ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ପାଇଁ ସଜବାଜ ହୋଇଛି କଂଗ୍ରେସ। ପ୍ରାର୍ଥୀ ଚୟନ ପାଇଁ ଗଠନ କରିଛି ୬ ଜଣିଆ କମିଟି।

ବିଜେପୁର ଉପ-ନିର୍ବାଚନ ପାଇଁ ବିଗୁଲ୍‌ ବାଜିବା ପରେ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇ ଉଠିଛି। ଓଡ଼ିଶା କଂଗ୍ରେସର ୪ ବରିଷ୍ଠ ନେତା ଦିଲ୍ଲୀ ଯାଇ ବିଜେପୁର ସମ୍ପର୍କରେ ଆଲୋଚନା କରିବା ପରେ ଶନିବାର ଏକ କମିଟି ଗଠନ କରାଯାଇଛି।

ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳଙ୍କ ନେତୃତ୍ୱରେ ୬ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟିରେ ବିଧାୟକ ନବ ଦାସ ଏବଂ ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ସଦସ୍ୟ ଅଛନ୍ତି। ଏହି ସଦସ୍ୟମାନେ ବିଜେପୁର ଉପ-ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଚୟନ କରିବେ।

ବିାଜେପୁର ଉପ-ନିର୍ବାଚନ ପାଇଁ କଂଗ୍ରେସରୁ ଦୁଇ ଜଣ ଆଶାୟୀ ଅଛନ୍ତି। ରିପୁନା ସେଠ୍‌ ଏବଂ ପ୍ରଣୟ ସାହୁ ପ୍ରାର୍ଥୀ ହେବା ପାଇଁ ଲବି ଚଳାଇଛନ୍ତି।

ଅକ୍ଟୋବର ମାସରେ କଂଗ୍ରେସ ବିଜେପୁର ପାଇଁ ୪ ଜଣିଆ ପର୍ଯ୍ୟବେକ୍ଷକ କମିଟି ଗଠନ କରିଥିଲା। ଏହି କମିଟିରେ ବିଧାୟକ ନବ କିଶୋର ଦାସ, ପୂର୍ବତନ ମନ୍ତ୍ରୀ କିଶୋର ପଟେଲ୍, କଂଗ୍ରେସ ନେତା ପ୍ରକାଶ ଚନ୍ଦ୍ର ଦେବତା, ପୂର୍ବତନ ବିଧାୟକ ସାଧୁ ନେପାକ ରହିଥିଲେ। ଏମାନେ ବିଜେପୁର ଗସ୍ତ କରି କଂଗ୍ରେସର ସ୍ଥିତି ପରଖି ପିସିସି ସଭାପତିଙ୍କୁ ଗ୍ରାଉଣ୍ଡ ରିପୋର୍ଟ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା।

ବିଜେପୁର ନିର୍ବାଚନମଣ୍ଡଳୀ କଂଗ୍ରେସ ଦଖଲରେ ରହିଥିଲା। ସୁବଳ ସାହୁ ଏଠାରୁ କଂଗ୍ରେସ ଟିକେଟରେ ଲଗାତାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ୨୦୧୭ ଅଗଷ୍ଟ ୨୧ରେ ସୁବଳ ସାହୁଙ୍କ ଦେହାନ୍ତ ହେବା ପରେ ଏହି ଆସନ ଖାଲି ପଡ଼ିଛି। ସୁବଳ ସାହୁଙ୍କ ପରିବାର ବିଜେଡିରେ ଯୋଗ ଦେଇଛନ୍ତି। ଏଣୁ ବିଜେପୁର ଆସନ କଂଗ୍ରେସ ପାଇଁ ଚାଲେଞ୍ଜ ହୋଇଛି।

କଂଗ୍ରେସ ନିଜ ଗଡ଼କୁ ସୁରକ୍ଷିତ ରଖିବା ପାଇଁ ଉଦ୍ୟମ କରୁଛି। ହେଲେ ବିଜେଡି ଓ ବିଜେପିର ଛକାପଞ୍ଝା ରାଜନୀତି ଭିତରେ କଂଗ୍ରେସ ଶିବିରରେ ନିରାଶ ଖେଳି ଯାଇଛି। କଂଗ୍ରେସ କିପରି ବିଜେପୁରକୁ କବ୍‌ଜା କରିବ ସେନେଇ ରଣନୀତି ପ୍ରସ୍ତୁତ କରୁଛି।

Comment