ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ୱାର୍କିଂ କମିଟିରେ ଅଦଳବଦଳ ହୋଇସାରିଛି। ଯେତେବେଳେ ବି ଦିଲ୍ଲୀରେ କିଛି ବି ପରିବର୍ତ୍ତନ ହୁଏ, ସେତେବେଳେ ଓଡ଼ିଶା କଂଗ୍ରେସର ନେତୃତ୍ୱ ବଦଳ ପାଇଁ ଆଲୋଚନା ହୁଏ। ଅଧିକ ଆଲୋଚନା କଂଗ୍ରେସ ଅଫିସରେ ହୁଏ। ଗତ ନିର୍ବାଚନ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ ନିରଞ୍ଜନ ନିଜେ ଇସ୍ତଫା ଦେଇଥିଲେ। ହେଲେ ତାହା ଗୃହୀତ ହୋଇ ନ ଥିଲା। ଆଉ ସେବେଠାରୁ ଥାଇ ନ ଥିଲା ଭଳି କଂଗ୍ରେସ ଚାଲିଛି। ତେବେ ଯଦି ନେତୃତ୍ୱ ପରିବର୍ତ୍ତନ ପାଇଁ ସୋନିଆ ଚାହାନ୍ତି, ତେବେ କାହାକୁ ପିସିସି ସଭାପତି କରିବେ, କିଏ କଂଗ୍ରେସକୁ ନୂଆ ଦିଶା ଦେଖାଇବ, ନା ଏମିତି ପରିବର୍ତ୍ତନ ନ୍ୟାୟରେ ନେତୃତ୍ୱ ପରିବର୍ତ୍ତନ ହେବ? ଏମିତି ଅନେକ ପ୍ରଶ୍ନ।

କିଛି ବଦଳିବ ନା ଏମିତି ଗପ ଚାଲିଥିବ? ଆଗକୁ ୨ଟି ଉପ ନିର୍ବାଚନ ଥିବା ବେଳେ ନିରଞ୍ଜନଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ିବ ନା କିଛି ବଦଳିବ ତା ଉପରେ ସମସ୍ତଙ୍କ ନଜର।

ନିରଞ୍ଜନ କାହିଁକି ବିଫଳ?

କଂଗ୍ରେସରେ ନେତୃତ୍ୱକୁ ବିରୋଧ କରିବା ଗୋଟେ ପୁରୁଣା ରୋଗ। ଏହା ଜାନକୀ ପଟ୍ଟନାୟକଙ୍କ ପୂର୍ବରୁ ଥିଲା, ଏବେ ବି ଚାଲିଛି। ତେବେ ନିରଞ୍ଜନ ଏମିତି ସମୟରେ ନେତୃତ୍ୱ ନେଲେ ଯେତେବେଳେ ଦଳ ଅସ୍ଥିତ୍ୱ ପାଇଁ ସଂଘର୍ଷ କରୁଥିଲା, କିନ୍ତୁ ଆଗକୁ ଅନ୍ତତଃ ସମ୍ମାନ ରକ୍ଷା କରିବା ପାଇଁ ସୁଯୋଗ ଥିଲା। ହେଲେ ସବୁ ଗଡ଼ବଡ଼ ହେଲା ଟିକେଟ ବଣ୍ଟନ ବେଳେ।

