ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟର ଅନ୍ୟ ୪ ଜଣ ବିଚାରପତିଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଦେଶର ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ଅଭିଯୋଗ କେନ୍ଦ୍ର ସରକାରରେ ହଲଚଲ ସୃଷ୍ଟି କରିଛି। ବିଶେଷକରି ଦେଶର ନ୍ୟାୟପାଳିକାରେ ଏହା ଦ୍ୱାରା ଏକ ବଡ଼ ଧରଣର ସୁନାମୀ ସୃଷ୍ଟି ହୋଇଛି। ନ୍ୟାୟପାଳିକାର ଭାବମୂର୍ତ୍ତି ଓ କାର୍ଯ୍ୟ ଢାଞ୍ଚା ଏବେ କାଠଗଡ଼ାରେ।

ଖବର ଆସୁଛି ଯେ, ବିଚାରପତିମାନେ ସାମ୍ବାଦିକ ସମ୍ମିଳନୀରେ ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଗଣମାଧ୍ୟମରେ ପ୍ରଘଟିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସହ ଫୋନରେ କଥା ହୋଇଥିଲେ। ଅବଶ୍ୟ ଏହି ଘଟଣା ସମ୍ପର୍କରେ ଏଯାଏଁ କୌଣସି ସରକାରୀ ବିବୃତି ଆସିନାହିଁ। ମିଡିଆ ରିପୋର୍ଟ ଅନୁସାରେ ସରକାରଙ୍କ ମତ ହେଉଛି, ଏହି ମାମଲାରେ ଦଖଲ ଦେବା ଠିକ୍ ହେବ ନାହିଁ। ଦିଲ୍ଲୀରେ ତୁଙ୍ଗ ମହଲରେ ବିଚାର ବିମର୍ଷ ପରେ ଏହି ମତ ପ୍ରକାଶ ପାଇଛି ଯେ, ଏହା ନ୍ୟାୟପାଳିକାର ଆଭ୍ୟନ୍ତରୀଣ ବ୍ୟାପାର ଓ ସରକାରଙ୍କ ଏଥିରେ କିଛି କରିବାର ନାହିଁ।

ତେଣେ ଜଷ୍ଟିସ ଦୀପକ ମିଶ୍ର ଏହି  ପୂରା ମାମଲାରେ ଆଟର୍ଣ୍ଣି ଜେନେରାଲ କେ କେ ବେଣୁ ଗୋପାଳଙ୍କ ସହ ଆଲୋଚନା କରିଛନ୍ତି। ଇତି ମଧ୍ୟରେ ବିଜେପିର ରାଜ୍ୟ ସଭା ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ କହିଛନ୍ତି ଯେ, ମିଡିଆ ସମ୍ମୁଖରେ ଚାରି ଜଣ ବିଚାରପତି ନିଜ କ୍ଷୋଭ ପ୍ରକାଶ କରିବା ପରେ ସମଗ୍ର ମାମଲାଟି ଚିନ୍ତାର କାରଣ ହୋଇଛି।

ସୁବ୍ରମଣ୍ୟମ୍ ସ୍ୱାମୀ କହିଛନ୍ତି ଯେ, ବିଚାରପତିମାନେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ ସେମାନଙ୍କ ମଧ୍ୟରେ ବିବାଦ ଓ ମତଭେଦ ରହିଛି। ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ହସ୍ତକ୍ଷେପ କରିବା ଦରକାର। ମିଡିଆ ସାମ୍ନାରେ ଅଭିଯୋଗ ଆଣିଥିବା ଜଜ୍ ଜଣେ ଜଣେ ବୁଦ୍ଧିଜିବୀ ଏଣୁ ସେମାନଙ୍କ କଥାକୁ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ସ୍ୱାମୀ କହିଛନ୍ତି।

Comment