ଓଡ଼ିଶାଲାଇଭ୍‍ ବ୍ୟୁରୋ

ତୃତୀୟ ମହଲାକୁ ନେଇ କିଛିଦିନ ହେଲା ସର୍‌ଗର୍‌ମ ରହିଛି ରାଜ୍ୟ ରାଜନୀତି। ବିଜେଡି ସାଂସଦ ବୈଜୟନନ୍ତ ପଣ୍ଡା ଏହି ପ୍ରସଙ୍ଗ ଉଠାଇ ରାଜନୀତିକୁ ଉଷ୍ମ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଆୟୋଜିତ ମିଶ୍ରଣ ପର୍ବରେ ତୃତୀୟ ମହଲାକୁ ପୁଣି ତୀର ମାରିଛନ୍ତି।

ତୃତୀୟ ମହଲାକୁ ପୁଣି ତୀର ମାରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପିର ମିଶ୍ରଣ ପର୍ବରେ ଯୋଗଦେଇ ଧର୍ମେନ୍ଦ୍ର ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରଙ୍କୁ ଆଙ୍ଗୁଠି  ଦେଖାଇଛନ୍ତି। ଦୁର୍ନୀତି ତାର ତୃତୀୟ ମହଲା ପର୍ଯ୍ୟନ୍ତ ଲମ୍ବିଥିବା ଧର୍ମେନ୍ଦ୍ର କହିଛନ୍ତି।

ମୃତ୍ତିକା ସଂରକ୍ଷଣ ଦୁର୍ନୀତି ଏବଂ ଚିଟଫଣ୍ଡ ଦୁର୍ନୀତିର ପ୍ରଶ୍ନବାଣ ମାରି କେନ୍ଦ୍ରମନ୍ତ୍ରୀ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି, “ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ରାୟଗଡ଼ାରେ ଏକ କାର୍ଯ୍ୟକ୍ରମରେ  ମୃତ୍ତିକା ସଂରକ୍ଷଣ କଥା ଉଠାଇଥିଲେ। ମୃତ୍ତିକା ସଂରକ୍ଷଣ ବିଭାଗର ଦୁର୍ନୀତିର ଚେର ତୃତୀୟ ମହଲା ଯାଏଁ ଲମ୍ବିଥିବା ଦାମବାବୁ କହିଥିଲେ। ସେ ଏହି ଅଭିଯୋଗ ଆଣିଥିବାରୁ ତାଙ୍କୁ ମନ୍ତ୍ରୀପଦ ହରାଇବାକୁ ପଡ଼ିଲା। ମୁଖ୍ୟମନ୍ତ୍ରୀଙ୍କୁ ଏହାର ଉତ୍ତର ଦେବାକୁ ପଡ଼ିବ।”

ଚିଟ୍‌ଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ ପ୍ରସଙ୍ଗରେ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ନିଶାନା ବନାଇଛନ୍ତି। ପ୍ରଶ୍ନବାଣ ମାରି ପୁଣି ଉତ୍ତର ଦାବି କରିଛନ୍ତି।

କହିଛନ୍ତି, “ମୁଖ୍ୟମନ୍ତ୍ରୀ ମହାଶୟ ଆପଣଙ୍କ କର୍ମଚାରୀଙ୍କୁ ସିବିଆଇ ଜେରା କଲା। କାହିଁକି ଜେରା କଲା ତାର ଉତ୍ତର ଏପର୍ଯ୍ୟନ୍ତ ମିଳିନି। ଚିଟଫଣ୍ଡ କ୍ଷତିଗ୍ରସ୍ତ କେବେ ଟଙ୍କା ପାଇବେ?

ସାଂସଦ ବୈଜୟନ୍ତ ପଣ୍ଡା ତୃତୀୟ ମହଲାକୁ ସମାଲୋଚନା କରିବା ପରେ ନବୀନ ଏହାର ଜବାବ ଦେଇଥିଲେ। ଯେତେବେଳେ କୌଣସି ପ୍ରସଙ୍ଗ ନଥାଏ ସେତେବେଳେ ମୋ କାର୍ଯ୍ୟାଳୟକୁ ଟାର୍ଗଟେ୍ କରାଯାଏ।

ନବୀନଙ୍କ ଏହି ପ୍ରସଙ୍ଗ ମନ୍ତବ୍ୟ ଉପରେ ଧର୍ମେନ୍ଦ୍ର  ଜବାବ ଦେଇଛନ୍ତି। ଡାଲି ଦୁର୍ନୀତି, ନଗଡ ଅପପୁଷ୍ଟି, ନବୀନ ନିବାସ ଆଗରେ ସନ୍ଦୀପ ହାତୀଙ୍କ ଆତ୍ମାହୂତି ଉଦ୍ୟମ କ’ଣ ପ୍ରସଙ୍ଗ ନୁହେଁ କି?  ଏପର୍ଯ୍ୟନ୍ତ ଏସବୁ ପ୍ରସଙ୍ଗର କାହିଁକି ଉତ୍ତର ମିଳିନି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି।

ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ। ଧର୍ମେନ୍ଦ୍ରବାବୁ ସିଏମ୍‌ଓଙ୍କୁ କିଛି କହିବା ପୂର୍ବରୁ ପିଏମ୍‌ଓକୁ ପ୍ରଥମେ ଦେଖନ୍ତୁ। ପିଏମ୍‌ଓରେ କାମ କରୁଥିବା ଅଫିସର୍‌ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାମ କରନ୍ତି। ଧର୍ମେନ୍ଦ୍ର ନିଜକୁ ବ୍ୟୁରୋକ୍ରାସି ସହ ନ୍ୟୁନ କାହିଁକି କରୁଛନ୍ତି?

LEAVE A REPLY

Please enter your comment!
Please enter your name here