ଓଡ଼ିଶାଲାଇଭ୍ ବ୍ୟୁରୋcorona test

“ବର୍ତ୍ତମାନ କରୋନାର ଦ୍ଵିତୀୟ ଲହରରେ ଆମେ ଅଛେ। ତୃତୀୟ ଲହର ପାଇଁ ଏବେଠୁ ପ୍ରସ୍ତୁତ ହୋଇସାରିଲେଣି ରାଜ୍ୟ ସରକାର। ରାଜ୍ୟରେ ସଂକ୍ରମଣ ଏବେବି ରହିଛି। ଅନ୍ୟ ଦେଶ ଓ ରାଜ୍ୟରେ ସଂକ୍ରମଣ ବଢ଼ିଲାଣି, ତେଣୁ ଏଥିପାଇଁ ସବୁବେଳେ ଆମକୁ ସତର୍କ ରହିବାକୁ ପଡ଼ିବ। ନିୟମ ନ ମାନିଲେ କରୋନା ନିୟନ୍ତ୍ରଣକୁ ଆସିବ ନାହିଁ”, କହିଛନ୍ତି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର।

ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ବର୍ତ୍ତମାନ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି। ରାଜ୍ୟରେ ଦୈନିକ ସଂକ୍ରମଣ ୧୫ଶହ ଭିତରେ ରହିଥିବାବେଳେ, କେବେ କେବେ ଏହି ସଂକ୍ରମଣ ହଜାରେ ତଳକୁ ମଧ୍ୟ ଖସୁଛି। ଏଭଳି ପରିସ୍ଥିତିରେ କରୋନାର ତୃତୀୟ ଲହର ସଂକ୍ରମଣକୁ ନେଇ ଜନସାଧାରଣଙ୍କ ଭିତରେ ଭାଳେଣି ପଡ଼ିଲାଣି।ତେବେ କିଭଳି ଲୋକମାନଙ୍କ ମନରୁ କରୋନା ଭୟ ଦୂର କରି ସେମାନଙ୍କୁ ସଚେତନ କରାଯାଇପାରିବ ସେନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି।

ଗୁରୁବାର ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, “ତୃତୀୟ ଲହର ଆସୁ କିମ୍ବା ନ ଆସୁ ଆମକୁ ସର୍ବଦା ପ୍ରସ୍ତୁତ ରହିବାକୁ ପଡ଼ିବ। ସରକାର ମଧ୍ୟ ଏଥିପାଇଁ ପ୍ରସ୍ତତ। ତେଣୁ ହସ୍ପିଟାଲଗୁଡ଼ିକରେ ଜେନେରାଲ ବେଡ୍ ସଂଖ୍ୟାକୁ ବୃଦ୍ଧି କରାଯାଇଛି। ସେହିପରି ଛୋଟ ଛୁଆଙ୍କୁ ଅଧିକ ସଂକ୍ରମଣ ହେବା ଆଶଙ୍କା କରାଯାଇ ସରକାରଙ୍କ ଗାଇଡଲାଇନ ଅନୁସାରେ ପେଡ଼ିଆଟ୍ରିକ ବେଡ୍ ସଂଖ୍ୟା ବଢିବା ନେଇ ପ୍ରସ୍ତୁତି ଚାଲିଛି। ଏଥିସହ ଡାକ୍ତରମାନଙ୍କୁ ଆବଶ୍ୟକ ତାଲିମ ଦିଆଯାଉଛି। ଅନ୍ୟପଟେ ରାଜ୍ୟରେ ଅକ୍ସିଜେନ ପ୍ଲାଣ୍ଟର ବ୍ୟବସ୍ଥା ମଧ୍ୟ କରାଯାଉଛି। କରୋନା ସମୟରେ ଦରକାର ପଡ଼ୁଥିବା ଔଷଧ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖାଯାଇଛି।”

Comment