ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନ୍‌ଲାଇନ୍‌ ଅର୍ଥ କାରବାର ବେଳେ ଗ୍ରାହକଙ୍କୁ ଆଜିକାଲି ବିଭିନ୍ନ ପ୍ରକାର ଡର ଓ ଆଶଙ୍କା ଲାଗି ରହୁଛି। ଅନ୍‌ଲାଇନ୍‌ ଠକମାନେ ବିଭିନ୍ନ ଉପାୟରେ ସେମାନଙ୍କୁ ଠକିବାରେ ଲାଗିଛନ୍ତି। ସାଧାରଣ ଲୋକେ ଯେଉଁମାନେ ଅନ୍‌ଲାଇନ୍‌ କାରବାରର ବିଭିନ୍ନ ଦିଗ ପ୍ରତି ଏତେଟା ସଚେତନ ନୁହନ୍ତି, ସେମାନେ ସ୍କାମର ବା ଠକଙ୍କ ଜାଲରେ ପଡୁଛନ୍ତି। ପେଟିଏମ୍‌ କେୱାଇସି ନାଁରେ ସ୍କାମରମାନେ ଏବେ ସେମିତି କିଛି ଠକେଇ କରୁଛନ୍ତି। ସେମାନଙ୍କ ଠକେଇର ବାଟ ଓ ସେଥିରୁ କିପରି ବର୍ତ୍ତିବେ, ଏହି ୧୦ଟି କଥାରେ ଜାଣନ୍ତୁ।

