ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି

ପ୍ରତିବର୍ଷ ମକର ସଂକ୍ରାନ୍ତି ଆସିଗଲେ ଉତ୍ତର ଓଡ଼ିଶାର ତିନୋଟି ପ୍ରମୁଖ ଜିଲ୍ଲା ବାଲେଶ୍ଵର, ମୟୂରଭଞ୍ଜ ଓ କେନ୍ଦୁଝରରେ ପସରା ମେଲାଏ ରଙ୍ଗବେରଙ୍ଗ ମିଠା। ସହର ଓ ମଫସଲ ଅଞ୍ଚଳରେ ଥିବା ମିଠା ଦୋକାନ ସାମ୍ନା ଶୋ କେସ୍ ୯୦ ରୁ ୯୫ ପ୍ରକାରର ମିଠାରେ ଭରିଯାଏ। ପର୍ବପର୍ବାଣିର ମାହୋଲ୍ ଜନସାଧାରଣଙ୍କ ମନରେ ଭରିଦେଇଥାଏ ପୁଲକ। ଘରକୁ ଆସେ ନାନା ପ୍ରକାର ମିଠା। ବନ୍ଧୁବାନ୍ଧବଙ୍କ ମଧ୍ୟରେ ମକରର ମହକ ବେଶ୍ ନିଆରା।

ବାଲେଶ୍ଵର ସହର ମକର ପାଇଁ ଚଳଚଞ୍ଚଳ। ଆଜିଠାରୁ ସହରରେ ଥିବା ଦୁଇ ଶହରୁ ଅଧିକ ମିଠା ଦୋକାନ ସାମ୍ନାରେ ସଜା ହୋଇସାରିଛି ୯୦ ପ୍ରକାରର ମକର ମିଠା। ସବୁଦିନ ଉପଲବ୍ଧ ହେଉଥିବା ମିଠାକୁ ପଛରେ ପକାଇ ମିଠା ଦୋକାନ ମାନଙ୍କରେ ନୂଆନୂଆ ମକର ମିଠା ସବୁ ଶୋଭା ପାଉଛି । ନାନା ରଙ୍ଗ ଓ ସ୍ଵାଦର ମିଠା କେବଳ ମକର ସଂକ୍ରାନ୍ତି ଉପଲକ୍ଷେ ପ୍ରସ୍ତୁତ ହୋଇଥାଏ। ମକର ଆସିଗଲେ ମିଠା ବ୍ୟବସାୟୀମାନେ ବେଶ୍ ଦୁଇପଇସା ରୋଜଗାର କରିବାର ମୌକା ପାଆନ୍ତି। ଲୋକମାନେ ନୂଆ ବସ୍ତ୍ର କିଣିବା ସହ ମକର ମିଠା କିଣିବାର ଦୃଶ୍ୟ ବେଶ୍  ନିଆରା।

ଏହା ବ୍ୟତୀତ ମକର ପାଇଁ ଏକ ପ୍ରକାର ମକର ଭୋଗ ପ୍ରସ୍ତୁତ ହୋଇଥାଏ ଘରେ ଘରେ। ନୂଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ନୂଆ ଗୁଡ, ଛେନା, ନଡ଼ିଆ, ପାଚିଲା କଦଳୀ, କନ୍ଦ ଆଳୁ, ଚିନି ଆଳୁ, ଘିଅ ଓ କ୍ଷୀର ଆଦି ପକାଇ ଏହି ସ୍ଵତନ୍ତ୍ର ମକର ଭୋଗ ପ୍ରସ୍ତୁତ କରାଯାଇଥାଏ। ମିଠା ମଧ୍ୟ ମକରର ଏକ ପ୍ରମୁଖ ଭୋଗ ରୂପେ ବିବେଚିତ । ଖାସ୍ କରି ମକରରେ ମିଠା ଖାଇବା, ବନ୍ଧୁଙ୍କୁ ମିଠା ଉପହାର ଦେବା ସହିତ ବିଶେଷକରି ଝିଅ ଘରକୁ ମିଠା ଭାର ଯାଇଥାଏ।

ସହରେ ଥିବା ପ୍ରାୟ ୨୫୦ ଛୋଟବଡ ମିଠା ଦୋକାନରେ ମକର ପାଇଁ ବିଭିନ୍ନ ପ୍ରକାର ମିଠା ତିଆରି ହୋଇଛି। ମକର ମିଠା କିଣିବା ପାଇଁ ମିଠା ଦୋକାନ ଆଗରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୁଏ। ନିତିଦିନିଆ ମିଠା ଠାରୁ ଏସବୁ ମିଠା ଭିନ୍ନ ଓ ମକର ପରେ ଏ ମିଠା ଆଉ ମିଳେ ନାହିଁ। ପ୍ରାୟ ସବୁ ଦୋକାନରେ ୫୦ ରୁ ୯୦ ପ୍ରକାରର ମିଠା ଗ୍ରାହକଙ୍କୁ ଆକୃଷ୍ଟ କରୁଛି।

ମୁଖ୍ୟତଃ ଏ ମିଠା ସବୁ ମଇଦା, ଚିନି, ସୁଜିରୁ ତିଆରି ହୋଇଥିବାରୁ ଅଧିକ ଦିନ ଖରାପ ନ ହୋଇ ରହିଥାଏ। ବାଲେଶ୍ଵର ବଜାରରେ ଖଜା, ଗଜା, ଦଲଓ୍ବାର୍, ବାଲଛୁଇଁ, ଖିରି ପୁରୀ, ମିଠା ଗଜା, ମୁଡକି, ପାଳୁଅ ଲଡୁ, ମଇଦାରେ ବିଭିନ୍ନ ଫୁଲ ମିଠା, ଚାମସଇ, ତାଜଖାନି, ମୁଗଲଡୁ, ବଇଠି ବସା ଫେଣି, ମଈଶୂର୍ ମିଠା ପ୍ରଭୃତିର ବିଶେଷ ଡିମାଣ୍ଡ୍ ରହିଛି। ଏସବୁ ମିଠାର ଦର କିଲୋ ପ୍ରତି ୨୦୦ ଟଙ୍କା ଥିବା ବେଳେ କିଛି ହୋଲସେଲ୍ ଦୋକାନୀ ୧୫୦ ଟଙ୍କା ରେ ବିକୁଛନ୍ତି। ହାରାହାରି ଭାବରେ ଗୋଟିଏ ଗୋଟିଏ ଦୋକାନରେ ଦୈନିକ ୫୦ ରୁ ୧୦୦ କିଲୋ ମକର ମିଠା ବିକ୍ରି ହେବାର ପୂର୍ବ ରେକର୍ଡ ରହିଛି।

 

Comment