ଓଡ଼ିଶାଲାଇଭ୍ ବ୍ୟୁରୋ

  • ପୀଡ଼ିତାଙ୍କ ମୃତଦେହକୁ ୨୬ ନମ୍ବର ଜାତୀୟ ରାଜପଥରେ ରଖି ରାସ୍ତା ଅବରୋଧ
  • ମହିଳାଙ୍କୁ ନ୍ୟାୟ ଦେବାରେ ରାଜ୍ୟ ସରକାର ବିଫଳ: ବିଜେପି ମହିଳା ମୋର୍ଚ୍ଚା
  • ଯଥାଶିଘ୍ର ଘଟଣାର ଯାଞ୍ଚ୍ ହେବା ସହ ଅଭିଯୁକ୍ତଙ୍କୁ ଗିରଫ୍ କରାଯାଉ: କଂଗ୍ରେସ
  • ୨୦୧୭ ଅକ୍ଟୋବର ୧୦ରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା

କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିବା ପରେ ଥମୁନି ରାଜନୀତି। ପୀଡ଼ିତାଙ୍କ ମୃତଦେହକୁ ୨୬ ନମ୍ବର ଜାତୀୟ ରାଜପଥରେ ରଖି ସ୍ଥାନୀୟଲୋକ ରାସ୍ତା ଅବରୋଧ କରିଛନ୍ତି।ଘଟଣାସ୍ଥଳରେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝି, ରାମଚନ୍ଦ୍ର କାଡ଼ାମ୍ ଓ ମିନାକ୍ଷୀ ବାହିନୀପତି ପ୍ରମୁଖ ଉପସ୍ଥିତ ରହିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟିବ ନାହିଁ ବୋଲି ଉତ୍ତ୍ୟକ୍ତ ଲୋକେ ଅଡି ବସିଛନ୍ତି। ସୋମବାରଠାରୁ ଉତ୍ତ୍ୟକ୍ତ ଲୋକେ ପୀଡ଼ିତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଛାଡୁ ନାହାଁନ୍ତି।

ଦୁଷ୍କର୍ମ ପରେ ଡାକ୍ତରୀ ମାଇନା କରିଥିବା ଡାକ୍ତର ଓ ଡିଆଇଜିଙ୍କ ନିଲମ୍ବନ ଦାବି କରିଛନ୍ତି ପୀଡିତାଙ୍କ ସମ୍ପର୍କୀୟ। ଡାକ୍ତର ଭୁଲ ରିପୋର୍ଟ ଦେଇଥିବା ଅଭିଯୋଗ କରିବା ସହ ଡିଆଇଜି ପୀଡ଼ିତାଙ୍କ ଉପରେ ମତ ବଦଳାଇବାକୁ ଚାପ ପକାଇଥିବା ଅଭିଯୋଗ କରିଛନ୍ତି। ଉତ୍ତେଜନାକୁ ଆଖି ଆଗରେ ରଖି ପୁଲିସ ଫୋର୍ସ ମୁତୟନ କରାଯାଇଛି।

କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି ନିକଟ ମୁଷାଗୁଡ଼ା ଗ୍ରାମ ଜଙ୍ଗଲରେ ୨୦୧୭ ଅକ୍ଟୋବର ୧୦ରେ ଯବାନ ପୋଷାକରେ ୪ଜଣ ଯୁବକ କୁନ୍ଦୁଲିର ଏହି ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏଥିରେ ସୁରକ୍ଷା ବାହିନୀର କିଛି କର୍ମଚାରୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା।

ନାବାଳିକାଙ୍କୁ କୌଣସି ଦୁଷ୍କର୍ମ ହୋଇ ନଥିବା ରିପୋର୍ଟ ଦେଇଥିଲେ ଡାକ୍ତର। ଏହାକୁ ନେଇ ରାଜନୀତି ଜୋର ଧରିଥିଲା। ତାପରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ଏହି ମାମଲା ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା ଓ ଏକ ରାଜନୈତିକ ପ୍ରସଙ୍ଗ ପାଲଟିଥିଲା।

ଘଟଣାର ତିନିମାସ ପରେ ପୀଡ଼ିତା ଜଣଙ୍କ ଆତ୍ମହତ୍ୟା କରିବା ପରେ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ। ଗୋଟିଏପଟେ ବିଜେପି ରାଜ୍ୟବ୍ୟାପି ଆନ୍ଦୋଳନ କରିବାକୁ ଡାକରା ଦେଇଛି। ଅନ୍ୟପଟେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଏକ ଟିମ୍ କୋରାପୁଟକୁ ଯାଇଛନ୍ତି।

ମହିଳାଙ୍କୁ ନ୍ୟାୟ ଦେବାରେ ରାଜ୍ୟ ସରକାର ବିଫଳ ବୋଲି କହିଛି ବିଜେପି ମହିଳା ମୋର୍ଚ୍ଚା। ଯେଉଁ ପର୍ଯ୍ୟନ୍ତ ରାଜ୍ୟ ସରକାର ମାମଲାର ସିବିଆଇ ଯାଞ୍ଚ୍ କରାନଯାଇଛି ସେପର୍ଯ୍ୟନ୍ତ ରାଜ୍ୟବ୍ୟାପି ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ପକ୍ଷରୁ ଧମକ୍ ଦିଆଯାଇଛି। ବିଜେପି ନବୀନ ନିବାସ ଘେରାଉ କରି ଘଟଣାର ପ୍ରତିବାଦ କରିଛି।

ଅନୁରୂପ ଭାବେ କଂଗ୍ରେସ ମଧ୍ୟ ଘଟଣାରୁ ରାଜନୀତିକ ଫାଇଦା ଉଠାଇବା ପାଇଁ ଚେଷ୍ଟା କରୁଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଘଟଣାସ୍ଥଳକୁ ଯାଇଥିବାବେଳେ ପୂର୍ବତନ କଂଗ୍ରେସ ସାଂସଦ ପଦୀପ ମାଝି ପୀଡ଼ିତାଙ୍କ ପରିବାର ସହ ରାସ୍ତା ଅବରୋଧବେଳେ ଉପସ୍ଥିତ ଥିଲେ।

Comment