ଓଡ଼ିଶାଲାଇଭ୍ ବ୍ୟୁରୋ

କୁନ୍ଦୁଲି ମାମଲାର ତଦନ୍ତ ଏସଆଇଟି (ସ୍ପେସାଲ ଇନଭେଷ୍ଟିଗେସନ୍ ଟିମ)କୁ ସ୍ଥାନାନ୍ତର କରାଯାଇଛି। ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ନିରପେକ୍ଷ ତଦନ୍ତ କରିବାକୁ ଏସଆଇଟି ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କୋର୍ଟଙ୍କ ପତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ତଦନ୍ତ ହେବ। ସ୍ୱତନ୍ତ୍ର ତଦନ୍ତକାରୀ ଦଳକୁ ସମସ୍ତ ତଥ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ନାବାଳିକାଙ୍କ ମୃତ୍ୟୁ ପରେ ଘଟଣାର ଗୁରୁତ୍ତ୍ଵ ଓ ରାଜ୍ୟର ସମସ୍ତ ମହିଳାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଘଟଣାର ସବିଶେଷ ଯାଞ୍ଚ୍ କରି ରିପୋର୍ଟ ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି।

ପିଡିତାଙ୍କୁ କିଭଳି ପ୍ରକୃତ ନ୍ୟାୟ ମିଳିବ । ସେଥିପାଇଁ ଏହି ନିଷ୍ପତି ନିଆଯାଇଛି। ପୂର୍ବରୁ ଏହି ମାମଲାରେ ଜୁଡିସିଆଲ୍ ଓ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ।

କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣା ନେଇ ପୂର୍ବରୁ ବିଚାର ବିଭାଗୀୟ ତଦନ୍ତ ଦିଆ ସରିଥିଲେ ମଧ୍ୟ ଏହାକୁ ନେଇ ରାଜନୀତି ଯୋର ଧରିଛି। ଖାସ୍ ଭାବେ ବିଜେପି ଦଳ ମାମଲାକୁ ନେଇ ରାଜନୀତି କରିବାକୁ ପଛାଇ ନାହିଁ।

ନିକଟରେ ବିଜେପିର ରାଷ୍ଟ୍ରିୟ ମହିଳା ମୋର୍ଚ୍ଚା ପିଡିତାଙ୍କ ପରିବାରକୁ ଭେଟିଥିଲେ।

ଏପଟେ ଯୁବ କଂଗ୍ରେସ୍ ପକ୍ଷରୁ ଆସନ୍ତକାଲି ନବୀନ ନିବାସ ଘେରାଉ କରାଯିବ ବୋଲି ଘୋଷଣା କରାଯାଇଛି। ପୂର୍ବତନ ସାଂସଦ ପ୍ରଦୀପ ମାଝି କହିଛନ୍ତି ”କୁନ୍ଦୁଲି ଘଟଣାରେ ରାଜ୍ୟ ସରକାର ଦିଗହରା ହୋଇପଡ଼ିଛନ୍ତି। ନିଜସ୍ଵ ତଦନ୍ତ ସଂସ୍ଥା ଉପରେ ଭରସା ନାହିଁ। ବିଚାର ବିଭାଗୀୟ ତଦନ୍ତ ଉପରେ ମଧ୍ୟ ଭରସା ପାଇଲାନି। ଏସଆଇଟି ତଦନ୍ତରୁ ଯେ ନ୍ୟାୟ ମିଳିବ ଏକଥା ବିଶ୍ଵାସ ପାଉନି।“

Comment