ଭାସ୍କର ପରିଚ୍ଛା

କୁନ୍ଦୁଲି ଆଦିବାସୀ ଝିଅର ଆତ୍ମହତ୍ୟା ନବୀନ ପଟ୍ଟନାୟକ ସରକାରଙ୍କ ପାଇଁ କାଳଗ୍ରହ ସାଜିବ ଏହା ଜଳଜଳ ଦେଖାଯାଉଛି।କଂଗ୍ରେସ ଓ ବିଜେପି ପକ୍ଷରୁ ଏ ନେଇ ବୁଧବାର ଦିନ ଯେଉଁ ଓଡିଶା ବନ୍ଦ ଓ ପ୍ରତିବାଦ କରାଗଲା ତାହା ସହଜରେ ଥମିବ ତାହା ଲାଗୁନାହିଁ।ଯଦି ଆଉ ଗୋଟିଏ ସେଭଳି ଘଟଣା ନ ଘଟେ ଏହି ପ୍ରସଙ୍ଗଟିକୁ ବିରୋଧୀ ଦଳ ନିର୍ବାଚନ ପର୍ଯ୍ୟନ୍ତ ବଞ୍ଚାଇ ରଖିବା ପାଇଁ ଚାହିଁବେ।

କୁନ୍ଦୁଲି ଆତ୍ମହତ୍ୟା ଏଭଳି ସମୟରେ ଆସିଲା ଯେତେବେଳେ ନବୀନ ପଟ୍ଟନାୟକଙ୍କ ପାଇଁ ଖୁସି ହେବାର ବହୁ ଅବକାଶ ଥିଲା। ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ସମ୍ମାନିତ ହେବା, ସୁପ୍ରିମ କୋର୍ଟରେ ମହାନଦୀ ଟ୍ରିବ୍ୟୁନାଲ ମାମଲାରେ ଜିତାପଟ, ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକର ଉନ୍ମୋଚନ ପାଇଁ ପ୍ରଣବ ମୁଖାର୍ଜୀଙ୍କ ସମେତ ବହୁ ବଡ଼ବଡ଼ ନେତା ଭୁବନେଶ୍ୱର ଆସୁଥିବା, ଜାନୁଆରୀ ୨୬ ପରେଡ ଏ ସବୁ କୁନ୍ଦୁଲି ଘଟଣା ପାଇଁ ଫିକା ପଡ଼ିଲା କହିଲେ ଭୁଲ ହେବ ନାହିଁ।

ସତ କହିଲେ, ମୂଳରୁ ହିଁ କୁନ୍ଦୁଲି ମାମଲାକୁ ନବୀନଙ୍କ ବାବୁମାନେ ବିଗାଡ଼ି ଦେଇଥିଲେ। ଏଥିରେ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଥିଲେ ସରକାରଙ୍କ ପୋଲିସ ପ୍ରଶାସନ। ଘଟଣାର ତଦନ୍ତ କରି ସତକଥାକୁ ସାମନାକୁ ଆଣିବା ପାଇଁ ପ୍ରଶାସନ ଭିତରେ କେହି ବି ଚାହିଁଲେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ପାଇଁ ତ ଏହିଭଳି ସମ୍ବେଦନଶୀଳ ମାମଲାର ବିବେଚନା କରିବାର ଅବକାଶ ରଖା ଯାଇନାହିଁ। ସମଗ୍ର ମାମଲାଟିକୁ କେମିତି ଅଡ଼ୁଆ ତଡୁଆ କରିଦିଆଗଲା ତାହା ଜାଣିବା ଦରକାର।

ପ୍ରଥମେ ଏହି ନାବାଳିକାର ଡାକ୍ତରୀ ପରୀକ୍ଷା ରିପୋର୍ଟକୁ ଜାଣି ଜାଣି ଚପେଇ ଦିଆଗଲା। ଅକ୍ଟୋବର ୧୦ ତାରିଖରେ ୪ ଜଣ ଯବାନ ନିରୀହ ଝିଅଟିକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ପରେ ସବୁସ୍ତରରେ ଏହାକୁ ଚପେଇ ଦେବା ପାଇଁ ଉଦ୍ୟମ କରାଗଲା। ଓଡ଼ିଶା ମାନବ ଅଧିକାର କମିଶନଙ୍କ ନିର୍ଦ୍ଦେଶ ପରେ ରିପୋର୍ଟ ତ ଆସିଲା। କିନ୍ତୁ ଓଡ଼ିଶା ପୋଲିସ ବିଭାଗର ମାନବ ଅଧିକାର ସୁରକ୍ଷା ସେଲର ଏଡିଜି ରିପୋର୍ଟ ଦେଲେ ଯେ କୌଣସି ରେପ୍ ହୋଇନାହିଁ, ଗଣ ଦୁଷ୍କର୍ମ ତ ପରର କଥା।

