ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ନିର୍ବାଚନ ବେଳେ ମିଶନ୍ କାର୍ଡ ଖେଳନ୍ତି। ଏହି କ୍ରମରେ ସେ ଗୁଜୁରାଟରେ ମିଶନ୍-୧୫୦ର ଟାର୍ଗେଟ ରଖିଥିଲେ। ହେଲେ ଶାହାଙ୍କ ମିଶନ୍ ସଫଳ ହୋଇନି। ୧୫୦ ବଦଳରେ ବିଜେପି ୯୯ଟି ଆସନ ପାଇଛି।

ଗୁଜୁରାଟ ନିର୍ବାଚନରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ଅଙ୍କ ଭୁଲ୍ ହୋଇଛି। ମିଶନ୍ ୧୫୦ର ଲକ୍ଷ୍ୟ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେପିକୁ ନିରାଶ ହେବାକୁ ପଡ଼ିଛି। ୯୯ଟି ଆସନ ପାଇ ବିଜେପି ଲଗାତାର ଷଷ୍ଠ ଥର ପାଇଁ ବିଜୟୀ ହୋଇଛି।

୨୦୧୪ ନିର୍ବାଚନରେ ମୋଦି ମ୍ୟାଜିକ୍ କାମ କରିଥିଲା। ଫଳରେ ବିଜେପି ଅଭୁତପୂର୍ବ ବିଜୟ ହାସଲ କରିଥିଲା। ଏହାପରେ ପଞ୍ଜାବ, ବିହାର, ଦିଲ୍ଲୀରେ ହୋଇଥିବା ନିର୍ବାଚନରେ ମୋଦି ମ୍ୟାଜିକ କାମ କରି ନଥିଲା। କେବଳ ଉତ୍ତର ପ୍ରଦେଶରେ ମୋଦି ମ୍ୟାଜିକ୍ ବଳରେ ବିଜେପି ସରକାର ଗଠନ କରିବାକୁ ସମର୍ଥ ହୋଇଛି।

ଗୁଜୁରାଟରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ହେଲେ ୨୦୧୨ ତୁଳନାରେ ଦଳର ଆସନ ସଂଖ୍ୟା କମି ଯାଇଛି। ୨୦୧୨ରେ ୧୧୫ ଆସନ ପାଇଥିବା ବିଜେପି ଏଥର ମାତ୍ର ୯୯ଟିରେ ସନ୍ତୁଷ୍ଟ ରହିଛି।

ଗୁଜୁରାଟ ଫଳାଫଳ ପ୍ରକାଶ ପାଇବା ପରେ ମୋଦି ମ୍ୟାଜିକକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେତେ ଦିନ ମୋଦି ମ୍ୟାଜିକକୁ ଭରସା କରି ବିଜେପି ନିର୍ବାଚନ ବୈତରଣୀ ପାର୍ ହେବ ତାହା ଗୁଜୁରାଟ ଫଳାଫଳ ପରେ ଆଲୋଚନାର ବିଷୟ ପାଲଟିଛି।

ମୋଦିଙ୍କ ଧୂଆଁଧାର ରାଲି

ଗୁଜୁରାଟ ବିଜୟ ପାଇଁ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନରାତି ଏକ କରି ଦେଇଥିଲେ। ଫଳାଫଳ କାଳେ ଓଲଟି ଯିବ ସେହି ଆଶଙ୍କାରେ ମୋଦି ନିଜେ ପ୍ରଚାର ଦାୟିତ୍ବ ସମ୍ଭାଳିଥିଲେ। ଏଥିପାଇଁ ସେ ନିଜେ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ଖାଲି ମୋଦି ନୁହନ୍ତି, ବହୁ କେନ୍ଦ୍ର ମନ୍ତ୍ରୀ ବି ପ୍ରଚାରରେ ସାମିଲ୍ ହୋଇଥିଲେ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ମୋଦି ମ୍ୟାଜିକ୍ ଉପରେ ଖୋଦ୍ ମୋଦିଙ୍କର ବି ଭରସା ନଥିଲା।

୨୦୧୨ରେ ବିଜେପିକୁ ୪୭.୯ ପ୍ରତିଶତ ଭୋଟ ମିଳିଥିଲା। କଂଗ୍ରେସକୁ ମିଳିଥିଲା ୩୮.୯ ପ୍ରତିଶତ ଭୋଟ। କିନ୍ତୁ ଚଳିତ ନିର୍ବାଚନରେ ବିଜେପିର ଭୋଟହାର ଦୁଇ ପ୍ରତିଶତ ବଢ଼ିଛି।

Comment