ଅଶୋକ ବହିଦାର

ବରଗଡ଼ ଧନୁଯାତ୍ରାର ଇତିହାସ ବହୁତ ଲମ୍ବା। ଏହାର ଅୟମାରମ୍ଭକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ତଥାପି ବରଗଡ଼ ଧନୁଯାତ୍ରା ପରମ୍ପରାକୁ ଜାବୁଡ଼ି ଧରି ଆଗକୁ ଆଗେଇ ଚାଲିଛି।

ଧନୁଯାତ୍ରାର ଉତ୍ପତ୍ତି

୧୯୪୭ ମସିହାରେ ବରଗଡ଼ରେ ଧନୁଯାତ୍ରା ଆରମ୍ଭ ହୋଇଥିବା କୁହାଯାଉଛି। କିନ୍ତୁ କିଛି ବୟସ୍କ ବ୍ୟକ୍ତି କହନ୍ତି ଯେ, ୧୯୧୫-୧୬ ମସିହାରେ ଦୁଇ ବର୍ଷ ପାଇଁ ଏହି ଧନୁଯାତ୍ରା ମହୋତ୍ସବ ଆୟୋଜନ କରାଯାଇଥିଲା। କିନ୍ତୁ ତା’ର କୌଣସି ବଳିଷ୍ଠ ପ୍ରମାଣ ଏ ଯାଏଁ ମିଳିନାହିଁ।

ବରଗଡ଼ ସହରରୁ ୨୮ କିଲୋମିଟର ଦକ୍ଷିଣରେ ଅବସ୍ଥିତ ଭଟଲି (ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର) ପାଖରେ ଥିବା ଭୁଲିଆଡିହି ଗାଁରେ ୧୯୪୫ ମସିହାରେ ଏହି ଯାତ୍ରା ଆରମ୍ଭ ହୋଇଥିବା କୁହାଯାଉଛି।

ଧନୁଯାତ୍ରାର ଉତ୍ପତ୍ତି ନେଇ ଏମିତି ଅନେକ କଥା ଶୁଣିବାକୁ ମିଳୁଛି। କିନ୍ତୁ ସେଗୁଡ଼ିକର କୌଣସି ପ୍ରମାଣ ନଥିବାରୁ ଏହା ଗୃହୀତ ହୋଇପାରିନାହିଁ।

ଦୁଇ ବର୍ଷ ପାଇଁ ବନ୍ଦ ରହିଥିଲା ଧନୁଯାତ୍ରା

୧୯୪୭-୪୮ରୁ ୧୯୫୪ ପର୍ଯ୍ୟନ୍ତ ବରଗଡ଼ ଧନୁଯାତ୍ରା ଧାରାବାହିକ ଭାବେ ଚାଲିଥିଲା। କିନ୍ତୁ କେତେକ କାରଣ ଯୋଗୁଁ ମଝିରେ ଏହା ଦୁଇ ବର୍ଷ ପାଇଁ ବନ୍ଦ ହୋଇଯାଇଥିଲା। ପରେ ପୁଣି ଆରମ୍ଭ ହୋଇଥିଲା।

୧୯୬୧-୬୨ ମସିହାରେ ଭାରତ-ଚୀନ ଯୁଦ୍ଧ ହୋଇଥିଲା। ଏଣୁ ସରକାରଙ୍କ ନିର୍ଦ୍ଦେଶରେ ବରଗଡ଼ ଧନୁଯାତ୍ରା ୧୧ଦିନ ବଦଳରେ ୬ ଦିନ ପାଇଁ ଅଭିନୀତ ହୋଇଥିଲା।

ବରଗଡ଼ ଧନୁଯାତ୍ରା ମହୋତ୍ସବର ଉଦ୍ୟୋକ୍ତା ହେଉଛନ୍ତି କାଙ୍ଗାଳି ନାୟକ। ସେ ଆରପାରିକୁ ଚାଲି ଯାଇଛନ୍ତି। ତାଙ୍କର ସେଇ ଅତୀତର ଚାରାଗଛଟି ଆଜି ବିଶାଳ ବୃକ୍ଷରେ ପରିଣତ ହୋଇସାରିଛି।

ଦୃଷ୍ଟିହୀନ ଫେରି ପାଇଥିଲେ ଦୃଷ୍ଟିଶକ୍ତି

ବରଗଡ଼ ଧନୁଯାତ୍ରା ଇତିହାସରେ ଆଉ କିଛି ଘଟଣା ସମ୍ପର୍କରେ ଚର୍ଚ୍ଚା ହୁଏ। ହେଲେ ଏହା ବିଶ୍ୱାସ ଓ ଅବିଶ୍ୱାସର ଦ୍ୱନ୍ଦ୍ୱ ଭିତରେ ହିଁ ରହିଯାଇଛି। ଏଭଳି ଏକ ଘଟଣା ହେଉଛି – ଜଣେ ଦୃଷ୍ଟିହୀନ ଯୁବକ ଶ୍ରୀକୃଷ୍ଣ ଓ ବଳରାମ ଚରିତ୍ରରେ ଅଭିନୟ କରୁଥିବା ଶିଶୁ କଳାକାରଙ୍କ ପାଦତଳେ ପଡ଼ି ଗୁହାରି କରିବା ପରେ ସେ ଦୃଷ୍ଟିଶକ୍ତି ଫେରି ପାଇଥିବା ଚର୍ଚ୍ଚା ହେଉଛି।

