ଭାସ୍କର ପରିଚ୍ଛା

 

  • ଟ୍ରିବୁନାଲ ହିଁ ଏକମାତ୍ର ବିକଳ୍ପ: ନବୀନ
  • ଆଲୋଚନାର ବିକଳ୍ପ ନାହିଁ: ଧର୍ମେନ୍ଦ୍ର

ମହାନଦୀ ଜଳ ବିବାଦ ପୁଣି ଥରେ ବିବାଦରେ ଫସିଛି। କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ନିତିନ ଗଡ଼କରୀ ଛତିଶଗଡ଼ ସହିତ ପୁନର୍ବାର ଆଲୋଚନା ପାଇଁ ଓଡ଼ିଶା ସରକାରଙ୍କୁ ନିକଟରେ ଯେଉଁ ପତ୍ର ଲେଖିଥିଲେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଛି। ନିତିନ ଗଡ଼କରୀଙ୍କ ପତ୍ରରୁ ଦୁଇ ତିନିଟି କଥା ସ୍ପଷ୍ଟ: ଏକ,କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତି। ଦୁଇ, ଟ୍ରିବୁନାଲ ଗଠନର ଉଦେଶ୍ୟ ନାହିଁ ଏବଂ ତିନି, ଛତିଶଗଡ଼ ସରକାରଙ୍କୁ ପରୋକ୍ଷରେ ସାହାଯ୍ୟ କରିବା।

ମହାନଦୀ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଭଲ କଥାଟିଏ କହିଛନ୍ତି:କେନ୍ଦ୍ର ସରକାର ଓଡ଼ିଶାର ଲୋକଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ଯେତେବେଳେ ନିଜେ କେନ୍ଦ୍ର ସରକାର କହୁଛନ୍ତି ଯେ କଥାବାର୍ତ୍ତା ଫେଲ୍ ମାରିଛି, ପୁଣି ଥରେ ବୈଠକ ଅନୁଷ୍ଠିତ କରିବାର କୌଣସି ଅର୍ଥ ନାହିଁ। ଥରେ ନୁହେଁ ଦୁଇ ଥର କଥା ବାର୍ତ୍ତା ବିଫଳ ହେଲା। ଥରେ ମୁଖ୍ୟ ଶାସନ ସଚିବ ସ୍ତରରେ ଓ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ସ୍ତରରେ। ତା’ଛଡ଼ା ମାମଲାଟି ଯେତେବେଳେ ସୁପ୍ରିମକୋର୍ଟରେ ଓ ଜାତୀୟ ପରିବେଶ ଟ୍ରିବୁନାଲରେ ପହଞ୍ଚଲାଣି ଏବେ ଆଉ କୌଣସି ରାଜନୈତିକ ସମାଧାନ ନିମନ୍ତେ ଅବକାଶ ନାହିଁ।

ସତ କଥା କହିଲେ, ମହାନଦୀ ବିବାଦ ନେଇ ଅନେକ ମୂଲ୍ୟବାନ ସମୟ ନଷ୍ଟ ହୋଇଛି। ଦୁଇ ରାଜ୍ୟ ସରକାର ଯେଉଁଭଳି ମୁହାଁମୁହିଁ ପରିସ୍ଥିତିକୁ ଆସିଲେଣି ପରସ୍ପର ମଧ୍ୟରେ ଆଲୋଚନାରେ ବସିବା ଏକଦମ ଅସମ୍ଭବ।

ମହାନଦୀ ବିବାଦରେ କିପରି କେନ୍ଦ୍ର ସରକାର ନିଜ କଥାକୁ ମାନୁ ନାହାନ୍ତି ତା’ର ଉଦାହରଣ ହେଉଛି ପୂର୍ବତନ କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲିଆନଙ୍କ ରାଜ୍ୟସଭା ବିବୃତି। ସେ ଗୃହକୁ କହିଥିଲେ ଯେ ଉଭୟ ରାଜ୍ୟ ସରକାରଙ୍କ ଭିତରେ କଥାବାର୍ତ୍ତା ବିଫଳ ହୋଇଥିବା ହେତୁରୁ ଏକ ଟ୍ରିବୁନାଲ ଗଠନ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଓ କ୍ୟାବିନେଟର ଅନୁମୋଦନ ପାଇଁ ଚିଠା ବିଲ୍‌ ତିଆରି କରାଯାଇଛି।

ବର୍ତ୍ତମାନ ଗଡ଼କରୀ କହୁଛନ୍ତି ‍ଆଲୋଚନା ଜରିଆରେ ବିବାଦର ସମାଧାନ କର। ଏଣୁ, ଦେଖିବାକୁ ଗଲେ ମହାନଦୀ ବିବାଦ ଏକ ପିଙ୍ଗପଙ୍ଗ ଖେଳ ଭଳି ହୋଇଛି: ଇଏ ତା’ କୋର୍ଟକୁ ବଲ ଫୋଫାଡୁଚି ତ ସିଏ ୟା କୋର୍ଟକୁ।

