ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଫିସ୍‌ ଅଫ୍ ପ୍ରଫିଟ୍‌ ମାମଲାରେ ୨୦ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ନିର୍ବାଚନ କମିଶନ ରାଷ୍ଟ୍ରପତିଙ୍କୁ ସୁପାରିଶ କରିବା ପ୍ରସଙ୍ଗକୁ ଚାଲେଞ୍ଜ ଦେଇଛି ଆପ୍‌। ତୁରନ୍ତ ରାୟ ପାଇଁ ଆପ୍‌ ଦିଲ୍ଲୀ ହାଇକୋର୍ଟ ଯାଇଥିଲା। ହେଲେ କୋର୍ଟ ମାମଲାର ଶୁଣାଣି ସୋମବାରକୁ ଘୁଞ୍ଚାଇ ଦେଇଛନ୍ତି।

ଆମ୍‌ ଆଦମୀ ପାର୍ଟିକୁ ଦିଲ୍ଲୀ ହାଇକୋର୍ଟରୁ ମିଳିଛି ଜୋରଦାର ଝଟକା। ମୁଖ୍ୟ ନିର୍ବାଚନ କମିଶନ ୨୦ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ କରିବା ପରେ ଆପ୍‌ ହାଇକୋର୍ଟ ଯାଇଥିଲା। ହାଇକୋର୍ଟରୁ ତୁରନ୍ତ ରାୟ ପାଇଁ ଆବେଦନ କରିଥିଲା। ହେଲେ ହାଇକୋର୍ଟ ତୁରନ୍ତ ରାୟ ଦେବାକୁ ମନା କରି ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସୋମବାରକୁ ଘୁଞ୍ଚାଇ ଦେଇଛନ୍ତି।

ଏପଟେ ନିର୍ବାଚନ କମିଶନଙ୍କ ସୁପାରିଶ ରାଷ୍ଟ୍ରପତିଙ୍କ ପାଖରେ ପହଞ୍ଚିଛି। ଯଦି ରାଷ୍ଟ୍ରପତି ନିର୍ବାଚନ କମିଶନଙ୍କ ପ୍ରସ୍ତାବରେ ମୋହର ମାରିଦେଲେ ତାହେଲେ କଥା ସରିଲା। ଦିଲ୍ଲୀର ୨୦ଟି ବିଧାନସଭା ଆସନରେ ଉପ-ନିର୍ବାଚନ ହେବ। ଆଉ ଦିଲ୍ଲୀ ବିଧାନସଭାରେ ଆପ୍‌ ବିଧାୟକ ସଂଖ୍ୟା କମିଯାଇ ୪୬ରେ ପହଞ୍ଚିବ।

ଯଦିଓ ସରକାର ଭାଙ୍ଗିଯିବାର କୌଣସି ଆଶଙ୍କା ନାହିଁ ତେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପାଇଁ ସଙ୍କଟ ସୃଷ୍ଟି ହେବ ବୋଲି କୁହାଯାଉଛି। କାରଣ ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳର ସଭ୍ୟ ସଂଖ୍ୟା କମ୍। ଆପ୍‌ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ଶାସନରେ ରହିଥିଲା। ହେଲେ ଏବେ ସମୟ ବଦଳି ଯାଇଛି। କେଜରିଓ୍ବାଲଙ୍କ ଲୋକପ୍ରିୟତା ଆଉ ପୂର୍ବଭଳି ନାହିଁ।

ଉପ-ନିର୍ବାଚନ ହେଲେ ବିଜେପିର ଦବ୍‌ଦବା ଦିଲ୍ଲୀରେ ରହିବ ବୋଲି ଆଲୋଚନା ହେଉଛି। ଏଣୁ ଆପ୍‌ ପାଇଁ ଏବେ ଚାଲେଞ୍ଜ ସୃଷ୍ଟି ହୋଇଛି।

୨୦୧୫ରେ ଆପ୍‌ ଦିଲ୍ଲୀରେ ସରକାର ଗଢ଼ିବା ପରେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ୍ ୨୧ ଜଣ ବିଧାୟକଙ୍କୁ ପାର୍ଲାମେଣ୍ଟ ସେକ୍ରେଟାରୀ ଭାବେ ନିୟୋଜିତ କରିଥିଲେ। ଏହାକୁ ନେଇ ସେତେବେଳେ ଆଇନଜୀବୀ ପ୍ରଶାନ୍ତ ପଟେଲ ପ୍ରଶ୍ନ ଉଠାଇଥିଲେ। କେଜରିଓ୍ବାଲ ଆଇନର ଉଲ୍ଲଂଘନ କରୁଥିବା ଅଭିଯୋଗ କରି ରାଷ୍ଟ୍ରପତି ଦ୍ବାରସ୍ଥ ହୋଇଥିଲେ।

ଅଭିଯୋଗର ସତ୍ୟାସତ୍ୟ ଅନୁଧ୍ୟାନ କରିବା ପାଇଁ ରାଷ୍ଟ୍ରପତି ନିର୍ବାଚନ କମିଶନଙ୍କୁ ଆଦେଶ ଦେଇଥିଲେ।

୨୦୧୬ରେ ୨୧ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ କଂଗ୍ରେସ ଦାବି କରିଥିଲା। ୨୧ ବିଧାୟକଙ୍କ ଭିତରୁ ଜଣେ ବିଧାୟକ ଗତବର୍ଷ ଇସ୍ତଫା ଦେଇଥିଲେ।

Comment