ଅନେକ ଲୋକ ଜିତିବାର ସମ୍ଭାବନା ନ ଥାଇ ମଧ୍ୟ ଟିକଟ ହାତେଇ ନେଲେ। ନିଜେ ନିରଞ୍ଜନ ବି କିଛି ସ୍ଥାନରେ ସମାନ ତ୍ରୁଟି ଦୋହରାଇଲେ। ଯେମିତି ନିରଞ୍ଜନ ନିଜ ପାଇଁ ୨ଟା ଓ ପୁଅ ପାଇଁ ଗୋଟେ ଟିକଟ ନେଲେ। ସେମିତି ନରସିଂହ ମିଶ୍ର, ଭକ୍ତ ଦାସ, ଅନନ୍ତ ସେଠୀଙ୍କ ଭଳି ଅନେକ ନେତା ନିଜ ପରିବାର ପାଇଁ ଏକାଧିକ ଟିକଟ ହାସଲ କଲେ। ରାଜ୍ୟର ଶୀର୍ଷ ନେତୃତ୍ୱରେ ଏହାକୁ ନେଇ ବିରୋଧ ରହିଲା। ସମନ୍ୱୟ ରହିଲାନି। ଆଉ ବିରୋଧୀ ଦଳ ଚେୟାର ବି ହରାଇଲା କଂଗ୍ରେସ। ସବୁଠାରୁ ବଡ଼ ସମସ୍ୟା ହେଲା, ଦଳ ଯୁବ ନେତୃତ୍ୱ ଉପରେ ଭରସା କଲା। ଆଉ ଭୋଟରଙ୍କ ଆଗରେ କୌଣସି ଯୁବନେତୃତ୍ୱଙ୍କୁ ଠିଆ କରିପାରିଲାନାହିଁ। ସେହି ନିରଞ୍ଜନ, ଜୟଦେବ, ଭକ୍ତ ଦାସ, ନରସିଂହ, ଅନନ୍ତଙ୍କ ଭଳି ଭେଟେରାନ ଲିଡର ସାମ୍ନାରେ ରହିଲେ।BGU

ବଦଳିଲେ କାହାକୁ ଗୁରୁତ୍ୱ?

ମହମ୍ମଦ ମୋକିମ- କଟକ ବାରବାଟୀ ଆସନର ବିଧାୟକ। ଦେବାଶିଷ ସାମନ୍ତରାୟଙ୍କ ଭଳି ଟାଣୁଆ ନେତାଙ୍କୁ ହରାଇ ବିଧାନସଭାକୁ ଆସିଛନ୍ତି। ବଡ଼ ବ୍ୟବସାୟ ଅଛି। ସଂଗଠନରେ ବି କିଛି ପରିମାଣରେ ଦବଦବା ଅଛି। ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ହୋଇଥିବାରୁ ଦଳ ପାଇଁ ବ୍ୟକ୍ତିଗତ ଭାବେ କିଛି କରିବାର ଦକ୍ଷତା ରଖନ୍ତି। କିନ୍ତୁ ସେ ଉପକୂଳ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ସମନ୍ୱୟ ରଖିପାରିବେ କି ନାହିଁ, ତାହା ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କୁ ବିଚାର କରିବାକୁ ପଡ଼ିବ।

ତାରାପ୍ରସାଦ ବାହିନିପତି – ବେଶ ଲୋକପ୍ରିୟ ବିଧାୟକ। କଥାରେ ଲୋକଙ୍କୁ ମୁଗ୍ଧ କରିପାରନ୍ତି। ନିଜ ନିର୍ବାଚନମଣ୍ଡଳୀକୁ ଛାଡ଼ିଦେଲେ ଦକ୍ଷିଣରେ ମଧ୍ୟ ତାଙ୍କର ଅଳ୍ପ ବହୁତ ପ୍ରଭାବ ରହିଛି। ଦୀର୍ଘଦିନ ଧରି ରାଜନୀତି କରୁଥିବାରୁ, ସାଂଗଠନିକ ପରିଚାଳନା ନେଇ ଜ୍ଞାନ ଓ ଦକ୍ଷତା ରହିଛି। କିନ୍ତୁ ସେ ଉପକୂଳ ଓଡ଼ିଶାରେ କେତେ ଗ୍ରହଣୀୟ ହେବେ ତାହା ଏକ ପ୍ରଶ୍ନବାଚୀ।

