ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଅସୁରକ୍ଷିତ-ଅପମାନ-ଅବହେଳାକୁ ନେଇ ବିଜେପିର ପଦଯାତ୍ରା
  • ବିଜେପିକୁ ସମାଲୋଚନା କଲେ ବିଜେଡି ଓ କଂଗ୍ରେସ
  • ବିଜେପି ସମ୍ବିଧାନ ଉପରେ ଆକ୍ରମଣ କରୁଛି: ନରସିଂହ
  • ବିଜେଡି କହିଲା, “ଉପ-ନିର୍ବାଚନ ପରେ ସବୁକିଛି ସ୍ପଷ୍ଟ ହୋଇଯିବ”

ପ୍ରକାଶ ପାଇନି ବିଜ୍ଞପ୍ତି। ଘୋଷଣା ହୋଇନି ତାରିଖ। ହେଲେ ବିଜେପୁର ଉପ-ନିର୍ବାଚନ ପାଇଁ ରାଜନୀତି ପାଣିପାଗ ହୋଇଯାଇଛି ଉଷ୍ମ। ବିଜେପୁରକୁ ନିଜ ସପକ୍ଷରେ ନେବା ଲାଗି ୩ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଲାଗି ରହିଛି ଛକାପଞ୍ଝା। ଏହି କ୍ରମରେ ବିଜେପି ଆଜି ବିଜେପୁରରେ ଦେଖାଇଛି ଶକ୍ତି। ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରା ଆୟୋଜନ କରି ନିର୍ବାଚନ ପାଇଁ ପାଗ ଭିଡ଼ିଛି।

ବିଜେପୁରର ପଡ଼ା ଗାଁରୁ ବିଜେପି ଆରମ୍ଭ କରିଛି ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରା। ଯେଉଁ ଗାଁରେ ବିଜେପି ଯୁବନେତାଙ୍କ ଘର ଉପରେ ଗୁଳି ମାଡ଼ ହୋଇଥିଲା ସେହି ଗାଁରୁ ହିଁ ଏହି ପଦଯାତ୍ରା ଆରମ୍ଭ ହୋଇଛି। ଅସୁରକ୍ଷିତ, ଅପମାନ ଏବଂ ଅବହେଳା ପ୍ରସଙ୍ଗକୁ ଅସ୍ତ୍ର କରି ବିଜେପି ଏହି ପଦଯାତ୍ରା ଆୟୋଜନ କରିଛି।

ଏହି ପଦଯାତ୍ରା ବୁଧବାର ଶେଷ ହେବ। ବରପାଲ୍ଲିରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ପଦଯାତ୍ରା ଶେଷ ହେବ ବୋଲି ବିଜେପି ସୂତ୍ରରୁ ଜଣାପଡ଼ିଛି।

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, “ଓଡ଼ିଶାରେ ଗଣତନ୍ତ୍ର ବିପର୍ଯ୍ୟସ୍ତ ହୋଇଯାଇଛି। ସମ୍ବିଧାନକୁ କେହି ମାନୁ ନାହାନ୍ତି। ଦିନ ଦିପହରେ ଗୁଳି ଫୁଟୁଛି। ଆଇନ୍‌ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଯାଇଛି। ବିଜେପି କର୍ମୀଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାରେ ଶାସକ ଦଳର ହାତ ରହିଛି। ପୋଲିସ ଯେଉଁମାନଙ୍କୁ ଗିରଫ କରିଛି ସେମାନଙ୍କଠାରୁ କଥା ଆଦାୟ କରୁ କି ସେମାନଙ୍କ ପଛରେ କାହାର ସଂପୃକ୍ତି ରହିଛି।”

ବସନ୍ତପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ପଦଯାତ୍ରାରେ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂଦେଓ, ବିଧାୟକ ପ୍ରଦୀପ ପୁରୋହିତଙ୍କ ସମେତ ବିଜେପି କର୍ମୀମାନେ ସାମିଲ ହୋଇଥିଲେ।

ବିଜେପିର ଏହି ପଦଯାତ୍ରାକୁ କଂଗ୍ରେସ ଏବଂ ବିଜେଡି ସମାଲୋଚନା କରିଛନ୍ତି। ବିଜେପି ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ଆକ୍ରମଣ କରୁଛି ବୋଲି ଅଭିଯୋଗ କରିଛନ୍ତି ଉଭୟ ଦଳ।

“ଚୋର୍ ମଚାଏ ସୋର୍‌। ବିଜେପି ଗଣତନ୍ତ୍ରର ସୁରକ୍ଷା କଥା କହୁଥିବା ବେଳେ ନିଜେ ସାରା ଭାରତରେ ଗଣତନ୍ତ୍ର ଉପରେ ଆକ୍ରମଣ କରିଦେଇଛି। ସାମ୍ବିଧାନିକ ପଦପଦବୀରେ ଥିବା ଲୋକମାନେ ଭୟଭୀତ ହୋଇଯାଇଛନ୍ତି। ଏଣୁ ବିଜେପି ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରା କରିବା ଦୁର୍ଭାଗ୍ୟଜନକ।”, କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର।

ବିଜେଡି ମୁଖପାତ୍ର ସମୀର ରଞ୍ଜନ ଦାଶ କହିଛନ୍ତି, “ବିଜେପୁର ଆଦୌ ଅବହେଳିତ ନୁହେଁ। ଉପ-ନିର୍ବାଚନ ପାଇଁ ବିଜେପି ରାଜନୀତି କରୁଛି। ଉପ-ନିର୍ବାଚନ ଫଳାଫଳ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ।”

ଜାନୁଆରୀ ୨୦ ତାରିଖରେ ପ୍ରକାଶ ପାଇବ ବିଜେପୁର ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା। ଏନେଇ ମୁଖ୍ୟ ନିର୍ବାଚନ କମିଶନ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ଜାନୁଆରୀ ୨୦ ତାରିଖ ପରେ ଉପ-ନିର୍ବାଚନ ପାଇଁ ବିଗୁଲ୍ ବାଜିବ। ଏହାକୁ ନେଇ ଆରମ୍ଭ ହୋଇଯାଇଛି ବିଜେପୁର ଦଖଲ ଅଭିଯାନ।

LEAVE A REPLY

Please enter your comment!
Please enter your name here