ଭାସ୍କର ପରିଚ୍ଛା

ଚଳିତ ବର୍ଷଟି ଦେଶ ପାଇଁ ନିର୍ବାଚନ ବ୍ୟସ୍ତବହୁଳତାର ବର୍ଷ ହେବାକୁ ଯାଉଛି। ବର୍ଷ ତମାମ ବିଧାନସଭା ନିର୍ବାଚନ ସକାଶେ କୋଳାହଳ ଲାଗି ରହିବ। ଏ ବର୍ଷ ଆଠଟି ବିଧାନସଭା ପାଇଁ ନିର୍ବାଚନ ହେବ। ଏଗୁଡ଼ିକ ହେଲା ନାଗାଲାଣ୍ଡ, ମେଘାଳୟ, ତ୍ରିପୁରା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମିଜୋରାମ୍। ତା’ ଛଡ଼ା ୨୦୧୯ ସାଧାରଣ ନିର୍ବାଚନ ମଧ୍ୟ ମୁଣ୍ଡ ଉପରେ।

ଏହି ଦୃଷ୍ଟିରୁ ଆଗାମୀ ଦିନଗୁଡ଼ିକ ରାଜନୀତି ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ କଥା ଜଳଜଳ ଦେଖା ଯାଉଛି ଯେ ଏ ବର୍ଷ ରାଜନୀତି ସମୀକରଣ ଘନ ଘନ ବଦଳିବ। ଦଳମାନେ ଖୋଲାରେ ହେଉ କି ଗୋପନୀୟ ଭାବରେ ହେଉ ମେଣ୍ଟ କରିବା ସୁନିଶ୍ଚିତ। ଏଥିରେ ମୁଖ୍ୟ ରାଜନୀତି ଦଳର ଭୂମିକା ବିଶେଷ ତାତ୍ପର୍ଯ୍ୟ ରଖିବ।

କେନ୍ଦ୍ରରେ ମୋଦି ସରକାର ପକ୍ଷରୁ ବଡ଼ ଧରଣର ସଙ୍କେତ ମିଳିବ ଆଗାମୀ ସଧାରଣ ବଜେଟରୁ। ଏଇଟି ହେବ ମୋଦୀ ସରକାରଙ୍କ ପୂର୍ଣ୍ଣାଙ୍ଗ ଓ ଶେଷ ବଜେଟ।

ଆଞ୍ଚଳିକ ସ୍ତରରେ ବିଜେପି ନିଜର ଆସ୍ଥାନକୁ ସୁଦୃଢ଼ କରିବା ପାଇଁ କ୍ଷେତ୍ରିୟ ଦଳ ସହିତ ବୁଝାମଣା କରିବା ନିଶ୍ଚିତ। ଯେଉଁଠି ବିଜେପି ଦୁର୍ବଳ ସେହି ସବୁ ରାଜ୍ୟରେ ମେଣ୍ଟର ସମ୍ଭାବନା ରହିଛି। ଯଦି ଆଞ୍ଚଳିକ ଦଳମାନେ ମେଣ୍ଟକୁ ସହଜରେ ଗ୍ରହଣ କରିବାକୁ ଚାହିଁବେ ନାହିଁ ସେଠି ବିଜେପି ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯିବା ସ୍ପଷ୍ଟ।

କଂଗ୍ରେସ ପାଇଁ କାମଟି ହେଉଛି ଦୁଇ ପ୍ରକାରର। ପ୍ରଥମ, ରାହୁଲ ଗାନ୍ଧିଙ୍କୁ ନିଜ ଟିମ୍ ଛିଡା କରିବାକୁ ହେବ। କଂଗ୍ରେସକୁ ଏବେ କୁହାଯାଉଛି ‘ପ୍ରବୀଣ ଯୁବକ ଦଳ’। ଦ୍ୱିତୀୟ, ସମଗ୍ର ବିରୋଧୀ ଦଳକୁ ଏକାଠିକରି ନିର୍ବାଚନ ମଇଦାନକୁ ଓହ୍ଲାଇବା କାମଟି ମୁଖ୍ୟତଃ କଂଗ୍ରେସର। ବିଜେପି ର ବିକଳ୍ପ ଠିଆ କରିବାକୁ ହେଲେ ଆଞ୍ଚଳିକ ଦଳ ସହିତ ମଧ୍ୟ ବୁଝାମଣା କରିବାକୁ ହେବ।

ସତ କଥା କହିଲେ, ୨୦୧୯ ନିର୍ବାଚନରେ ଆଞ୍ଚଳିକ ଦଳମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଏହି ଖେଳରେ ଦୁଇଟି ଦଳ ପ୍ରଭାବଶାଳୀ ହେବେ – ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି। ଉତ୍ତରପ୍ରଦେଶରେ ଏହି ଦୁଇ ଦଳ ପରସ୍ପର ସହିତ ମିଶି ନିର୍ବାଚନ ଲଢ଼ିପାରନ୍ତି। ସେହିଭଳି ଆଉ ଏକ ସମ୍ଭାବ୍ୟ ମେଣ୍ଟ ହେଉଛି କଂଗ୍ରେସ ଓ ସିପିଏମ।