ବିଶ୍ୱାଳ ଭ୍ରାତା– ରଞ୍ଜୀବ ଓ ଚିରଞ୍ଜିବୀ ବିଶ୍ୱାଳ। ବସନ୍ତ ବିଶ୍ୱାଳଙ୍କ ପୁଅ ହିସାବରେ ଓ ନିଜସ୍ୱ  ରାଜନୈତିକ ଅଭିଜ୍ଞତା ଯୋଗୁ ଦଳରେ ସବୁବେଳେ ଗୁରୁତ୍ୱ ପାଇ ଆସିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ କେହି ଜଣେ ଦଳର ସମ୍ପୂର୍ଣ୍ଣ ଦାୟିତ୍ୱ ନେବାକୁ କେତେ ପ୍ରସ୍ତୁତ ତାହା ଶୀର୍ଷ ନେତୃତ୍ୱକୁ ବିଚାର କରିବାକୁ ପଡ଼ିବ।

ପ୍ରଦୀପ ମାଝି

– ଜଣେ ସ୍ଥିର କିନ୍ତୁ ସକ୍ରିୟ ଯୁବନେତା ଭାବେ କଂଗ୍ରେସ ସମେତ ସାରା ଓଡ଼ିଶାରେ ପରିଚୟ ରହିଛି। ଏହାଛଡ଼ା ବୟସ କମ ହୋଇଥିବାରୁ ଅଧିକ ସମୟ ଦେଇପାରିବେ। ଏହାବାଦ ଆଦିବାସୀ ହୋଇଥିବାରୁ ଆଦିବାସୀକୁ ପ୍ରତିନିଧିତ୍ୱ ମିଳିବ। ଏମିତି ବି ଓଡ଼ିଶାରେ ଆଦିବାସୀ ଭୋଟ ଓଡ଼ିଶାର ରାଜନୀତିକୁ ନିୟନ୍ତ୍ରିତ କରେ। କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ମଧ୍ୟ ତୁଲାଇ ସାରିଛନ୍ତି। ଦକ୍ଷିଣ ଓଡ଼ିଶାରେ ତାଙ୍କର ବେଶ ପ୍ରଭାବ ରହିଛି। ନିର୍ବାବିବାଦୀୟ ନେତା କିନ୍ତୁ ମଝିରେ ସେ ବିଜେପି ମୁହାଁ ବୋଲି ଚର୍ଚ୍ଚା ହୋଇଥିଲା।

ଭକ୍ତ ଦାସ– ଭେଟେରାନ ରାଜନେତା। କେନ୍ଦ୍ରୀୟ ନେତୃତ୍ୱଙ୍କ ମଧ୍ୟରେ ବେଶ ପରିଚିତ। ପୂର୍ବତନ କେନ୍ଦ୍ରମନ୍ତ୍ରୀ। ଦଳିତ ବର୍ଗକୁ  ପ୍ରତିନିଧିତ୍ୱ କରନ୍ତି। ସଂଗଠନରେ ଭୂମିକା ରହିଥିଲେ ମଧ୍ୟ, ବେଶ କିଛି ଦିନ ହେଲା ପଶ୍ଚିମ ଓଡ଼ିଶାରେ କଂଗ୍ରେସ ପାଇଁ ବିଶେଷ କିଛି କରିପାରିନାହାନ୍ତି। ୨୦୦୯ ନିର୍ବାଚନ ପରଠାରୁ କଂଗ୍ରେସ ସେଠାରେ ଖରାପ ପ୍ରଦର୍ଶନ କରୁଛି। ତେବେ ତାଙ୍କୁ ଅନ୍ୟ ରାଜ୍ୟର ପ୍ରଭାରୀ ଦାୟିତ୍ୱ ଦିଆଯାଇଥିବାରୁ ସେ ରାଜ୍ୟ କଂଗ୍ରେସର ନେତୃତ୍ୱ ନେବା ସମ୍ଭାବନା କ୍ଷୀଣ। ତଥାପି ରାଜନୀତିରେ ସବୁ ସମ୍ଭବ।

Comment