ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୧୫ ତାରିଖରେ ତିରୁବନନ୍ତପୁରମ୍‌ ବେଳାଭୂମିରେ ଶ୍ରଦ୍ଧାଞ୍ଜଳି
  • ୧୬ ତାରିଖରେ ଚେନ୍ନାଇର ପ୍ରସିଦ୍ଧ ମେରିନା ବିଚ୍‌ରେ ନିର୍ମାଣ ହେବ ବାଲୁକା କଳା

ପୁରୀ ଏବଂ ବିଶାଖାପାଟଣା ପରେ ଏବେ ଦେଶର ଆଉ ତିନୋଟି ପ୍ରମୁଖ ବେଳାଭୂମିରେ ତାମିଲ୍ ସାହିତ୍ୟର ମହାକବି ତିରୁଭଲ୍ଲୁଭରଙ୍କୁ ବାଲୁକା ଶ୍ରଦ୍ଧାଞ୍ଜଳି ଦେବେ ସୁଦର୍ଶନ।

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଗାମୀ ୧୫ ତାରିଖରେ କେରଳର ରାଜଧାନୀ ତିରୁବନନ୍ତପୁରମ୍‌ର ଲୋକପ୍ରିୟ ବେଳାଭୂମିରେ ତିରୁଭଲ୍ଲୁଭରଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇବେ। ଏହି ଲୋକପ୍ରିୟ ତାମିଲ୍‌ କବିଙ୍କ ତିରୁକୁରାଳ ଯେ ଏକ କାଳଜୟୀ ସୃଷ୍ଟି ନିଜ ବାଲୁକା କଳା ମାଧ୍ୟମରେ ସୁଦର୍ଶନ ଏହା ଉପସ୍ଥାପନ କରିବାକୁ ଯାଉଛନ୍ତି।

ଆଗାମୀ ୧୬ ତାରିଖରେ ସେ ଚେନ୍ନାଇର ପ୍ରସିଦ୍ଧ ମେରିନା ବିଚ୍‌ରେ ନିର୍ମାଣ କରିବେ ବାଲୁକା କଳା, ଯାହାକି ଏହି ମହାକବିଙ୍କ ପାଇଁ ଏକ ସର୍ଜନାତ୍ମକ ଶ୍ରଦ୍ଧାଞ୍ଜଳି ହେବ। ଚେନ୍ନାଇ ପରେ ଗୋଆ ବେଳାଭୂମିରେ ସୁଦର୍ଶନ ତିରୁଭଲ୍ଲୁଭର ଓ ତାଙ୍କର କାଳଜୟୀ ସାହିତ୍ୟର ସମକାଳୀନ ଗୁରୁତ୍ୱକୁ ନେଇ ବାଲୁକା ବାର୍ତ୍ତା ପ୍ରଦାନ କରିବେ।

ତିରୁବନନ୍ତପୁରମ୍ ଗସ୍ତ ପୂର୍ବରୁ ଓଡ଼ିଶାଲାଇଭ୍‌କୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, “ଏଭଳି ଜଣେ ସାର୍ବଜନୀନ ମହାମନିଷୀଙ୍କୁ ମୁଁ ମୋର କଳା ମାଧ୍ୟମରେ ଉପସ୍ଥାପନ କରିବାକୁ ଚେଷ୍ଟା କରୁଛି। ପୁରୀ ଏବଂ ବିଶାଖାପାଟଣା ବେଳଭୂମିରେ ମୋର ବାଲୁକା କଳାକୁ ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି। ବିଶେଷକରି ତିରୁଭଲ୍ଲୁଭରଙ୍କ ସାହିତ୍ୟ ଓ ଦର୍ଶନ ସହିତ ପରିଚିତ ଲୋକେ ଏହାକୁ ଅତ୍ୟନ୍ତ ଆଦର କରୁଥିବାରୁ ମୁଁ ଖୁସି।”

ଆଜିଠାରୁ ୨୦୦୦ ବର୍ଷରୁ ଅଧିକ ସମୟ ତଳେ ତାମିଲ୍ ସାହିତ୍ୟର ମହାକବି ତିରୁଭଲ୍ଲୁଭର ଲେଖିଥିଲେ ‘ତିରୁକୁରାଳ’। ଏହା ପ୍ରେମ, ଶାନ୍ତି, ମାନବତା, ବିଶ୍ଵଭ୍ରାତୃତ୍ବ ଏବଂ ସଦଭାବନାର କଥା କହେ। ଏହି ମହାକାବ୍ୟରେ ରହିଛି ୧୩୩ଟି ଅଧ୍ୟାୟ ଏବଂ ପ୍ରତ୍ୟେକଟି ଅଧ୍ୟାୟ ୧୦ଟି ପଦ ସମ୍ବଳିତ। ତିରୁକୁରାଳ ସାହିତ୍ୟ ମୁଖ୍ୟତଃ ତିନୋଟି ଭାଗରେ ବିଭକ୍ତ। ତାହା ହେଉଛି ଆଦର୍ଶ, ଅର୍ଥନୀତି ଏବଂ ପ୍ରେମ। ଏହାକୁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ସାହିତ୍ୟ ଭାବେ ଉପସ୍ଥାପନ କରିବା ସହ ଆଜି ହଜାର ହଜାର ତିରୁଭଲ୍ଲୁଭରପ୍ରେମୀ ସାରା ପୃଥିବୀରେ ଏହାର ପ୍ରଚାର-ପ୍ରସାର ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଆଜି ପ୍ରାୟ ୧୧୭ରୁ ଅଧିକ ଭାଷାରେ ଏହି ସାହିତ୍ୟର ଅନୁବାଦ ହୋଇଛି।

ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଥିବା ତାମିଲ୍ ସଙ୍ଗମ ବା ସଙ୍ଗଠନଗୁଡ଼ିକ ‘ତିରୁକୁରାଳ ବିୟଣ୍ଡ ବାଉଣ୍ଡରିଜ୍’ ଏବଂ ‘ତିରୁଭଲ୍ଲୁଭର୍‌ ଫର୍‌ ଏଭର୍‌’ ସ୍ଲୋଗାନର ପ୍ରଚାର କରିବା ସହ ସାରା ପୃଥିବୀରେ ଏହା ମହାମନିଷୀଙ୍କ ଆଦର୍ଶକୁ ବାଣ୍ଟିବା ପାଇଁ କାମ କରୁଛନ୍ତି। ବାଲୁକା କଳା ମାଧ୍ୟମରେ ଏହି ମହାକବିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହି ସଙ୍ଗଠନଗୁଡ଼ିକ ଆଗେଇ ଆସିଛନ୍ତି।

କୌଣସି ଏକକ ବିଷୟରେ ଲଗାତାର ଭାବେ ଏକାଧିକ ସ୍ଥାନରେ ବାଲୁକା କଳା ପ୍ରଦର୍ଶନ କରିବା କ୍ଷେତ୍ରରେ ଏହା ତାଙ୍କର ପ୍ରଥମ ଏବଂ ଅଭିନବ କାର୍ଯ୍ୟକ୍ରମ ବୋଲି କହିଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

Comment