ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଏସ୍‌ପି ଅଫିସ ସମ୍ମୁଖରେ ବିଜେପିର ବିକ୍ଷୋଭ
  • ଜଗତସିଂହପୁରରେ ବିଜେପି ମହିଳା ମୋର୍ଚ୍ଚାର କୋକେଇ ଶୋଭାଯାତ୍ରା
  • ଫୋରେନସିକ୍ ଲାବର ରିପୋର୍ଟକୁ ନେଇ ସନ୍ଦେହ

କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ବିଜେପି। ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟୀ କରି ବିଜେପି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ ସାମ୍ବଦିକ ସମ୍ମିଳନୀରେ କହିଛନ୍ତି, “କୁନ୍ଦୁଲି ଘଟଣାକୁ ଚପାଇ ଦେବାକୁ ସରକାର ନାବାଳିକା ଉପରେ ଚାପ ପକାଇଥିଲେ। ଡାକ୍ତରଙ୍କୁ ଧରି ଷଡ଼ଯନ୍ତ୍ର କରାଯାଇଥିଲା। ଏହା ଅତି ଦୁଃଖଦ ଘଟଣା।”

କୁନ୍ଦୁଲି ପୀଡ଼ିତାଙ୍କ ମୃତ୍ୟୁ ପରେ ଜୋର୍ ଧରିଛି ରାଜନୀତି। କୁନ୍ଦୁଲି ପୀଡ଼ିତାଙ୍କ ମୃତ୍ୟକୁ ନେଇ କଂଗ୍ରେସ ଓଡ଼ିଶା ବନ୍ଦ କରିଥିଲା। ବିଜେପି ହରତାଲ୍ କରିଥିଲା। ଏପଟେ ବିଜେପି ଆନ୍ଦୋଳନ ଜାରି ରଖିଛି। ଶନିବାର ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ କରିବା ସହ ବିଜେପି ମହିଳା ମୋର୍ଚ୍ଚା କୋକେଇ ଶୋଭାଯାତ୍ରା କରିଛି। ଜଗତସିଂହପୁରରେ ମହିଳା ମୋର୍ଚ୍ଚା ଏହି ଅଭିନବ ଶୋଭାଯାତ୍ରା କରିଛି। ଶୁକ୍ରବାର ବିଜେପିର ୧୦ ଜଣିଆ ଟିମ୍‌ ପୀଡ଼ିତା ପରିବାରକୁ ଭେଟିଛନ୍ତି।

ଶନିବାର ରାଜ୍ୟ ଫୋରେନସିକ୍ ଲାବ ତନାଘନା କରିଛି। କେମିତି ଫୋରନେସିକ ଲାବ ରିପୋର୍ଟ ପଦାକୁ ଆସିଲା ତାକୁ ନେଇ ଖୋଳତାଡ ଚାଲିଛି।

ଅକ୍ଟୋବର ୧୭ରେ ରାଜ୍ୟ ଫୋରେନସିକ୍ ଲାବ୍ କୁନ୍ଦୁଲି ପୀଡ଼ିତାଙ୍କ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଏଥିରେ ପୀଡ଼ିତା ଅନ୍ତବସ୍ତ୍ରରେ ଦୁଇ ଜଣଙ୍କ ସିମେନର ନମୁନା ମିଳିଥିଲା। ଏହା ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହାକୁ ପ୍ରିଲିମନାରୀ ଇଣ୍ଟର ଡିଭିଜନାଲ ରିପୋର୍ଟ କହିଥିଲେ ଲାବ ଅଧିକାରୀ। ଚୂଡ଼ାନ୍ତ ରିପୋର୍ଟରେ ଗଣବଳାତ୍କାରର କୌଣସି ପ୍ରମାଣ ନାହିଁ ବୋଲି ଲାବ ପକ୍ଷରୁ କୁହାଯାଇଛି।

ପ୍ରିଲିମନାରି ଏବଂ ଚୂଡ଼ାନ୍ତ ରିପୋର୍ଟରେ ତାଳମେଳ ରହୁ ନଥିବାରୁ ସନ୍ଦେହଘେରକୁ ଆସିଛି ଫୋରେନସିକ୍ ଲାବ୍।

Comment