ଅକ୍ଟୋବର ୧୦ ଘଟଣା ପରେ ବହୁ ପ୍ରଶ୍ନ ସାମ୍ନାକୁ ଆସିଲା। ଯଦି ଦୁଷ୍କର୍ମ ହୋଇ ନ ଥିଲା କାହିଁକି ପୋଲିସ ତତ୍ତ୍ବାବଧାନରେ ସେହି ଝିଅର ଚିକିତ୍ସା ହେଉଥିଲା।ପୋଲିସ ପକ୍ଷରୁ ୪ ଜଣ ଯୁବକଙ୍କୁ ଥାନାକୁ ଆଣି ଅତ୍ୟାଚାର କରାଯିବା, ଜଣେ ଯୁବକଙ୍କୁ ଲାଇ ଡିଟେକ୍ସନ୍ ଟେଷ୍ଟର ସାମ୍ନା କରିବାକୁ ହୋଇଥିଲା। କୁହାଗଲା ଯେ ଏହା ଏକ ପ୍ରେମ ଘଟଣା। ତା ପରେ ସେହି ଝିଅକୁ ଏସ୍‌ସିବିକୁ ସ୍ଥାନାନ୍ତର କରାଗଲା। କିନ୍ତୁ ମା’କୁ ଝିଅ ସହିତ ଭେଟ କରିବା ପାଇଁ ଦିଆଗଲା ନାହିଁ।

ମେଡିକାଲରୁ ଘରକୁ ନେବା ବେଳେ ତା ପାଖରେ ପରିବାର ଲୋକ କେହି ନଥିଲେ। ସବୁଠାରୁ ଗୁରୁତର କଥା ହେଉଛି ପୀଡ଼ୀତାର ଅଭିଯୋଗ ଯେ ପୋଲିସ ଡିଜି ନିଜେ ଏସ୍‌ସିବିରେ ଚିକିତ୍ସା ହେଉଥିବା ବେଳେ ତାକୁ ୯୦ ହଜାର ଟଙ୍କା ଯାଚିଥିଲେ। ଏହିସବୁ ଘଟଣାକ୍ରମକୁ ଦେଖିଲେ ମନେହେବ ଯେ କୁନ୍ଦୁଲି ମାମଲାକୁ କେନ୍ଦ୍ରକରି ପୋଲିସ ପୂରାପୁରି ତା ପଛରେ ଛାଇ ହୋଇଯାଇଥିଲା। ସରକାରଙ୍କ ପକ୍ଷରୁ ପରେ ଘୋଷଣା କରାଗଲା ଯେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। ଠିକ୍ ତା’ ପରେ ସରକାର ଘୋଷଣା କଲେ ଯେ ଏହାର ନ୍ୟାୟିକ ତଦନ୍ତ ହେବ। ଏଣୁ ପ୍ରତ୍ୟେକ ସ୍ତରରେ କୁନ୍ଦୁଲି ଘଟଣାର ସତ୍ୟ ଉନ୍ମୋଚନ ପ୍ରତି ବିପଦ ଲାଗି ରହିଥିଲା। କୁନ୍ଦୁଲି ଘଟଣା ଏକ ଗୋଲକ ଧନ୍ଦାରେ ପରିଣତ ହେବା ପଛରେ ଗୋଟିଏ ବଡ଼ କାରଣ ହେଉଛି ଖାକିବାଲା ଏହି ଅପରାଧ କରିଥିଲେ ଓ ସେହି ଖାକିବାଲା ସେମାନଙ୍କୁ ସୁରକ୍ଷା ନିମନ୍ତେ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଇଥିଲେ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା- ଏତେ ସବୁ ପ୍ରଲୋଭନ, ଚାପ, ଭୟ ପ୍ରୟୋଗ ସତ୍ତ୍ବେ ସେହି ଝିଅଟି ଶେଷ ପର୍ଯ୍ୟନ୍ତ ନିଜ ଅଭିଯୋଗରେ ଅଟଳ ରହିଥିଲା। ଗୋଟିଏ ଆଦିବାସୀ ଝିଅ ପୋଲିସ ଭଳି ଏକ ସର୍ବଶକ୍ତିମାନ ସଂସ୍ଥାର ଯାବତୀୟ ଷଡ଼ଯନ୍ତ୍ରକୁ ଆଉ କେତେ ଅବା ସହ୍ୟ କରି ପାରିଥାନ୍ତା?

