ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ସ୍ଥାପନା ପ୍ରସ୍ତାବକୁ ବିରୋଧ ହେବା ପରେ ସରକାର ୬ ଜଣିଆ କମିଟି ଗଠନ କରିଛନ୍ତି।
ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍ ସ୍ଥାପନା ପ୍ରସ୍ତାବକୁ ବିରୋଧ କରି ଘଟିଥିଲା ତୁମୁଳକାଣ୍ଡ। ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଜମିର ଅଭାବ ଥିବା କହିବା ସହ ଛାତ୍ର ସଂଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା।
ସମାଧାନର ବାଟ ବାହାର କରିବା ପାଇଁ ମଙ୍ଗଳବାର ଦିନ ବାଣୀବିହାର କୁଳପତି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କୁ ଭେଟି ଆଲୋଚନା କରିଥିଲେ। ଆଲୋଚନା ପରେ ସରକାର ୬ ଜଣିଆ କମିଟି ଗଠନ କରିଛନ୍ତି।
ଏହି କମିଟିରେ ରମାଦେବୀ ବିଶ୍ୱ ବିଦ୍ୟାଳୟର କୁଳପତି, ଉତ୍କଳ ବିଶ୍ୱ ବିଦ୍ୟାଳୟ କୁଳପତି, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ, ଅତିରିକ୍ତ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ପ୍ରମୁଖ ରହିଛନ୍ତି।
“ଏହି କମିଟି ଅନୁଧ୍ୟାନ କରି ରିପୋର୍ଟ ଦେବେ। ରିପୋର୍ଟ ଆଧାରରେ ଏହି କ୍ୟାମ୍ପସ୍ ହେବା ନହେବା ନେଇ ନିଷ୍ପତ୍ତି ନିଆଯିବ। ଆସନ୍ତା ମାର୍ଚ୍ଚ ୧୫ ତାରିଖ ମଧ୍ୟରେ କମିଟି ରିପୋର୍ଟ ଦେବ”, କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ।
ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ କହିଥିଲେ ଯେ ବାଣୀବିହାର ମଧ୍ୟରେ ଜମିର ଅଭାବ ରହିଛି। ରମାଦେବୀର ଦ୍ୱିତୀୟ କ୍ୟାମ୍ପସ୍ କରିବା ସମ୍ଭବ ହେବନାହିଁ। ଭବିଷ୍ୟତରେ ବିଶ୍ୱବିଦ୍ୟାଳୟର ଅନେକ ପ୍ରକଳ୍ପ ନିର୍ମାଣ ହେବାର ଅଛି।








ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ସ୍ଥାପନା ପ୍ରସ୍ତାବକୁ ବିରୋଧ ହେବା ପରେ ସରକାର ୬ ଜଣିଆ କମିଟି ଗଠନ କରିଛନ୍ତି।









