ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରାର୍ଥୀ ଘୋଷଣା ପରେ ବିଜେପୁର ରାଜନୀତି ଜୋର୍ ଧରିଛି। ପ୍ରଚାର ମଇଦାନ କମ୍ପୁଛି। କଂଗ୍ରେସ-ବିଜେପି-ବିଜେଡି ଭିତରେ ତ୍ରିମୁଖି ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଭୋଟର ପ୍ରାର୍ଥୀଙ୍କ ଦମ୍ ପରଖୁଛନ୍ତି।
ବିଜେପୁରରେ ଜୋର୍ ଧରିଛି ରାଜନୀତି। ରାଜ୍ୟର ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରି ରାଜନୀତି ପାଣିପାଗକୁ ଉଷ୍ମ କରିଛନ୍ତି। ବିଜେଡି ସୁବଳ ସାହୁଙ୍କ ସ୍ତ୍ରୀ ରିତା ସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି।
ବିଳମ୍ବରେ ହେଲେ ବି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ପ୍ରଣୟ ସାହୁଙ୍କ ଟିକେଟରେ କଂଗ୍ରେସ ହାଇକମାଣ୍ଡ ମୋହର ମାରିବା ପରେ ବିଜେପୁରରେ ତ୍ରିମୁଖି ଲଢ଼େଇ ହେବା ସ୍ପଷ୍ଟ ହୋଇଯାଇଛି।
ଅଶୋକ ପାଣିଗ୍ରାହୀ ୨ ତାରିଖରେ ନାମାଙ୍କନ ଦାଖଲ କରିଥିବା ବେଳେ ରିତା ସାହୁ ସୋମବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ୬ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ଥିବାରୁ କଂଗ୍ରେସର ପ୍ରଣୟ ସାହୁ ପ୍ରାର୍ଥିପତ୍ର ଦାଖଲ କରିବେ।
ବିଜେପୁର ଦଖଲ ପାଇଁ ଏବେ ୩ ଦଳ ଅଣ୍ଟା ଭିଡ଼ିଛନ୍ତି। ପ୍ରଚାର ମଇଦାନ ବି ସରଗରମ୍ ହୋଇଯାଇଛି। ବିଭିନ୍ନ ଦଳର ହେଭେିୱେଟ୍ମାନେ ବିଜେପୁରରେ ଡେରା ପକାଇ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି। ଏସବୁ ଭିତରେ ବିଜେପୁର ଭୋଟର କାହାର କେତେ ଦମ୍ ପରଖୁଛନ୍ତି।
ରିତା ସାହୁ : ରାଜନୀତିରେ ଅନଭିଜ୍ଞ ରିତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଛି। ବିଜେପୁରରେ ରିତାଙ୍କର କୌଣସି ସଙ୍ଗଠନ ନଥିଲେ ମଧ୍ୟ ସ୍ୱାମୀ ସୁବଳ ସାହୁଙ୍କର ଭଲ ପତିଆରା ରହିଥିଲା ବିଜେପୁରରେ। ଏଣୁ ସୁବଳ ସାହୁଙ୍କ ସଙ୍ଗଠନ ଏବଂ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଆଧାର କରି ରିତା ଭୋଟରଙ୍କ ନିକଟତର ହେଉଛନ୍ତି।
ସୁବଳ ସାହୁ ଲଗାତାର ୩ ଥର ବିଜେପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କଂଗ୍ରେସ ଟିକେଟ ପାଇଥିଲେ ମଧ୍ୟ ତାଙ୍କର ସଙ୍ଗଠନ ଏଠାରେ ମଜଭୁତ ରହିଥିଲା। ବିଜେଡିର ହାୱା ଥିଲେ ମଧ୍ୟ ସୁବଳ ସାହୁ ଏହାକୁ ପ୍ରତିହତ କରି ବିଧାନସଭାକୁ ଆସିଥିଲେ।