ଏଣୁ ଲୋକଲଜ୍ଜା କାରଣରୁ ଓ ମାନସିକ ଭାରସାମ୍ୟ ହରାଇ କୁନ୍ଦୁଲି ପୀଡ଼ୀତା ଆତ୍ମହତ୍ୟା କରିବା ବିଚିତ୍ର କଥା ନୁହେଁ। ବର୍ତ୍ତମାନ ପ୍ରଶ୍ନ ହେଉଛି ଏହି ଘଟଣାର ତଦନ୍ତ ଅବସ୍ଥା କଣ ହେଵ ଯେ ହେତୁ ଝିଅଟି ପ୍ରାଣ ହରାଇଛି।ରାଜନୈତିକ ଦୃଷ୍ଟିରୁ ନବୀନ ସରକାରଙ୍କ ପାଇଁ କୁନ୍ଦୁଲି ଘଟଣା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ। ବିବେକ କହୁଛି ଏହି ଘଟଣାର ନିରପେକ୍ଷ ତଦନ୍ତ ହେବା ଦରକାର ଓ ଦୋଷୀ ଉପଯୁକ୍ତ ଦଣ୍ଡ ପାଇବା ଉଚିତ। ଯେହେତୁ ଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା କରିଛି ତଦନ୍ତକାରୀ ଅଧିକାରୀମାନେ ଏଥିରେ ଢିଲା ମାରିବା ସ୍ଵାଭାବିକ। କିନ୍ତୁ ଏହି ଘଟଣାର ନିର୍ବାଚନୀ ପରିଣାମ ଆଗାମୀ ଦିନରେ ସାଙ୍ଘାତିକ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଯଦି ନବୀନ ପଟ୍ଟନାୟକଙ୍କ ସରକାର କୁନ୍ଦୁଲି ଘଟଣାର ସିବିଆଇ ତଦନ୍ତ ପାଇଁ ପଠାଇଦେବା ଉଚିତ ହେବ। ଅବଶ୍ୟ ସିବିଆଇ ତଦନ୍ତରୁ ବି କିଛି ସୁଫଳ ମିଳିବ ତାହା ଦେଖା ଯାଉନାହିଁ ଯେମିତି ଇତିଶ୍ରୀ ପ୍ରଧାନ ଘଟଣାରେ ହେଲା।

ନବୀନ ସରକାର ଅନ୍ତତଃ ନିଜ ଉପରୁ ଦୋଷ କଟାଇ ଦେଇପାରିବେ। ଉଭୟ କଂଗ୍ରେସ ଓ ବିଜେପି ଯଦି ଆଗାମୀ ଦିନରେ କୁନ୍ଦୁଲି ଘଟଣା ସହ ଅନ୍ୟ ସବୁ ମାମଲାକୁ ଉଠାଇ ସରକାରଙ୍କୁ ଉଠବସ୍ କରିବେ ଏଥିରେ ଆଚମ୍ବିତ ହେବାର ନାହିଁ। ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳି ସରକାରର ସମୟ ଶେଷ ହୋଇ ଆସୁଥିବା ବେଳେ କୁନ୍ଦୁଲି ଘଟଣା ଆଉ ଗୋଟିଏ ଛବିରାଣୀ କଳଙ୍କ ନହେବ ସେ କଥା କିଏ କହିବ!

(ଏହା ଲେଖକଙ୍କ ବ୍ୟକ୍ତିଗତ ମତ ଏବଂ ଏହା ସହିତ ଓଡ଼ିଶାଲାଇଭ୍‍ ସମ୍ପାଦନାମଣ୍ଡଳୀ ବା ପଲିସି କୌଣସି ଭାବେ ଜଡ଼ିତ ନୁହେଁ।)

 

Comment