  • ପେଟିଏମ୍‌ ନିଜର କେୱାଇସି ପ୍ରକ୍ରିୟା ବିଷୟରେ ଗ୍ରାହକମାନଙ୍କୁ ସଚେତନ କରିଆସୁଛି। ଏହା ପରେ ବି ସ୍କାମରମାନେ ପେଟିଏମ୍‌ ଇକେୱାଇସି ନାଁରେ ସାଧାରଣ ଲୋକଙ୍କୁ ଠକିବାରେ ଲାଗିଛନ୍ତି। ଏଥିପାଇଁ ସେମାନେ ଏକ ନୂଆ ଉପାୟ ବାଛିଛନ୍ତି। ସେମାନେ ଗ୍ରାହକଙ୍କୁ ଏକ ମେସେଜ ଦେଉଛନ୍ତି ଯେ ପେଟିଏମ୍‌ ସେବା ଚାଲୁ ରହିବା ପାଇଁ ଇକେୱାଇସିର ଯାଞ୍ଚ ବା ଭେରିଫିକେଶନ ଦରକାର।
  • ସେହି ଏସ୍‌ଏମ୍‌ଏସ୍‌ରେ କୁହାଯାଉଛି ଯେ ଗ୍ରାହକଙ୍କ ଇକେୱାଇସି ଡକୁମେଣ୍ଟର ଅବଧି ସରିଯାଇଛି। ମେସେଜ୍‌ରେ ଥିବା ଗ୍ରାହକ ସେବା ବା କଷ୍ଟମର ସପୋର୍ଟ ନମ୍ବରକୁ ୨୪ ଘଣ୍ଟା ଭିତରେ କଲ୍ ନ କଲେ ପେଟିଏମ୍‌ ସେବା ବନ୍ଦ ହୋଇଯିବ। ବିଭିନ୍ନ ଟେଲି ମାର୍କେଟିଂ ଡୋମେନ୍‌ରୁ ଏଭଳି ମିଛ କେୱାଇସି ମେସେଜ ଆସୁଛି।
  • କଷ୍ଟମର କେୟାର ଅଫିସିଆଲ ବା ଗ୍ରାହକ ସେବା କର୍ମଚାରୀ ପରିଚୟ ଦେଇ ଠକମାନେ କେୱାଇସି ଷ୍ଟାଟସ ଯାଞ୍ଚ କରିବା ପାଇଁ ସିଧାସଳଖ ଗ୍ରାହକଙ୍କୁ ଫୋନ୍‌ ମଧ୍ୟ କରୁଛନ୍ତି।
  • ଭେରିଫିକେଶନ କଲ୍‌କୁ ଅଫିସିଆଲ ବୋଲି ବିଶ୍ୱାସ ଜନ୍ମାଇବା ପାଇଁ ଠକମାନେ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଯେପରି ନାମ, ଜନ୍ମ ଓ ଫୋନ୍‌ ନମ୍ବର ପଚାରୁଛନ୍ତି।
  • ପେଟିଏମ୍‌ର ଫେକ୍ କଷ୍ଟମର କେୟାର ରିପ୍ରେଜେଣ୍ଟେଟିଭ ବା ଗ୍ରାହକ ସେବା ପ୍ରତିନିଧି ରୂପରେ ଥିବା ଠକ କେୱାଇସି ଯାଞ୍ଚ ପାଇଁ ଆପଣଙ୍କୁ ଏକ ଆପ୍‌ ଡାଉନଲୋଡ୍ କରିବା ପାଇଁ କହିବେ। ଏହିଠାରୁ ହିଁ ଠକେଇ ଆରମ୍ଭ ହୁଏ। ଏହି ଆପ୍‌ ହେଉଛି ଏକ ରିମୋଟ୍‌ ଡେସ୍କଟପ୍‌ ଆପ୍ ଯାହା ଟିମ୍‌ ଭ୍ୟୁୟର ପରି କାମ କରେ।
  • ଡାଉନଲୋଡ୍‌ କରିବା ପରେ ଏହା ଆପଣଙ୍କୁ ଅନ୍ୟ ଆପ୍‌ ଭଳି ପ୍ରାଇଭେସି ପରମିଶନ ବା ଗୋପନୀୟତା ଅନୁମତି ମାଗିବ।
  • ଆପଣ ଅନୁମତି ଦେଲା ମାତ୍ରେ ଉପରୋକ୍ତ ଆପ୍‌ ୯ ଅଙ୍କବିଶିଷ୍ଟ (ଡିଜିଟ୍‌) ଏକ କୋଡ୍‌ ତିଆରି କରିବ। ଫେକ୍ ଗ୍ରାହକ ସେବା ପ୍ରତିନିଧି ଆପଣଙ୍କୁ ସେହି କୋଡ୍‌ ମାଗିବେ। ସେହି କୋଡ୍‌ ଦ୍ୱାରା ହିଁ ସେମାନେ ଆପଣଙ୍କ ସହ ଯୋଡ଼ି ହୋଇ ମୋବାଇଲ ସ୍କ୍ରିନ୍‌କୁ ଦେଖିପାରିବେ।
  • ଆପଣ କଲ୍‌ କାଟିବା ମାତ୍ରେ ଠକମାନେ ଆପଣଙ୍କ ମୋବାଇଲ ସ୍କ୍ରିନ୍‌କୁ ଦେଖିପାରିବା ସହ ରେକର୍ଡିଂ ମଧ୍ୟ କରିପାରିବେ।
  • ଠକମାନେ ଆପଣଙ୍କ ମୋବାଇଲ ସହ ଯୋଡ଼ିହେବା ମାତ୍ରକେ ସେମାନେ ଆପଣଙ୍କ ସବୁ ପ୍ରକାର ଓଟିପି (ୱାନ୍‌ ଟାଇମ୍‌ ପାସୱର୍ଡ), ମୋବାଇଲରେ ଯାହା ଯାହା କରୁଛନ୍ତି, ଏପରିକି ଆପଣଙ୍କ ବ୍ୟାଙ୍କ ଆଇଡି ଓ ପାସ୍‌ୱର୍ଡ ମଧ୍ୟ ଦେଖିପାରିବେ। ସେମାନେ ଏହାକୁ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର କରିବାରେ ବ୍ୟବହାର କରିବେ।

ଗ୍ରାହକମାନେ ଜାଣନ୍ତୁ ଏହି ଜରୁରୀ କଥା

ପେଟିଏମ୍‌ କେୱାଇସି କେବଳ ଅଥୋରାଇଜ୍‌ଡ କେୱାଇସି ପଏଣ୍ଟସରେ ଅପଡେଟ୍‌ ହୋଇପାରିବ କିମ୍ବା ଆପଣଙ୍କ ଘରକୁ ଜଣେ ପେଟିଏମ୍‌ ପ୍ରତିନିଧି ଆସି ତାହା କରିପାରିବେ। ଏହା ସାମ୍ନାସାମ୍ନି ହିଁ କାର୍ଯ୍ୟକାରୀ ହେବ। କେୱାଇସି ପାଇଁ ପ୍ରକୃତ ପେଟିଏମ୍‌ କଷ୍ଟମର କେୟାର ବା ଗ୍ରାହକ ସେବା ପ୍ରତିନିଧି କୌଣସି ଫୋନ୍‌ କଲ୍‌ କରନ୍ତି ନାହିଁ କିମ୍ବା କୌଣସି ଆପ୍‌ ଡାଉନଲୋଡ୍‌ କରିବା ପାଇଁ କୁହନ୍ତି ନାହିଁ।

Comment