ଟ୍ରିବୁନାଲ ଗଠନ ନେଇ କେନ୍ଦ୍ର ସରକାରଙ୍କ କାଳକ୍ଷେପଣ ପଛରେ ଗୋଟିଏ ବଡ଼ କାରଣ ହେଉଛି ଛତିଶଗଡ଼ ସରକାରଙ୍କୁ ସୁଯୋଗ ଦେବା ଯାହାଫଳରେ ମହାନଦୀ ଉପରେ ଯେତେ ସବୁ ବ୍ୟାରେଜ୍ ତିଆରି ହେଉଛି ସେଗୁଡିକ ଶୀଘ୍ରଶୀଘ୍ର ଶେଷ ହୋଇ ଯାଇପାରିବ। ଆଗକୁ ଛତିଶଗଡ଼ ବିଧାନସଭା ନିର୍ବାଚନ ଥିବା ହେତୁରୁ ମହାନଦୀ ପାଣିରୁ ଯେତେ ଫାଇଦା ଉଠାଇହେବ ତାହା କରିବାକୁ ରମଣ ସିଂ ସରକାର ବଦ୍ଧପରିକର।

ଓଡ଼ିଶା ସରକାରଙ୍କ ଯୁକ୍ତି ହେଉଛି ଯଦି ଏହି ବିବାଦର ରାଜନୈତିକ ସମାଧାନ କରିବା ପାଇଁ କେନ୍ଦ୍ର ଓ ଛତିଶଗଡ଼ ଇଛୁକ ତେବେ ସେଠାକାର ସବୁ ନିର୍ମାଣ କାର୍ଯ୍ୟ ବନ୍ଦ ହେବା ଦରକାର। ଏହି ଯୁକ୍ତିଟି ଯଥାର୍ଥ ମଧ୍ୟ। ବର୍ତ୍ତମାନ ଯାହା ଦେଖାଯାଉଛି କେନ୍ଦ୍ର ଟ୍ରିବୁନାଲ ଗଠନ ଚାହୁଁନାହିଁ କିମ୍ବା ବିଳମ୍ବ ଚାହୁଁଛି। ଏ ସଂକ୍ରାନ୍ତରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୁକ୍ତି ହେଉଛି ଯେ ଟ୍ରିବୁନାଲ ଦ୍ୱାରା କୌଣସି ଫାଇଦା ହେବ ନାହିଁ କାରଣ ଏହାର ଫଇସଲା ଆସିବା ବେଳକୁ ଢେର ବର୍ଷ ଅତିବାହିତ ହୋଇଯାଇଥିବ। ଧର୍ମେନ୍ଦ୍ରଙ୍କ ଯୁକ୍ତି ଅମୂଳକ ନୁହେଁ। କିନ୍ତୁ ମହଜୁଦ ପରିସ୍ଥିତିରେ ଏକ ନ୍ୟାୟିକ ସମାଧାନ ହିଁ ଆଖିରେ ପଡୁଛି। ବିଜେପି-ବିଜେଡି ମହାନଦୀ ବିବାଦକୁ ନିର୍ବାଚନ ପର୍ଯ୍ୟନ୍ତ ଟାଣିନେବେ ଏହା ସ୍ପଷ୍ଟ।

ମୋଟାମୋଟି ଭାବେ କହିଲେ ,ଯଦି କେନ୍ଦ୍ର ଏହି ପ୍ରସଙ୍ଗରେ ପକ୍ଷପାତିତା ନ କରି ଓଡ଼ିଶାର ଦାବି ପ୍ରତି ସାମାନ୍ୟ ଦୃଷ୍ଟି ଦିଅନ୍ତେ ହୁଏତ କିଛି ରାଜନୈତିକ ହସ୍ତକ୍ଷେପ କାମ ଦିଅନ୍ତା। ମହାନଦୀ ବିବାଦରେ ଛତିଶଗଡ଼ ବର୍ଷ ବର୍ଷ ଧରି ସବୁ ସୁବିଧା ସୁଯୋଗ ନେଇ ଚାଲିଥିବା ବେଳେ ଓଡ଼ିଶା ସରକାର କେବଳ ମୁଣ୍ଡ ପିଟୁଛନ୍ତି।

ମହାନଦୀ ଜଳବିବାଦରେ କେନ୍ଦ୍ର ସରକାର ବୈମାତୃକ ଭାଵ ପୋଷଣ କରୁଥିବା ବେଳେ ସଂଘୀୟ ବ୍ୟବସ୍ଥାରେ ଯେଉଁ ନିରପେକ୍ଷତା ଅବଲମ୍ବନ କରିବା କଥା ସେଥିରେ ବିଫଳ ହୋଇଛନ୍ତି – ଏହି ଦୃଢ ମତଟି ଓଡ଼ିଶାରେ ବିଭିନ୍ନ ମହଲରୁ ଆସୁଛି, କେବଳ ବିଜେପିର ଓଡ଼ିଶା ନେତାଙ୍କୁ ଛାଡ଼ି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)

Comment