ଓଡ଼ିଶାଲାଇଭ୍‌ ବ୍ୟୁରୋ

 

  • ଟୁଇଟର୍‌ରେ ବୈଜୟନ୍ତଙ୍କ ପ୍ରଶ୍ନ
  • ମାହାଙ୍ଗାରେ କାହିଁକି ୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା?
  • ମାହାଙ୍ଗାରେ ସେ କ’ଣ ବିଶୃଙ୍ଖଳା ସୃଷ୍ଟି କରୁଥିଲେ କି?
  • ମୁଁ କ’ଣ ଶୃଙ୍ଖଳା ଚାହୁଁ ନଥିଲି କି?
  • ପୁଣି ତର୍ଜମା କରିବାକୁ ବିଜେଡି ସଭାପତିଙ୍କୁ ଅନୁରୋଧ କଲେ ସାଂସଦ

ତୃତୀୟ ମହଲା ଅଫିସରଙ୍କକୁ ନେଇ ବିବାଦ ତେଜୁଛି। ସାଂସଦ ବୈଜୟନ୍ତ ପଣ୍ଡାଙ୍କ ମନ୍ତବ୍ୟ ଉପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବିବୃତି ରଖିବା ପରେ ବି ଏହି ଚର୍ଚ୍ଚା ଥମିନି। ଟୁଇଟର୍‌ ଏବଂ ଫେସ୍‌ବୁକ୍‌ରେ ନବୀନଙ୍କ ବିବୃତିର ଜବାବ ରଖିଛନ୍ତି କେନ୍ଦ୍ରାପଡ଼ା ସାଂସଦ। କହିଛନ୍ତି, ସଭାପତିଙ୍କ ବିବୃତି ମୋତେ ମର୍ମାହତ କରିଛି।

ଶୁକ୍ରବାର ପୂର୍ବାହ୍ନରେ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଥିଲେ, “ଯେତେବେଳେ ସେମାନଙ୍କ ପାଖରେ ଆଉ କୌଣସି ପ୍ରସଙ୍ଗ ନଥାଏ ସେମାନେ ମୋ ଅଫିସକୁ ଟାର୍ଗେଟ କରନ୍ତି। ଏହା କିଛି ନୂଆ କଥା ନୁହେଁ। ତେବେ ଠିକଣା ସମୟରେ ସେମାନଙ୍କ କଥାର ଉଚିତ ଜବାବ ଦିଆଯିବ।”

ନବୀନଙ୍କ ଏହି ମନ୍ତବ୍ୟ ଉପରେ ବୈଜୟନ୍ତ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଏଭଳି ମନ୍ତବ୍ୟ ମୋତେ ମର୍ମାହତ କରିଛି। ବିଜୁବାବୁ ଯେତେବେଳେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଥିଲେ ସେତେବେଳ କ’ଣ ତାଙ୍କ ପଛରେ ଅନ୍ୟ କିଛି ଇସ୍ୟୁ ନଥିଲା?”

ମାହାଙ୍ଗା ପ୍ରସଙ୍ଗକୁ ଆଖି ଆଗରେ ରଖି ବୈଜୟନ୍ତ ଆହୁରି କହିଛନ୍ତି ଯେ, ଯଦି କିଛି ଇସ୍ୟୁ ନଥିଲା, ତାହାଲେ ମାହାଙ୍ଗାରେ କାହିଁକି ୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା? ମାହାଙ୍ଗାରେ ସେ କ’ଣ ବିଶୃଙ୍ଖଳା ସୃଷ୍ଟି କରୁଥିଲେ କି? ମୁଁ କ’ଣ ଶୃଙ୍ଖଳା ଚାହୁଁ ନଥିଲି କି? ଏହି ଘଟଣାରେ ପୁଣିଥରେ ତର୍ଜମା କରିବାକୁ ସେ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି।

ଖାଲି ସେତିକି ନୁହେଁ, ବୈଜୟନ୍ତ ଫେସ୍‌ବୁକ୍‌ ପୋଷ୍ଟରେ ପୁଣି ଅଫିସରଙ୍କ ଉପରେ ବର୍ଷିଛନ୍ତି।

“ମାହାଙ୍ଗାରେ ମୁଁ ଯେଉଁ ମନ୍ତବ୍ୟ ଦେଇଛି ସେଥିରେ କ’ଣ ସତ୍ୟତା ନାହିଁ କି? ଅଫିସରମାନେ ଦୁର୍ନୀତି, ଗୁଣ୍ଡାଗିରି, ଅପରାଧୀଙ୍କୁ ସୁରକ୍ଷା ଦେବାରେ ପ୍ରୋତ୍ସାହନ ଏବଂ ରାଜନୀତିରେ ହସ୍ତକ୍ଷେପ କରୁଥିବା ଓଡ଼ିଶାର ପିଲାମାନେ ବି ଜାଣିଛନ୍ତି। ମୁଁ ଯେଉଁ ନେତାଙ୍କୁ ଦୁଇ ଦଶନ୍ଧି ଧରି ସମର୍ଥନ ଏବଂ ପ୍ରଶଂସା କରି ଆସୁଥିଲି ସେ ଏଭଳି ବିବୃତି ଦେବା ମୋତେ ମର୍ମାହତ କରିଛି। ଆଶା କରିବି ସେ ତାଙ୍କ ମନ୍ତବ୍ୟ ଏବଂ ବିଭିନ୍ନ ଘଟଣା ଉପରେ ତର୍ଜମା କରିବେ।”

ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳୋରେ ଗୁରୁବାର ଦିନ ପାଣିଟାଙ୍କି ଉଦ୍‌ଘାଟନ କରିବା ପରେ ବୈଜୟନ୍ତ ଅଫିସରଙ୍କ ଉପରେ ବର୍ଷିଥିଲେ। କହିଥିଲେ, “ଅଫିସରମାନେ ଟପୁଛନ୍ତି ଲକ୍ଷ୍ମଣରେଖା। ନିଜ ସର୍ଭିସ ନିୟମକୁ ଭୁଲିଯାଇ ଦଳୀୟ କାର୍ଯ୍ୟକ୍ରମରେ ହାତ ମାରୁଛନ୍ତି। ଯେଉଁମାନେ ଜନବିରୋଧୀ କାମ କରନ୍ତି ସେମାନଙ୍କୁ ଏହି ଅଫିସରମାନେ ଆଶ୍ରୟ ଦିଅନ୍ତି। ସେଭଳି ଅଫିସରଙ୍କୁ ସମ୍ମାନ ଦେବା କିଛି ଆବଶ୍ୟକ ନାହିଁ ବୋଲି କହିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ସେଭଳି ଅଫିସରଙ୍କୁ କିଭଳି ବ୍ୟବହାର କରାଯିବା ଦରକାର ତାହା ନିଜେ ବିଜୁବାବୁ ଜନସାଧାରଣଙ୍କୁ ଅତୀତରେ କହିଥିଲେ।”

LEAVE A REPLY

Please enter your comment!
Please enter your name here