ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ କୃଷି ଆଇନକୁ ବିରୋଧ କରି ଦେଶରେ ଚାଲିଥିବା ଆନ୍ଦୋଳନ ଏବେ ନୂଆ ରୂପ ନେବାକୁ ଯାଉଛି। ସଂସଦର ମୌସୁମୀ ଅଧିବେଶନ ଚାଲିଥିବାବେଳେ କୃଷକମାନେ ଗୁରୁବାରଠାରୁ ସଂସଦ ଭବନ ଆଗରେ ‘କିଷାନ ସଂସଦ’ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ବିଭିନ୍ନ ସ୍ଥାନରୁ ବସ୍ ଯୋଗେ କୃଷକମାନେ ଆସି ଜନ୍ତର-ମନ୍ତରଠାରେ ପହଞ୍ଚିଛନ୍ତି। ସଂସଦ ଭବନ ଘେରାଉ କରିବାର କୌଣସି ଉଦ୍ଦେଶ୍ୟ ସେମାନଙ୍କର ନାହିଁ ବୋଲି ଭାରତୀୟ କିଷାନ ମୋର୍ଚ୍ଚା ପକ୍ଷରୁ ସ୍ପଷ୍ଟ କରାଯାଇଛି।

କୃଷି ଆଇନ ବିରୋଧରେ ଚାଷୀମାନେ ଦିଲ୍ଲୀର ଜନ୍ତରମନ୍ତରଠାରେ ‘କିଷାନ ସଂସଦ’ ବା ବିକ୍ଷୋଭ ପ୍ରଦର୍ଶନ କରିବେ। ଏଥିପାଇଁ ଦିଲ୍ଲୀ ସରକାର ଅରବିନ୍ଦ କେଜ୍ରିୱାଲଙ୍କ ଅନୁମତି ପରେ କୋଭିଡ ପ୍ରୋଟକଲ ଅନୁଯାୟୀ କୃଷକମାନେ ଶାନ୍ତିପୂର୍ଣ୍ଣ ଭାବେ କିଷାନ ପଞ୍ଚାୟତ  ଆୟୋଜିତ କରିବାକୁ ଯାଉଛନ୍ତି।କୃଷକ ସଂଘର ଗଣମାଧ୍ୟମ ପ୍ରଭାରୀ ଧର୍ମେନ୍ଦ୍ର ମଲ୍ଲିକଙ୍କ କହିବା ଅନୁସାରେ ଦ୍ଵିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା କିଷାନ ସଂସଦ ପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଏଥିରେ ସାମିଲ ହେବା ପାଇଁ ସମଗ୍ର ଦେଶର ୨୦୦ଟି କୃଷକ ସଙ୍ଗଠନ ଚିହ୍ନଟ କରାଯାଇଛି। ଦୈନିକ ପ୍ରତି ସଂଗଠନର ୫ ଜଣ ଲେଖାଏଁ କୃଷକ ଏହି ସଂସଦରେ ଯୋଗ ଦେବେ। ଏହି କିଷାନ ସଂସଦରେ ଯୋଗ ଦେବାକୁ ଥିବା କୃଷକମାନଙ୍କ ପାଖରେ ଆଧାର କାର୍ଡ ରହିବ। ଏହାସହ ଭାରତୀୟ କିଷାନ ୟୁନିୟନ ପକ୍ଷରୁ ସେମାନଙ୍କୁ ପରିଚୟପତ୍ର ଦିଆଯିବ। ସଂସଦ ଚାଲୁଥିବା ପର୍ଯ୍ୟନ୍ତ ମହାପଞ୍ଚାୟତ ବସିବ ବୋଲି କହିଛନ୍ତି ଧର୍ମନ୍ଦ୍ରେ ମଲ୍ଲିକ।

