ଓଡ଼ିଶାଲାଇଭ୍ ବ୍ୟୁରୋ

ଚିଟ୍‌ପଣ୍ଡ ଜମାକାରୀଙ୍କ ପାଇଁ ଖୁସି ଖବର ନେଇ ଆସିଛନ୍ତି ରାଜ୍ୟ ସରକାର। ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

  • ଖୁବ୍‌ଶୀଘ୍ର କ୍ଷୁଦ୍ରଜମାକାରୀଙ୍କ ଅର୍ଥ ଫେରସ୍ତ
  • ପ୍ରାଥମିକ ପର୍ଯ୍ୟାୟରେ ୬୨୧୫ଜଣ କ୍ଷୁଦ୍ରଜମାକାରୀ ଫେରି ପାଇବେ ଜମା ଟଙ୍କା

ପୂର୍ବ ପ୍ରତିଶୃତି ମୁତାବକ ସରକାର କ୍ଷୁଦ୍ର ଜମାକାରୀଙ୍କ ଟଙ୍କା ଫେରସ୍ତ ଦେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।

ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୬୨୧୫ଜଣ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରାଇବାପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।

ଜମାକାରୀମାନଙ୍କୁ ୧୦ରୁ ୧୦୦ଟଙ୍କା ପର୍ଯ୍ୟନ୍ତ ଇଣ୍ଡିମେଣ୍ଟ ବଣ୍ଡ(କ୍ଷତିପୂରଣ ଫି’) ଦେବାପାଇଁ ପୂର୍ବରୁ ସ୍ଥିର କରିଥିବାବେଳେ ଏହାକୁ ମଧ୍ୟ ଛାଡ୍‌ କରିବାପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ମାତ୍ର ଏଥିପାଇଁ କେତେକ ସରକାରୀ ନୀତିନିୟମ ରହିଥିବାରୁ ଏନେଇ ଖୁବ୍‌ଶୀଘ୍ର କ୍ୟାବିନେଟ୍‌ରେ ଏକ ପ୍ରସ୍ତାବକୁ ଅନୁମୋଦନ ଦେବାକୁ ସରକାର ସ୍ଥିର କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।

ପୂର୍ବରୁ ବିଭିନ୍ନ ଚିଟ୍‌ଫଣ୍ଡରେ ୧୦ହଜାର ଟଙ୍କା କିମ୍ବା ତା’ଠାରୁ କମ୍‌ ଅର୍ଥ ଜମା କରିଥିବା ହିତାଧିକାରୀଙ୍କୁ ସରକାର ଟଙ୍କା ଫେରାଇବାପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ସରକାର ୩୦୦ କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଗଠନ କରିଛନ୍ତି। ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ପି.କେ. ମହାନ୍ତି କମିଶନଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା।

କମିଶନଙ୍କ ନିକଟରେ ତିନୋଟି ପର୍ଯ୍ୟାୟରେ ପ୍ରାୟ ୮ଲକ୍ଷ ହିତାଧିକାରୀ ସତ୍ୟପାଠ ଦାଖଲ କରିଛନ୍ତି। ସେଥିମଧ୍ୟରେ ୧ଲକ୍ଷ ୧୬ହଜାର ୫୦୬ଜଣ ୧୦ହଜାର ଟଙ୍କା ଏବଂ ତା’ଠାରୁ କ୍ଷୁଦ୍ର ଜମାକାରୀ ରହିଛନ୍ତି। ଇତିମଧ୍ୟରେ ସରକାରଙ୍କ ନିକଟରେ କ୍ଷତିପୂରଣ ଫି ଦେଇ ଟଙ୍କା ଫେରିପାଇବା ପାଇଁ ୬୨୧୫ ଜଣ କ୍ଷୁଦ୍ର ଜମାକାରୀ ଆବେଦନ କରିଛନ୍ତି।

ଖୁବ୍‌ଶୀଘ୍ର ଚିଟ୍‌ଫଣ୍ଡ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

କ୍ଷୁଦ୍ର ଜମାକାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଆଉ ଆଗକୁ ପାଦେ ଯାଇ କ୍ଷୁଦ୍ର ଜମାକାରୀ ଯେଭଳି ସହଜରେ ସେମାନଙ୍କ ଟଙ୍କା ଫେରି ପାଇବେ ସେଥିପାଇଁ କ୍ଷତିପୂରଣ ଫି’ ବ୍ୟବସ୍ଥା ଉଠାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଜମାକାରୀମାନେ ଯେଭଳି ସାଦା କାଗଜରେ ଦସ୍ତଖତ ଦେଇ ସେମାନଙ୍କ ଜମା ଅର୍ଥ ଫେରି ପାଇବେ ସେନେଇ ଚିଠା ପ୍ରସ୍ତୁତ ହୋଇଛି।

Comment