ଓଡ଼ିଶାଲାଇଭ୍ ବ୍ୟୁରୋ

- ପଟ୍ଟାମୁଣ୍ଡାଇରେ ପାଣି ଟାଙ୍କି ଉଦ୍ଘାଟନ କଲେ କେନ୍ଦ୍ରାପଡ଼ା ସାଂସଦ
- ଅଫିସରଙ୍କୁ ନିଶାନା କଲେ ବୈଜୟନ୍ତ
- “ଯେଉଁ ଅଫିସର ଦଳୀୟ ଟିକେଟ ବାଣ୍ଟୁଛନ୍ତି ସେମାନେ ଇସ୍ତଫା ଦିଅନ୍ତୁ”
- ମୁଁ କେନ୍ଦ୍ରାପଡ଼ାବାସୀଙ୍କ ହୃଦୟରେ ରହିଛି: ବୈଜୟନ୍ତ
କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଶନିବାର ପୁଣି ଅଫିସରଙ୍କୁ ନିଶାନା କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଅଣ୍ଡରା ଗ୍ରାମରେ ପାଣି ଟାଙ୍କି ଉଦ୍ଘାଟନ କରି ବୈଜୟନ୍ତ ଅଫିସରଙ୍କ ଉପରେ ବର୍ଷିଛନ୍ତି।
ବୈଜୟନ୍ତ କହିଛନ୍ତି, “କେନ୍ଦ୍ରାପଡ଼ାବାସୀ ମୋତେ ତାଙ୍କ ହୃଦୟରେ ସ୍ଥାନ ଦେଇଛନ୍ତି। କେହି ମୋତେ ତାଙ୍କ ହୃଦୟରୁ ବାହାର କରି ପାରିବେ ନାହିଁ। ଯେଉଁ ସରକାରୀ ଅଫିସରମାନେ କ୍ଷମତାର ଅପବ୍ୟବହାର କରି ଦଳୀୟ କାର୍ଯ୍ୟକ୍ରମରେ ମୁଣ୍ଡ ଖେଳାଉଛନ୍ତି ଏବଂ ଯେଉଁମାନେ ଦଳୀୟ ଟିକେଟ ବାଣ୍ଟୁଛନ୍ତି ସେମାନେ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ।”
କିଛିଦିନ ତଳେ ବୈଜୟନ୍ତ ଦଳ ବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ ବିଜେଡିରୁ ନିଲମ୍ବିତ ହୋଇଛନ୍ତି। କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀର କିଛି ନେତା ସାମ୍ବାଦିକ ସମ୍ମିଳନୀରେ ସାଂସଦ ପଦରୁ ଇସ୍ତଫା ଦାବି କରିଥିଲେ। ଏହାର ଜବାବରେ ବୈଜୟନ୍ତ ଏହି ମନ୍ତବ୍ୟ ଦେଇଛନ୍ତି।
“ଲୋକମାନେ ମୋତେ ନିର୍ବାଚିତ କରିଛନ୍ତି। ମୁଁ ସେମାନଙ୍କ ପାଇଁ କାମ କରୁଛି। କେନ୍ଦ୍ରାପଡ଼ାବାସୀଙ୍କ ସମର୍ଥନକୁ ମୁଁ ଭୁଲି ପାରିବି ନାହିଁ”, କହିଛନ୍ତି ବୈଜୟନ୍ତ।
ଓଡ଼ିଶାରେ ମହିଳା ଅସୁରକ୍ଷିତ ହୋଇଯାଇଥିବା କେନ୍ଦ୍ରାପଡ଼ା ସାଂସଦ କହିଛନ୍ତି। “ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଅଣ୍ଡା ମାରିଥିବା ମହିଳାଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି। ହେଲେ କିଛି ମାସ ତଳେ ମୋ ଉପରେ ହୋଇଥିବା ପଥର ମାଡ଼ ଘଟଣାର ୪ ମାସ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା।”
କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ବୈଜୟନ୍ତ ଆଜି ତାଙ୍କ ସାଂସଦ ପାଣ୍ଠିରୁ ନିର୍ମିତ ୧୩ତମ ଉଚ୍ଚ କ୍ଷମତା ସମ୍ପନ୍ନ ପାଣି ଟାଙ୍କି ଉଦଘାଟନ କରିଛନ୍ତି। ଏଥିପାଇଁ ୨୮ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ସାଂସଦ ପାଣ୍ଠିରୁ ଏଭଳି ୫୭ଟି ପାଣି ଟାଙ୍କି ନିର୍ମାଣ କରିବାର ପ୍ରସ୍ତାବ ରହିଛି।
କିଛିଦିନ ତଳେ ବୈଜୟନ୍ତ ନିଶ୍ଚିନ୍ତକୋଇଲିର ବୁହାଳୋ ପଞ୍ଚାୟତରେ ପାଣି ଟାଙ୍କି ଉଦଘାଟନ କରିଥିଲେ। ଏହାକୁ ସେତେବେଳେ ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି ପକ୍ଷରୁ ବିରୋଧ କରାଯାଇଥିଲା। ଏହି ଘଟଣାକୁ ନେଇ ରାଜନୀତି ତେଜିଥିଲା।
ବୈଜୟନ୍ତ ପାଣି ଟାଙ୍କି ଉଦଘାଟନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତୃତୀୟ ମହଲାକୁ ଟାର୍ଗେଟ୍ କରିଥିଲେ। ଅଫିସରମାନେ ଲକ୍ଷ୍ମଣରେଖା ଟପି ଦଳୀୟ କାର୍ଯ୍ୟକ୍ରମରେ ମୁଣ୍ଡ ଖେଳାଉଥିବା ସେ ଅଭିଯୋଗ କରିଥିଲେ।
ବୈଜୟନ୍ତଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେତେବେଳେ କୌଣସି ପ୍ରସଙ୍ଗ ନଥାଏ ସେତେବେଳେ ମୋ କାର୍ଯ୍ୟାଳୟକୁ ଟାର୍ଗେଟ କରାଯାଏ ବୋଲି ନବୀନ କହିଥିଲେ। ଏହାପରେ ପୁଣି ବୈଜୟନ୍ତ ମଧ୍ୟ ତାଙ୍କ ପ୍ରତିକ୍ରିୟା ଦେଇଥିଲେ
ଶେଷରେ ବୈଜୟନ୍ତଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଥିଲା। ନିଲମ୍ବନ ପରେ ବୈଜୟନ୍ତ ବିଜେଡି ଉପରେ ବର୍ଷି ଚାଲିଛନ୍ତି।














