ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶାଖାପାଟଣାର ଶ୍ରୀ ଚୈତନ୍ୟ କଲେଜରେ ପଢ଼ୁଥିବା ସମ୍ବଲପୁରର ଛାତ୍ର ଶ୍ରୋୟାସ୍ କେଶରଓ୍ବାନୀ ମୃତ୍ୟୁ ଘଟଣାର ଆସିଛି ପୋଷ୍ଟମର୍ଟମ୍ ରିପୋର୍ଟ। ଏହି ରିପୋର୍ଟରେ ୩ଟି କାରଣ ଉଲ୍ଲେଖ କରାଯାଇଛି। ଏହି କାରଣ ପାଇଁ ଶ୍ରେୟାସ୍ର ଜୀବନ ଚାଲି ଯାଇଥିବା କୁହାଯାଉଛି।
କ୍ୟାପିଟାଲ୍ ହସ୍ପିଟାଲରୁ ଆସିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ, ଶ୍ରୋୟାସ୍ଙ୍କ ହାର୍ଟରେ ଗୋଟିଏ ଦୁଇଟି ସ୍ଥାନରେ କ୍ଷତ ଚିହ୍ନ ରହିଥିଲା। ଏହାସହ ଫୁସ୍ଫୁସ୍ରେ ପାଣି ଜମିବା ସହ ଫୁସ୍ଫୁସ୍ ରକ୍ତନଳୀରେ ରକ୍ତ ଜମାଟ ବାନ୍ଧିଥିଲା। ଏଥିପାଇଁ ହାର୍ଟ କ୍ଷୀପ୍ର ଗତିରେ ଚାଲି ହଠାତ୍ ବନ୍ଦ ହୋଇଯାଇଥିଲା ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଚିତ୍ତ ରଞ୍ଜନ କର କହିଛନ୍ତି।
ଶ୍ରେୟାସ୍ଙ୍କ ପୋଷ୍ଟମର୍ଟମ ରିପୋର୍ଟ ବିଶାଖାପାଟଣା ପୋଲିସକୁ ହସ୍ତାନ୍ତର କରାଯାଇଛି। ଏହି ରିପୋର୍ଟକୁ ଆଧାରକରି ପୋଲିସ ତଦନ୍ତ କରିବ।
ବିଶାଖାପାଟଣା ଶ୍ରୀ ଚୈତନ୍ୟ କଲେଜର +୨ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ର ଶ୍ରୀୟାସ୍ ମୁତ୍ୟୁ ଘଟଣା ଏବେ ବି ସସ୍ପେନ୍ସରେ। ଏହି ଘଟଣା ଓଡ଼ିଶା ସହ ଆନ୍ଧ୍ରପ୍ରଦେଶ ପୋଲିସ ପାଇଁ ଗୋଟିଏ ବଡ ଚାଲେଞ୍ଜ ହୋଇ ଛିଡ଼ା ହୋଇଛି। ରାଗିଙ୍ଗ୍ ଯୋଗୁଁ ଏଭଳି ଘଟଣା ଘଟିଥିବା କୁହାଯାଇଥିଲେ ହେଁ ଏହା ଉପରୁ ଏଯାଏଁ ପରଦା ହଟିନି।
ସମ୍ବଲପୁର ଜିଲା କୁଚିଣ୍ଡାର ଶ୍ରୀୟସ କେଶରବାନି ୨୦୧୭ ମସିହା ଜୁନ ମାସରେ ବିଶାଖାପାଟଣାର ଶ୍ରୀ ଚୈତନ୍ୟ କଲେଜରେ +୨ ପ୍ରଥମ ବର୍ଷ ବିଜ୍ଞାନ ବିଭାଗରେ ନାମ ଲେଖାଇଥିଲେ। ଏହାପରେ ଶ୍ରୀୟସକୁ କଲେଜ ତରଫରୁ ବିଶାଖାପାଟଣାଠାରୁ ୩୦ କିଲୋମିଟର ଦୂର ଓ଼ଜ଼ନ ଭ୍ୟାଲି ନିକଟ ମାରିକଭାଲାସଠାରେ ରହିଥିବା ପ୍ରଶାନ୍ତି ହଷ୍ଟେଲକୁ ପଠାଇ ଦିଆଯାଇଥିଲା।
ଡିସେମ୍ବର ୨୨ ତାରିଖରେ ସହପାଠୀମାନେ ଶ୍ରାୟାସ୍କୁ ହଇରାଣ କରୁଥିବା ଶ୍ରୀୟାସ୍ ନିଜେ କଲେଜର ଭାଇସ ପ୍ରିନ୍ସିପାଲ ଲକ୍ଷ୍ମଣ ରାଓଙ୍କୁ ଜଣାଇଥିଲେ। ଏହାପରେ ସେ ଛୁଟି ନେଇ ଘରକୁ ଯିବା ପାଇଁ କହିଥିଲେ। ପରେ ଶ୍ରୀୟାସ ଡିସେମ୍ବର ୨୪ ତାରଖରେ ନିଜ ବାପାଙ୍କୁ ଫୋନ୍ କରିଥିଲେ। ତାଙ୍କ ବାପା ଡିସେମ୍ବର ୨୯ ତାରିଖରେ ବିଶାଖାପାଟଣା ଯାଇ ଶ୍ରୀୟସକୁ ଚିକି୍ତ୍ସା କରିବା ସହ ଘରକୁ ନେଇ ଯାଇଥିଲେ। ଜାନୁୟାରୀ ୫ ତାରିଖରେ ଶ୍ରୀୟାସର ମୁତ୍ୟୁ ପରେ କଲେଜ କର୍ତ୍ତୃପକ୍ଷଙ୍କୁ ପରିବାର ପକ୍ଷରୁ ଖବର ଦିଆଯାଇଥିଲା।
ଏହି ଘଟଣା ପରେ ଭୁବନେଶ୍ୱର ପୋଲିସ ପକ୍ଷରୁ ବିଶାଖାପାଟଣା ପି.ଏମ ପାଲେମ ପୋଲିସକୁ ଫୋନ ଯୋଗେ ରାଗିଙ୍ଗ ଘଟଣା ସମ୍ପର୍କରେ ଜଣାଯିବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।














