ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା। ରବିବାର ଦିନ ଅନନ୍ୟା ଦାସଙ୍କ ସମ୍ବଲପୁରସ୍ଥିତ ବାସଭବନରେ ନିର୍ବନ୍ଧ ଶେଷ ହୋଇଛି। ଆସନ୍ତା ୩ ମାସ ମଧ୍ୟରେ ଉଭୟଙ୍କର ବିବାହ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି।

ନିର୍ବନ୍ଧ କାର୍ଯ୍ୟରେ ପରିବାର, ସମ୍ପର୍କୀୟ ଏବଂ ହାତଗଣତି କିଛି ଅଧିକାରୀ ଯୋଗ ଦେଇଥିଲେ। ଅନନ୍ୟା ଦାସ ଏବଂ ଚଞ୍ଚଳ ରାଣାଙ୍କ ନିର୍ବନ୍ଧ ବେଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦୁଇ ପ୍ରଶାସନିକ ଅଧିକାରୀଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଛି।

ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ୨୦୧୩ ବ୍ୟାଚର ଆଇଏଏସ ଅଧିକାରୀ ହୋଇଥିବାବେଳେ ଅନନ୍ୟା ଦାସ ୨୦୧୮ ବ୍ୟାଚର ଆଇଏଏସ ଅଧିକାରୀ। ଚଞ୍ଚଳ ରାଣାଙ୍କ ଘର ଅନୁଗୁଳ ଜିଲ୍ଲାରେ ହୋଇଥିବାବେଳେ ଅନନ୍ୟା ଦାସ ହେଉଛନ୍ତି ଆସାମର ମୂଳ ବାସିନ୍ଦା।

ଏନ୍ଆଇଟି ସିଲଚେରରୁ ବିଟେକ୍ ଡିଗ୍ରୀ ହାସଲ କରିଥିବା ଚଞ୍ଚଳ ରାଣା ୟୁପିଏସସିରେ ଟପ୍ପର ହୋଇଥିଲେ। ବଲାଙ୍ଗୀର ପୂର୍ବରୁ ସେ କୁଚିଣ୍ଡା ଉପଜିଲ୍ଲାପାଳ ଭାବେ କାମ କରୁଥିଲେ। ୟୁପିଏସସିର ସର୍ବଭାରତୀୟ ସ୍ତରରେ ୧୬ତମ ରାଙ୍କ ପାଇଥିବା ଅନନ୍ୟା ଦାସ ପୂର୍ବରୁ କଟକ ମହାନଗର ନିଗମର କମିଶନର ଦାୟିତ୍ୱ ତୁଲାଇ ଥିଲେ।

Tags: #SambalpurCollector #SambalpurCollector #AnanyaDas #ChanchalRana #IASOfficer

Comment