ସେହିପରି ଭାରତୀୟ କିଷାନ ୟୁନିଅନର ନେତା ରାକେଶ ଟିକାୟତ କହିଛନ୍ତି, “କେନ୍ଦ୍ର ସରକାର କୃଷି ବିଲ ଫେରାଇ ନନେବା ପର୍ଯ୍ୟନ୍ତ କୃଷକଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହେବାର ପ୍ରଶ୍ନ ଉଠୁନାହିଁ। ମୋଟାମୋଟି ଭାବେ କହିଲେ ଏହା ପୁଣିଥରେ ଏକ ମୁହାଁମୁହିଁ ସ୍ଥିତି ସୃଷ୍ଟି କରିବ।”ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ନୂଆ କୃଷିନୀତି ଓ ଏ ସମ୍ବନ୍ଧିତ ତିନୋଟି ବିଲକୁ କୃଷକ ସଙ୍ଗଠନମାନେ ବିରୋଧ କରି ୨୦୨୦ ବର୍ଷ ନଭମ୍ବର ୨୬ତାରିଖରୁ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ୮ମାସ ମଧ୍ୟରେ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ସହ ଅନେକ ଥର ବୈଠକ ହୋଇଥିଲେ ବି କିଛି ସୁଫଳ ମିଳିପାରିନାହିଁ।

ନିକଟରେ ଏନେଇ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଥିଲେ, “ଏହି ପ୍ରସଙ୍ଗରେ ଚାଷୀମାନଙ୍କ ସହ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ତେବେ କୃଷକମାନେ ପ୍ରଥମେ ଆନ୍ଦୋଳନକୁ ବନ୍ଦ କରିବା ଦରକାର ଓ କଥାବାର୍ତ୍ତା ପାଇଁ ଆଗେଇ ଆସିବା ଦରକାର। କେନ୍ଦ୍ର ସରକାରଙ୍କ କହିବା କଥା ଯେ, ଏହି ତିନୋଟି ବିଲ କୃଷକମାନଙ୍କ ଜୀବିକା ଓ ରୋଜଗାରରେ ବ୍ୟାପକ ପରିବର୍ତ୍ତନ ଆଣିବ। ତେବେ ଉଭୟ ପକ୍ଷ ନିଜ ନିଜ ନିଷ୍ପତ୍ତିରେ ଅଟଳ ରହୁଥିବା କାରଣରୁ ଏତେ ଶୀଘ୍ର ଏହି ଆନ୍ଦୋଳନ ପ୍ରତ୍ୟାହୃତ ହେବାର ସମ୍ଭାବନା ଦେଖା ଯାଉନାହିଁ। ଅଧିକନ୍ତୁ, ଏହି ଆନ୍ଦୋଳନ ଏବେ ରାଜନୈତିକ ରୂପ ନେଇସାରିଛି ଯାହା ଫଳରେ ପ୍ରକୃତ ସମସ୍ୟାଟିକୁ କେହି ସାମ୍ନାକୁ ଆଣିବାକୁ ଚାହୁଁନାହାନ୍ତି।”ଅନ୍ୟପକ୍ଷରେ ଅଗଷ୍ଟ ୧୩ତାରିଖ ଯାଏଁ ସଂସଦର ମୌସୁମୀ ଅଧିବେଶନ ଚାଲିବାକୁ ଥିବାବେଳେ, କିଷାନ ସଂସଦ ମଧ୍ୟ ସେହି ସମୟ ପର୍ଯ୍ୟନ୍ତ ଚାଲିବ। ସକାଳ ୧୧ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିବ। ଏହି ସଂସଦର ଜଣେ ବାଚସ୍ପତି ଓ ଆଉ ଜଣେ ଉପ ବାଚସ୍ପତି ରହିବେ। ଚା’ ବିରତି ହେବ। ପୋଲିସ ଯଦି ସେମାନଙ୍କୁ ଅଟକାଇବ, ତା’ହେଲେ ସେମାନେ ବିନା କୌଣସି ବାଧାରେ ନିଜକୁ ପୋଲିସ୍‌ ହାତରେ ଗିରଫ କରାଇବେ ବୋଲି କୃଷକମାନେ ନିଷ୍ପତ୍ତି ନେଇଛନ୍ତି।

Comment