ବଲିଉଡ ଅଭିନେତା ଅନୱର ହୁସେନ୍ ଦେଇଥିଲେ ଜରିମାନା

ବରଗଡ଼ ଧନୁଯାତ୍ରା ଅବସରରେ ବଲିଉଡର ବରିଷ୍ଠ ସିନେ-ଅଭିନେତା ଅନୱର ହୁସେନ୍ ରାୟପୁର ଯାଉଥିବା ବେଳେ ସେ କଂସଙ୍କ  ହାବୁଡ଼ରେ ପଡ଼ି ଯାଇଥିଲେ। ହେଲେ ସେ ଧନୁଯାତ୍ରାର ପରମ୍ପରା ସମ୍ପର୍କରେ ଜାଣି ନଥିଲେ। ପରେ ସବୁକିଛି ବୁଝିବା ପରେ ସେ ୧୦୦ ଟଙ୍କା ଜୋରିମାନା ଦେଇ ଚାଲିଯାଇଥିଲେ।

ଅତୀତରେ ଦୂତୀ କେଉଟୁଣୀ ନାମ୍ନୀ ଜଣେ ମହିଳା ପୁତୁନା ରାକ୍ଷସୀ ଚରିତ୍ରରେ ଅଭିନୟ କରୁଥିଲେ। ତାଙ୍କ ଚେହେରା ଖୁବ୍ ଭୟଙ୍କର ଥିଲା। ଶ୍ରୀକୃଷ୍ଣଙ୍କ ପୁତନାବଧ ଦୃଶ୍ୟଟି ସେତେବେଳେ ଖୁବ୍ ଜୀବନ୍ତ ଭାବେ ପ୍ରଦର୍ଶିତ ହେଉଥିଲା ବୋଲି ବୟୋଜ୍ୟୋଷ୍ଠମାନେ କହିଥାନ୍ତି।

ପୂର୍ବେ କଳାକାରମାନଙ୍କର ଅଭିନୟକୁ ଜୀବନ୍ତ କରିବା ପାଇଁ ଭେଡେନ୍, ବିଜେପୁର, ପଦ୍ମପୁର ଆଦି ଜମିଦାରମାନଙ୍କର ଉଆସରୁ ସୁନାଜରିଲଗା ବେଶପୋଷାକ, ଅଳଙ୍କାର ସହିତ ତେଲେଙ୍ଗା ବାଦ୍ୟ ଅଣାଯାଉଥିଲା।

୧୯୬୨ରୁ ଯାତ୍ରା ହେଲା ୧୧ ଦିନ

ପୂର୍ବରୁ ଯାତ୍ରା ୧୬ ଦିନ ଧରି ଆୟୋଜିତ ହେଉଥିଲା। ଅଥଚ ୧୯୬୨ର ଚୀନ-ଭାରତ ଯୁଦ୍ଧ ପରେ ଏହା ୧୨ ଦିନରେ ସୀମିତ ହୋଇଥିଲା। ପୁଣି ୧୯୬୪ରେ ଛାତ୍ର ଆନ୍ଦୋଳନ ସମୟରେ ଏହା ୧୧ ଦିନକୁ ସୀମିତ ହୋଇଥିଲା।୧୯୬୪ରୁ ଏଯାଏଁ ଏହି ଧାରା ଜାରି ରହିଛି।

ବରଗଡ଼ ଧନୁଯାତ୍ରା ବେଶି ପୁରୁଣା ନୁହେଁ, ସାତ ଦଶନ୍ଧିର ଘଟଣା ମାତ୍ର। ତଥାପି ଏହାର ଅତୀତକୁ ନେଇ ଅନେକ ମତଭେଦ ରହିଛି। ହେଲେ ପ୍ରତିଟି ବର୍ଷର ଅନୁଭୂତି ପରବର୍ତ୍ତୀ ବର୍ଷର ଆୟୋଜକମାନଙ୍କୁ ଉତ୍ସାହ ଯୋଗାଇ ଆସୁଛି।

ବରଗଡ଼ ଧନୁଯାତ୍ରା ଉପରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଆୟୋଜିତ ଏହି ମିଡିଆ ଅଭିଯାନର ମୁଖ୍ୟ ପ୍ରାୟୋଜକ ହେଉଛନ୍ତି ‘ନାଲ୍‌କୋ‘, ସହ ପ୍ରାୟୋଜକ ‘ଓଡ଼ିଶା ଖଣି ନିଗମ‘ (ଓଏମ୍‌ସି)।

Comment