ସୁପ୍ରିମକୋର୍ଟରେ ବିଚାର ଅପେକ୍ଷାରେ ଥିବା ଦୁଇଟି ମାମଲା ଆଗାମୀ ଡିନର ରାଜନୀତିକୁ ପ୍ରଭାବିତ କରିବା ସ୍ପଷ୍ଟ। ବାବ୍ରି ମସଜିଦ ମାମଲା ଧାର୍ମିକ ବିଭାଜନକୁ ତୀବ୍ର କରିପାରେ। ସେହିଭଳି ଆଧାର କାର୍ଡ ପ୍ରସଙ୍ଗ ମଧ୍ୟ କେନ୍ଦ୍ର ସରକାରଙ୍କ କଲ୍ୟାଣ କାର୍ଯ୍ୟକ୍ରମ ଉପରେ ପ୍ରଭାବ ବିସ୍ତାର କରିପାରେ।
ନାଗାଲାଣ୍ଡ, ମେଘାଳୟ, ତ୍ରିପୁରା ଓ କର୍ଣ୍ଣାଟକ ବର୍ଷର ପ୍ରଥମ ପର୍ଯ୍ୟାୟରେ ନିର୍ବାଚନକୁ ଯିବେ। ବର୍ଷ ଶେଷ ଆଡକୁ ବାକି ତକ ରାଜ୍ୟ। ଏଥିଭିତରୁ ନାଗାଲାଣ୍ଡକୁ ଛାଡ଼ିଦେଲେ ବାକି ୩ ରାଜ୍ୟରେ ବିଜେପି କ୍ଷମତାରେ ଥିବା ସରକାରଗୁଡିକୁ ହଟାଇବା ପାଇଁ ଉଦ୍ୟମ କରିବ। ଅନ୍ୟ ୫ ରାଜ୍ୟରେ ବିଜେପି କ୍ଷମତା ଜାରି ରଖିବା ପାଇଁ ଉଦ୍ୟମ କରିବ।

ଗୁଜୁରାଟ ନିର୍ବାଚନର ଦୁଇଦିନ ପରେ ପ୍ରଧାନମନ୍ତ୍ରୀ ମୋଦି ମେଘାଳୟ ଯାଇ ବିଜେପିର ନିର୍ବାଚନ ବିଗୁଲ ଫୁଙ୍କିଥିଲେ। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ୟେଡୁ ୟେରାପ୍ପାଙ୍କ ଲୋକପ୍ରିୟତାକୁ ଦଳ ସମ୍ପତ୍ତି କରିବ। ବିଜେପି ପାଇଁ ପ୍ରକୃତ ପରୀକ୍ଷା ହେବ ତ୍ରିପୁରା। ଏଠି ୧୯୯୮ରୁ ସିପିଏମ ଶାସନରେ ରହିଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ଫଳାଫଳ କହିବ ୨୦୧୯ରେ ରାଜନୀତି କ’ଣ ହେବ।

୨୦୧୮ ବର୍ଷ ସାରା ବିଜେପି ତାହାର ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବାର ଉଦ୍ୟମ କରିବ। ଗତ ୪ ବର୍ଷ ଧରି ମୋଦି ସରକାର କ’ଣ କରିଛନ୍ତି ଓ ଢାଞ୍ଚାରେ ପରିବର୍ତ୍ତନ ସକାଶେ କଣ କରାଯାଇଛି ସେସବୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଚାହିଁବେ।
ଆଗାମୀ ବଜେଟଟି ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ଯେଉଁମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ଯଥା ଚାଷୀ ଓ ମଧ୍ୟବିତ୍ତ ଶ୍ରେଣୀ ସେମାନଙ୍କ ପାଇଁ ବେଶ୍ କିଛି ଘୋଷଣା ହେବ।

ସବୁଠାରୁ ବଡ଼ କଥା ହେବ ବିଜେପି ତାହାର ପ୍ରଭାବକୁ ଦୂରଦୂରାନ୍ତ ପର୍ଯ୍ୟନ୍ତ ନେବା ପାଇଁ ଚାହିଁବ। ଏହି ଦୃଷ୍ଟିରୁ ଦଳ ପାଇଁ ଗୁରୁତ୍ୱପୂର୍ଣ ରାଜ୍ୟ ହେଉଛି କେରଳ, ପଶ୍ଚିମବଙ୍ଗ, ତେଲେ ଙ୍ଗନା ଓ ନିଶ୍ଚିତ ଭାବରେ ଓଡ଼ିଶା।

କଂଗ୍ରେସ ଓ ରାହୁଲଙ୍କ ପାଇଁ ଏହି ବର୍ଷଟି ‘କର ବା ମର’ ଭଳି ପରିସ୍ଥିତି ସୃଷ୍ଟି କରିବ। ବୟସ୍କ ଓ ଯୁବଗୋଷ୍ଠୀ ଭିତରେ କିଭଳି ସନ୍ତୁଳନ ଆଣିପାରୁଛନ୍ତି ତାହାରି ଉପରେ କଂଗ୍ରେସର ଭବିଷ୍ୟତ ନିର୍ଦ୍ଧାରଣ କରିବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)

Comment