ଓଡ଼ିଶାଲାଇଭ୍ ବ୍ୟୁରୋ

- ବିଜେପିକୁ ଅଡ଼ୁଆ ବିଜୟଙ୍କ ବାଣ
- ଛତିଶଗଡକୁ ଅହେତୁକ ଅନୁକମ୍ପା ଦେଖାଉଛି କେନ୍ଦ୍ର: ବିଜୟ
- ବିଜୟଙ୍କ ମନ୍ତବ୍ୟକୁ ସମର୍ଥନ କଲା ବିଜେଡି
- ବିଜେପି କହିଲା, ନବୀନଙ୍କ ମହାନଦୀ ଡ୍ରାମାରେ ବିଜୟ ସାମିଲ୍
ମହାନଦୀ ଟ୍ରିବ୍ୟୁନାଲ ପ୍ରସଙ୍ଗରେ ରାଜ୍ୟ ବିଜେପି ନେତାମାନେ ମାପିଚୁପି ମନ୍ତବ୍ୟ ଦେଉଛନ୍ତି। ଗୋଟିଏ ପଟେ ଓଡ଼ିଶାର ସ୍ବାର୍ଥ ଦେଖୁଥିବା ବେଳେ ଅନ୍ୟପଟେ ଦଳର ସ୍ବାର୍ଥକୁ ବି ସେମାନେ ଛାଡ଼ି ପାରୁ ନାହାନ୍ତି। ହେଲେ ବିଜୟ ମହାପାତ୍ର ବିଜେପିରେ ଥାଇ ମଧ୍ୟ ନିଜ ଦଳର ସରକାରକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି।
ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର ପୁଣିଥରେ କେନ୍ଦ୍ର ସରକାରଙ୍କୁ ତୀର ମାରିଛନ୍ତି। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଏହି ବରିଷ୍ଠ ନେତା କେନ୍ଦ୍ର ଉପରେ ବର୍ଷିଛନ୍ତି। ଛତିଶଗଡକୁ ସମର୍ଥନ କରି ଓଡ଼ିଶାକୁ କେନ୍ଦ୍ର ଅଣଦେଖା କରୁଥିବା ବିଜୟ କହି ରାଜନୀତି କରିଡ଼ରରେ ହଇଚଇ ସୃଷ୍ଟି କରିଛନ୍ତି।
ବିଜୟ ମହାପାତ୍ର କହିଛନ୍ତି, “ମହାନଦୀ ଟ୍ରିବ୍ୟୁନାଲ ଗଠନକୁ କେନ୍ଦ୍ର ଅସ୍ବୀକାର କରିବା ଦୁର୍ଭାଗ୍ୟଜନକ। ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ସତ୍ୟପାଠ କରିବା ପୂର୍ବରୁ ଓଡ଼ିଶାବସୀଙ୍କ ସ୍ବାର୍ଥ କଥା ଭାବିବାର ଥିଲା।”
କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରାଳୟ ଉପରେ ମଧ୍ୟ ବର୍ଷିଛନ୍ତି ବିଜୟ। ଛତିଶଗଡ ସରକାରକୁ କେନ୍ଦ୍ର ଅହେତୁକ ଅନୁକମ୍ପା ଦେଖାଇଛି। ସତ୍ୟପାଠରେ ଏକ ପାଖିଆ ନିଷ୍ପତ୍ତିକୁ ଦର୍ଶାଇଛି ଜଳସମ୍ପଦ ମନ୍ତ୍ରାଳୟ।
ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ, ମହାନଦୀର ଜଳ ପତ୍ତନ ହ୍ରାସ ପାଉଛି। ୧୬ଟି ଜିଲ୍ଲାରେ ଏହାର ନକରାତ୍ମକ ପ୍ରଭାବ ପଡ଼ିଲାଣି। ହେଲେ କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କ ସ୍ବାର୍ଥକୁ ନଦେଖିବା ପରିତାପର ବିଷୟ।
ବିଜୟଙ୍କ ମନ୍ତବ୍ୟକୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେପି। ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ବିଜୟଙ୍କୁ କଡ଼ା ଜବାବ ଦେଇଛନ୍ତି। କହିଛନ୍ତି, ମହାନଦୀକୁ ନେଇ ନବୀନ ପଟ୍ଟନାୟକ ଯେଉଁ ଡ୍ରାମା ଆରମ୍ଭ କରିଛନ୍ତି ସେଥିରେ ବିଜୟବାବୁ ସାମିଲ ହୋଇଛନ୍ତି।
ନିଜ ଦଳ ଭିତରୁ ବିଜୟଙ୍କୁ ବିରୋଧ ହେଉଥିବା ବେଳେ ବିଜେଡି କିନ୍ତୁ ବିଜୟଙ୍କୁ ସମର୍ଥନ କରିଛି। ବିଜୟ ମହାପାତ୍ରଙ୍କ ମନ୍ତବ୍ୟକୁ ବିଜେଡି ମୁଖପାତ୍ର ପ୍ରତାପ ଦେବ ସମର୍ଥନ କରି କହିଛନ୍ତି, ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଛତିଶଗଡକୁ କେନ୍ଦ୍ର ସହଯୋଗ କରୁଛି।
ମହାନଦୀ ଟ୍ରିବ୍ୟୁନାଲ ଗଠନ ହୋଇପାରିବ ନାହିଁ। ଓଡ଼ିଶା ସରକାର ଆବଶ୍ୟକ ତଥ୍ୟ ଦେଇ ନଥିବାରୁ ଟ୍ରିବନାଲ ଗଠନ ଅସମ୍ଭବ ବୋଲି କେନ୍ଦ୍ର ସରକାର ଗତ ୪ ତାରିଖରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏହାର ଜବାବରେ ଓଡ଼ିଶା ସରକାର ୬୦ ପୃଷ୍ଠା ସମ୍ବଳିତ ଆଉ ଲକ ସତ୍ୟପାଠ ଦାଖଲ କରିଛନ୍ତି। ଏହାକୁ ନେଇ ଏବେ ବିବାଦ ଉଗ୍ରରୂପ ଧାରଣ କରିଛି।














