ଓଡ଼ିଶାଲାଇଭ ବ୍ୟୁରୋ

ପଞ୍ଜାବରେ ଦେଖିବାକୁ ମିଳିଛି ‘ଝାଡ଼ୁ’ର ଝଡ଼। ପଞ୍ଜାବରେ ଅଦ୍ଭୁତପୂର୍ବ ସଫଳତା ହାସଲ କରି ବିଜୟ ବାନା ଉଡ଼ାଉଛି ଆମ୍ ଆଦମୀ ପାର୍ଟି। ୧୧୭ ଆସନରୁ ଆମ୍ ଆଦମି ପାର୍ଟି (ଆପ୍) ୯୦ଟି ଆସନରେ ଆଗୁଆ ରହିଛି। ଆପର ପ୍ରାର୍ଥୀ ଅଜିତ୍ ପାଲ ସିଂହଙ୍କ ଆଗରେ କଂଗ୍ରେସର ବଡ଼ ବଡ଼ ନେତା ମଧ୍ୟ ଭୋଟ୍ ଗଣତିରେ ପଛୁଆ ରହିଛନ୍ତି। କଂଗ୍ରେସ ଛାଡ଼ି ‘ପଞ୍ଜାବ ଲୋକ କଂଗ୍ରେସ’ ଦଳ ଗଠନ କରି ନିର୍ବାଚନ ଲଢ଼ିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ବଡ଼ ଝଟକା ଲାଗିଛି। ୧୩ ହଜାରରୁ ଅଧିକ ଭୋଟରେ କ୍ୟାପଟେନ୍ ଅମରିନ୍ଦର ସିଂହ ପଟିଆଲା ଆସନରୁ ପରାସ୍ତ ହୋଇଛନ୍ତି।

ପଟିଆଲା ଆସନରେ ଆପ୍ ପ୍ରାର୍ଥୀ ଅଜିତ୍ ପାଲ ସିଂହ କୋହଲିଙ୍କ ସହ କ୍ୟାପଟେନଙ୍କ କଡ଼ା ଟକ୍କର ହୋଇଥିଲା । ଅମରିନ୍ଦରଙ୍କୁ ୨୮ ପ୍ରତିଶତ ଅର୍ଥାତ୍ ୨୨ ହଜାରରୁ ଅଧିକ ଭୋଟ୍ ମିଳିଛି । ଆପ୍ ପ୍ରାର୍ଥୀ ଅଜିତ୍ ପାଲ ୪୫ ପ୍ରତିଶତ ଅର୍ଥାତ୍ ୩୬ ହଜାରରୁ ଅଧିକ ଭୋଟ୍ ପାଇ ୧୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି।

୨୦୧୭ ବିଧାନସଭା ନିର୍ବାଚନରେ କ୍ୟାପଟେନ୍ ଅମରିନ୍ଦର ସିଂ ପଟିଆଲା ଆସନରୁ ନିର୍ବାଚିତ ହୋଇଥିଲେ। ସେତେବେଳେ କ୍ୟାପଟେନଙ୍କୁ ୭୨ ହଜାର ୫୮୬ ଭୋଟ୍ ମିଳିଥିଲା। ଦ୍ୱିତୀୟ ସ୍ଥାନରେ ଥିବା ଆପ୍ ପ୍ରାର୍ଥୀ ଡକ୍ଟର ବଲବୀର ସିଂହ ୨୦ ହଜାର ୧୭୯ ଭୋଟ୍ ପାଇଥିଲେ। ୨୦୧୨ରେ ମଧ୍ୟ ୪୨ ହଜାରରୁ ଅଧିକ ଭୋଟରେ ପଟିଆଲା ଆସନରୁ ଜିତିଥିଲେ କ୍ୟାପଟେନ୍ ଅମରିନ୍ଦର। କିନ୍ତୁ ବର୍ତ୍ତମାନ ପଞ୍ଜାବର ଜନସାଧାରଣ ‘ଆପ୍’ ଦଳକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି।

 ଅନ୍ୟପଟେ ନିର୍ବାଚନ ଫଳାଫଳ ଆସିବା ପରେ ଅରବିନ୍ଦ କେଜ୍ରିଓ୍ଵାଲ ପ୍ରଥମ ଟ୍ଵିଟ୍ କରି ଛହିଛନ୍ତି ଯେ, ଏହି ବିପ୍ଳବ ପାଇଁ ପଞ୍ଜାବର ଲୋକଙ୍କୁ ଅନେକ ଅନେକ ଅଭିନନ୍ଦନ।

Tags: #PunjabAssemblyElection #AAP #Congress #NavjotSinghSidhu #BhagwantMann #ArvindKejriwal

Comment