ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆଇଏଏସ୍‌ ସ୍ତରରେ ମଙ୍ଗଳବାର ଛୋଟଧରଣର ଅଦଳବଦଳ ହୋଇଛି। ରାଜ୍ୟ ସରକାର ଝାରସୁଗୁଡ଼ାର ପୂର୍ବତନ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ବିଭାଗର ନୂଆ ନିର୍ଦେଶକ ଭାବେ ନିଯୁକ୍ତ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସରୋଜ କୁମାର ସାମଲ ସୂଚନା ଓ ଲୋକସମ୍ପର୍କ ବିଭାଗରେ ନିର୍ଦେଶକ ଭାବେ ଇନ୍ଦ୍ରମଣୀ ତ୍ରିପାଠୀଙ୍କ ସ୍ଥାନରେ ଦାୟିତ୍ଵ ଗ୍ରହଣ କରିବେ। ଏଥିସହ ଓଡ଼ିଶା ସରକାର ଏବେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦେଶକ ପଦବୀକୁ ଯୁଗ୍ମ ସଚିବ ପାହ୍ୟା ସହିତ ସମାନ ବୋଲି ଘୋଷଣା କରିଛନ୍ତି।

ଅନ୍ୟପଟେ ୨୦୧୧ ବ୍ୟାଚର ଆଇଏଏସ୍‌ ଅଧିକାରୀ ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ଏଥିସହ ସେ ପୂର୍ବ ଭଳି ରାଜ୍ୟ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଅତିରିକ୍ତ ଦୟିତ୍ଵ ବହନ କରିବେ।

ସରୋଜ କୁମାର ସାମଲ ୨୦୧୨ ବ୍ୟାଚର ଆଇଏଏସ୍‌ ଅଧିକାରୀ। ସେ ପୂର୍ବରୁ ଝାରସୁଗୁଡ଼ାର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପୂର୍ବରୁ ଗତ ଏପ୍ରିଲ ମାସ ୬ ତାରିଖରେ ବଦଳି ହୋଇଥିଲା। ତାଙ୍କ ସ୍ଥାନରେ ସୋନପୁରର ପୂର୍ବତନ ଜିଲ୍ଲାପାଳ ଆବୋଲି ସୁନୀଲ ନରଭଣେଙ୍କୁ ନିଯୁକ୍ତ କରଯାଇଥିଲା।

Tags: #SarojKumarSamal #Director #I&PRDept #IASOfficer #Odisha

Comment