ରିତା ସାହୁ କହିଛନ୍ତି, “ବିଜେପୁରରେ ମୋ ସ୍ୱାମୀଙ୍କର ସଙ୍ଗଠନ ଥିଲା। ଲୋକେ ପାର୍ଟି ନୁହେଁ ସୁବଳ ସାହୁଙ୍କ ନେତୃତ୍ବକୁ ଦେଖି ଭୋଟ ଦେଇଥିଲେ। ଏଣୁ ବିଜେପୁରବାସୀ ମୋ ଉପରେ ଭରସା କରିବେ ବୋଲି ଆଶା ରହିଛି।”
ସୁବଳ ସାହୁ ରାଜନୀତିରେ ଥିବା ବେଳେ ରିତାଙ୍କୁ କେବେ ବି ମଇଦାନରେ ଦେଖିବାକୁ ମିଳିନି। ହେଲେ ସୁବଳଙ୍କ ଦେହାନ୍ତ ପରେ ରିତା ଏବଂ ତାଙ୍କ ପୁଅ ସୁମିତ ସାହୁଙ୍କୁ ବିଜେଡି ଆପଣାଇ ନେଇଛି। ଅନୁକମ୍ପା ଭୋଟ୍ ହାତେଇବା ପାଇଁ ବିଜେଡି ଲକ୍ଷ୍ୟ ରଖିଛି।
ଅଶୋକ ପାଣିଗ୍ରାହୀ: ୧୯୫୭ରେ ଜନ୍ମ ଗ୍ରହଣ କରିଥିବା ଅଶୋକ ପାଣିଗ୍ରାହୀ ବିଜେପୁର ଉପ-ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ବରଗଡ଼ ଜିଲ୍ଲାରେ ସେ ଜଣେ ପୋଖତ ରାଜନେତା ଭାବରେ ଜଣାଶୁଣା। ଏଲ୍ଏଲ୍ବି ପାଠ ପଢ଼ା ଶେଷ କରିବା ପରେ ଅଶୋକ ଓକିଲାତି କରିଥିଲେ। ଓକିଲାତିରୁ ସେ ରାଜନୀତିରେ ପ୍ରବେଶ କରିଥିଲେ।
ଅଣ କଂଗ୍ରେସ ରାଜନୀତିରୁ କ୍ୟାରିଅର ଆରମ୍ଭ କରିଥିବା ଅଶୋକ ୨୦୦୦ ମସିହାରେ ବିଜେଡି ଟିକେଟ ପାଇଥିଲେ। ବିପୁଳ ଭୋଟରେ ବିଜୟୀ ହୋଇ ବିଧାନସଭା ଯାଇଥିଲେ। ୨୦୦୪ରେ ପୁଣି ଅଶୋକଙ୍କୁ ବିଜେଡି ବିଜେପୁରରେ ପ୍ରାର୍ଥୀ କରିଥିଲା।
ହେଲେ ଅଶୋକ କଂଗ୍ରେସର ସୁବଳ ସାହୁଙ୍କଠାରୁ ପରାଜିତ ହୋଇଥିଲେ। ଫଳରେ ୨୦୦୯ ନିର୍ବାଚନରେ ଅଶୋକଙ୍କୁ ଟିକେଟ ଦେଇ ନଥିଲା ବିଜେଡି। ୨୦୧୪ରେ ଅଶୋକ ପୁଣି ଟିକେଟ ନେବା ଲାଗି ଆଶା କରିଥିଲେ। ହେଲେ ବିଜେଡି ଅଶୋକଙ୍କ ବଦଳରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକେଟ ଦେଇଥିଲା।
ଅଶୋକ ସ୍ୱାଧୀନ ପ୍ରାର୍ଥୀ ଭାବେ ୨୦୧୪ ନିର୍ବାଚନ ଲଢ଼ିଥିଲେ। ୧୮ ହଜାର ଭୋଟ ପାଇଥିଲେ। ଫଳରେ ଏଠାରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା।
ଅଶୋକ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାରୁ ବିଜେଡି ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା। ଏହାପରେ ବି ଅଶୋକ ଉପ-ନସିର୍ବାଚନରେ ଟିକେଟ୍ ନେବାକୁ ଆଶା କରିଥିଲେ। ହେଲେ ବିଜେଡି ସୁବଳ ସାହୁଙ୍କ ସ୍ତ୍ରୀ ରିତା ସାହୁଙ୍କୁ ଦଳରେ ମିଶାଇବାରୁ ଅଶୋକ ଏହାର ବିରୋଧ କରି ବିଜୁ ପରିବାର ସହ ସମ୍ପର୍କ ଛିନ୍ନ କରିଥିଲେ। ଶେଷରେ ସେ ପଦ୍ମ ଧରିଥିଲେ।
ଅଶୋକ ପ୍ରାର୍ଥିପତ୍ର ଦାଖଲ କରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଗାଇସିଲାଟ ବ୍ଳକରୁ ସେ ପ୍ରଚାର ଆରମ୍ଭ କରିଛନ୍ତି। ସମର୍ଥକଙ୍କ ଗହଣରେ ଘର ଘର ବୁଲି ଭୋଟ ମାଗିଛନ୍ତି। ତାଙ୍କ ସିନେ ଷ୍ଟାର ଶ୍ରୀତମ ଦାସ ଏବଂ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ମଧ୍ୟ ପ୍ରଚାରକୁ ଓହ୍ଲାଇଛନ୍ତି।
