ଓଡ଼ିଶାଲାଇଭ୍‍ ବ୍ୟୁରୋ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜାତୀୟ ନେତା ବିଜୁ ପଟ୍ଟନାୟକଙ୍କ ଦୁର୍ଦ୍ଧର୍ଷ ପାଇଲଟ ଜୀବନ, ଜାତୀୟ ରାଜନୀତିରେ ଯୋଗଦାନ ଏବଂ ତାଙ୍କର ଜାତୀୟ ତଥା ଅନ୍ତର୍ଜାତୀୟ ସମ୍ପର୍କକୁ ନେଇ ପ୍ରସ୍ତୁତ ହୋ‍ଇଛି ଏକ କଫି ଟେବୁଲ ବୁକ୍‍। ଇଂଲିସରେ ଲିଖିତ ଏହି ପୁସ୍ତକର ଉନ୍ମୋଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ କମିଟି।

୨୭ ଜାନୁଆରି ଅପରାହ୍‌ଣରେ ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପରେ ଏହି ବହିର ଉନ୍ମୋଚନ ପାଇଁ ଏକ ବିଶେଷ ଉତ୍ସବର ଆୟୋଜନ କରାଯାଉଛି। ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ା, ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଏବଂ ବରିଷ୍ଠ ବାମପନ୍ଥୀ ନେତା ସୀତାରାମ ୟେଚୁରି ବିଶେଷ ଅତିଥି ଭାବେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଭାରେ ଅଧ୍ୟକ୍ଷତା କରିବେ।

ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲା ମଧ୍ୟ ଏହି ଉତ୍ସବକୁ ନିମନ୍ତ୍ରିତ ହୋ‍ଇଆସୁଛନ୍ତି। ପ୍ରଭୁ ‘ଦ ଟଲ୍‍ ମ୍ୟାନ୍‍’ ପୁସ୍ତକର ସମୀକ୍ଷା କରିବେ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭ‌ଉଣୀ ଗୀତା ମେହେଟ୍ଟା ମଧ୍ୟ ଯୋଗଦେବାର ସମ୍ଭାବନା ରହିଛି।


ଏହି ଉତ୍ସବକୁ ବିଶେଷ ଆକର୍ଷଣୀୟ କରିବା ପାଇଁ ବିଜୁ ପଟ୍ଟନାୟକ ଶତବାର୍ଷିକୀ କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଛି। ଏଥିରେ ପ୍ରାୟ ୪ରୁ ୫ ହଜାର ଦର୍ଶକ ଉପସ୍ଥିତ ରହିପାରିଲା ଭଳି ବ୍ୟବସ୍ଥା କରାଯାଉଛି। ଉତ୍କଳ ମଣ୍ଡପ ଭଳି ଖୋଲା ପ୍ରେକ୍ଷାଳୟରେ ସେଦିନ ବିଜୁବାବୁଙ୍କ ସ୍ମୃତିକୁ ଜୀବନ୍ତ କରିବା ପାଇଁ ବିଭିନ୍ନ ହୋର୍ଡିଂ ଓ କଟଆଉଟ୍‍ ଲଗାଯିବ।

ଦଳମତ ନିର୍ବିଶେଷରେ ବିଜୁବାବୁଙ୍କୁ ସମସ୍ତେ ଭଲପାଉଥିଲେ। ତେଣୁ ତାଙ୍କର ଜନ୍ମ ଶତବାର୍ଷିକୀ ବର୍ଷ ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ଦଳ ପ୍ରମୁଖ ନେତାମାନଙ୍କ ସହ ବୁଦ୍ଧିଜୀବୀ, ସାମ୍ବାଦିକ ଓ ଲେଖକ, କଳାକାର, ପ୍ରଶାସକ, ସ୍ୱାଧୀନତା ସଂଗ୍ରାମୀ ତଥା ଛାତ୍ରଛାତ୍ରୀଙ୍କୁ ନିମନ୍ତ୍ରିତ କରାଯାଉଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ନିମନ୍ତ୍ରିତ ଅତିଥି ଓ ବିଜୁପ୍ରେମୀମାନେ ଯୋଗଦେବେ।

Comment