ଏହା ପୂର୍ବରୁ କୁଆଲାଲୁମ୍ପରକୁ ବିମାନ ଚଳାଚଳ ଆରମ୍ଭ ହୋଇଥିଲା। ଭୁବନେ୍ଶ୍ୱର-ବ୍ୟାଙ୍କକ୍‌ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହେବା ଫଳରେ ଅନ୍ତର୍ଜାତୀୟ ଦେଶ ସମୂହ ସହ ଆମର ସମ୍ପର୍କ ନିବିଡ଼ ହେବ। ଓଡ଼ିଶା ପର୍ଯ୍ୟଟନ ବିଭାଗ ଆହୁରି ସମୃଦ୍ଧ ହେବ। ଦକ୍ଷିଣ ଏସୀୟ ଦେଶ ସମୂହ ସହ ଆମର ପ୍ରାଚୀନ ସମ୍ପର୍କ ରହିଥିଲା। ଏହି ବିମାନସେବା ଫଳରେ ଏହି ସମ୍ପର୍କ ଅଧିକ ମଜବୁତ ହେବ”, କହିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ଭୁବନେଶ୍ୱର-ବ୍ୟାଙ୍କକ୍‌ ବିମାନସେବା ଆରମ୍ଭ ହେବା ଫଳରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ଆହୁରି ସମୃଦ୍ଧ ହେବା ସହ ଭୁବନେଶ୍ୱର-ବ୍ୟାଙ୍କକ୍ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ପାଇବ ବୋଲି ଆଶା ରହିଛି। ଏହାସହ ଦକ୍ଷିଣ ପୂର୍ବ ଏସୀୟ ଦେଶ ସମୂହ ସହ ଓଡ଼ିଶାର ଆଉ ଏକ ନୂଆ ସମ୍ପର୍କ ସ୍ଥାପନା ହୋଇଛି।

ଭୁବନେ୍ଶ୍ୱର-ବ୍ୟାଙ୍କକ୍‌ ମଧ୍ୟରେ ଏୟାର ଇଣ୍ଡିଆ ପକ୍ଷରୁ ବିମାନ ଚଳାଚଳ ହୋଇଥିବାରୁ ଆମେ ବହୁତ ଖୁସି। ସପ୍ତାହକୁ ଦୁଇଦିନ ଧରି ଏୟାର ଇଣ୍ଡିଆ ପକ୍ଷରୁ ବିମାନ ଚଳାଚଳ କରାଯିବ। ଖୁବଶିଘ୍ର ପ୍ରତିଦିନ ଭୁବନେ୍ଶ୍ୱର-ବ୍ୟାଙ୍କକ୍‌ ମଧ୍ୟରେ ବିମାନ ଚଳାଚଳ କରିବ ବୋଲି ଆଶା ରହିଛି”, କହିଛନ୍ତି ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ମୋନା ଶର୍ମା।

ଡିସେମ୍ବର ୧୦ରୁ ଭୁବନେଶ୍ୱରରୁ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ଉଡ଼ିବା ଦ୍ୱାରା ଓଡ଼ିଶାକୁ ଅଧିକରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିପାରିବେ।

ଭୁବନେଶ୍ୱର-ବ୍ୟାଙ୍କକ୍‌ ମଧ୍ୟରେ ବିମାନସେବା ଆରମ୍ଭ ହେବାକୁ ଯାଉଛି ବୋଲି ଡିସେମ୍ବର ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ସୂଚନା ଦେଇଥିଲେ।

ଏୟାର ଇଣ୍ଡିଆ ବିମାନ ପ୍ରଥମ ପର୍ଯ୍ୟାୟରେ ସପ୍ତାହକୁ ଦୁଇଦିନ ବ୍ୟାଙ୍କକ୍‌କୁ ଉଡ଼ାଣ କରିବ। ଗୁରୁବାର ଏବଂ ରବିବାର ଏୟାର ଇଣ୍ଡିଆର ଦୁଇଟି ବିମାନ ଚଳାଚଳ କରିବ। ଭୁବନେଶ୍ବରରୁ ବ୍ୟାଙ୍କକ୍‌କୁ ବିମାନ ସଂଯୋଗ ପରିପ୍ରେକ୍ଷୀରେ କିଛିଦିନ ତଳେ ଓଡ଼ିଶା ପକ୍ଷରୁ ଥାଇଲାଣ୍ଡରେ ଏକ ରୋଡ ସୋ କରାଯାଇଥିଲା।

୨୦୧୩ ଅକ୍ଟୋବର ୩୧ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦର ଅନ୍ତର୍ଜାତୀୟ ବିମାନବନ୍ଦରର ମାନ୍ୟତା ପାଇଥିଲା। ତେବେ ଏହାର ୪ ବର୍ଷ ପରେ ହିଁ ଭୁବନେଶ୍ବର ବାସ୍ତବରେ ଅନ୍ତର୍ଜାତୀୟ ବିମାନବନ୍ଦର ହେବାର ସୁଯୋଗ ହାସଲ କରିଥିଲା। ୨୦୧୭ ଏପ୍ରିଲ୍‌ ୨୬ରୁ ଭୁବନେଶ୍ୱରରୁ ସିଧାସଳଖ କୁଆଲାଲୁମ୍ପରରୁ ବିମାନ ଉଡ଼ାଣ ଆରମ୍ଭ ହୋଇଥିଲା।

ଏୟାର ଏସିଆ ପକ୍ଷରୁ ଏହି ବିମାନସେବା ଆରମ୍ଭ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ସପ୍ତାହକୁ ଦୁଇ ଦିନ କଆଲାଲୁମ୍ପରକୁ ବିମାନ ଚଳାଚଳ କରୁଥିଲା। ହେଲେ ପରବର୍ତ୍ତୀ ସମୟରେ ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସପ୍ତାହରେ ୭ ଦିନ ବିମାନ ଉଡ଼ାଣ ଆରମ୍ଭ କରିଥିଲା।

କୁଆଲାଲୁମ୍ପରକୁ ସିଧାସଳଖ ବିମାନସେବା ଆରମ୍ଭ ହେବା ପରେ ଦକ୍ଷିଣ ଏସୀୟ ଦେଶ ସମୂହ ସହ ଓଡ଼ିଶାର ସମ୍ପର୍କ ବେଶ୍ ଉଚ୍ଚତାକୁ ଯାଇପାରିଛି। ଆଜି ଓଡ଼ିଶାରୁ ଶହ ଶହ ସଂଖ୍ୟକ ପର୍ଯ୍ୟଟକ ମାଲେସିଆ ଏବଂ ଅନ୍ୟ ଦେଶକୁ ଯାତ୍ରା କରୁଛନ୍ତି।

1 COMMENT

LEAVE A REPLY

Please enter your comment!
Please enter your name here