ଅଶୋକ ପାଣିଗ୍ରାହୀ କହିଛନ୍ତି, “ବିଜେଡି ଶାସନ ପ୍ରତି ଲୋକେ ଅତିଷ୍ଠ ହୋଇଗଲେଣି। ବିଜେପି ଏଠାରେ ନିଶ୍ଚିନ୍ତ ଜିତିବ। ଏଠାରେ ଅନୁକମ୍ପା ଭୋଟ କାମ ଦେବ ନାହିଁ।”
କେନ୍ଦ୍ର ସରକାରଙ୍କ ଲୋକପ୍ରିୟ ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିଫଳତାକୁ ଅସ୍ତ୍ର କରୁଛି ବିଜେପି। ଏହାସହ ଚାଷୀ ଆତ୍ମହତ୍ୟାକୁ ପ୍ରସଙ୍ଗ କରି ଭୋଟରଙ୍କ ନିକଟତର ହେଉଛି ବିଜେପି।
ପ୍ରଣୟ ସାହୁ: ଯୁକ୍ତ ୨ ଯାଏଁ ପାଠ ପଢ଼ିଥିବା ପ୍ରଣୟ ସାହୁ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇ ନାହାନ୍ତି। ହେଲେ ତୃଣମୂଳ ସ୍ତରରେ ତାଙ୍କର ଭଲ ସଙ୍ଗଠନ ରହିଛି। ପ୍ରଣୟଙ୍କୁ ତୃଣମୂଳ ସ୍ତରର ନେତା କୁହାଯାଉଛି। ତାଙ୍କୁ ବିଜେପୁର ଲଢ଼େଇରେ କଂଗ୍ରେସ ପ୍ରାର୍ଥୀ କରିଛି।
୨୫ ବର୍ଷ ହେଲା ସେ କଂଗ୍ରେସରେ ରହି ଆସିଛନ୍ତି। ୧୯୯୭ରୁ ସେ ପଞ୍ଚାୟତ ପ୍ରତିନିଧି ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ତାଙ୍କର ଭଲ ଲୋକ ସମ୍ପର୍କ ରହିଥିବାରୁ ସେ କେତେବେଳେ ସରପଞ୍ଚ ତ କେତେବେଳେ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।
୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ ଗାଇସିଲଟ ବ୍ଲକର ଅଧ୍ୟକ୍ଷ ରହିଥିବା ବେଳେ ଏବେ ସେ ଉପାଧ୍ୟକ୍ଷ ରହିଛନ୍ତି।
ପ୍ରଣୟଙ୍କୁ ସୁବଳ ସାହୁଙ୍କ ଘନିଷ୍ଠ ବୋଲି କୁହାଯାଉଛି। ପ୍ରଣୟ ଏବଂ ସୁବଳ ମିଳିତ ଭାବେ କ୍ୟାମ୍ପେନ କରୁଥିଲେ।
ପ୍ରଣୟ ସାହୁ କହିଛନ୍ତି, “ମୁଁ ଚାଷୀ ପରିବାରରୁ ଆସିଛି। ଏଣୁ ଚାଷ ଏବଂ ଚାଷୀଙ୍କୁ ପ୍ରାଥମିକତା ଦେବି। କଂଗ୍ରେସ ମୋତେ ପ୍ରାର୍ଥୀ କରିଛି। ବିଜେପୁର କଂଗ୍ରେସର ଗଡ଼ ହୋଇଥିବାରୁ ଏଠାରେ ଆମେ ନିଶ୍ଚିନ୍ତ ଜିତିବୁ।”
ତେବେ ପ୍ରଣୟଙ୍କ ପାଇଁ ରିପୁନାଥ ସେଠ୍ ଚିନ୍ତା ବଢ଼ାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। କାରଣ ରିପୁନାଥ କଂଗ୍ରେସର ପ୍ରାର୍ଥୀ ହୁଅନ୍ତୁ ବୋଲି ଗୋଟିଏ ଗୋଷ୍ଠୀ ଦାବି କରୁଥିଲେ। ହେଲେ ହାଇକମାଣ୍ଡ ପ୍ରଣୟଙ୍କ ଉପରେ ମୋହର ମାରିଲେ।








ପ୍ରାର୍ଥୀ ଘୋଷଣା ପରେ ବିଜେପୁର ରାଜନୀତି ଜୋର୍ ଧରିଛି। ପ୍ରଚାର ମଇଦାନ କମ୍ପୁଛି। କଂଗ୍ରେସ-ବିଜେପି-ବିଜେଡି ଭିତରେ ତ୍ରିମୁଖି ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଭୋଟର ପ୍ରାର୍ଥୀଙ୍କ ଦମ୍ ପରଖୁଛନ୍ତି।





