ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରତ୍ନ କମ୍ପାନି ନାଲ୍‌କୋ ପକ୍ଷରୁ ଡିସେମ୍ବର ୨୦୧୭ରେ ଶେଷ ହୋଇଥିବା ତ୍ରୈମାସିକ ରିପୋର୍ଟ ପ୍ରକାଶ ପାଇଛି। ଭୁବନେଶ୍ୱରଠାରେ ଆୟୋଜିତ କମ୍ପାନିର ବୋର୍ଡ୍‍ ବୈଠକରେ ଉପସ୍ଥାପିତ ଆର୍ଥିକ ଫଳାଫଳ ଅନୁସାରେ କମ୍ପାନି ୨୦୧୭-୧୮ ଆର୍ଥିକ ବର୍ଷର ତୃତୀୟ ତିନି ମାସରେ ୭୨୨ କୋଟି ଟଙ୍କା ନିଟ୍‍ ଲାଭ କରିଛି।

, ଚଳିତ ବର୍ଷର ପୂର୍ବ ତ୍ରୈମାସିକୀରେ ନାଲ୍‌କୋ ୨୩୫ କୋଟି ଟଙ୍କା ଏବଂ ଗତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକୀରେ ୧୪୪ କୋଟି ଟଙ୍କା ନିଟ୍‍ ଲାଭ କରିଥିଲା। ତୃତୀୟ ତ୍ରୈମାସିକୀରେ ନାଲ୍କୋ ନିଟ୍ ବିକ୍ରିଲବ୍ଧ ଆୟ ୨୩୬୦ କୋଟି ଟଙ୍କା ହୋଇଛି । ଏହି ଉଲ୍ଲେଖନୀୟ ଫଳାଫଳ ସହ ନାଲ୍‌କୋ ବିଗତ ୧୦ ବର୍ଷରେ ସର୍ବାଧିକ ନିଟ୍ ଲାଭ ହାସଲ କରିପାରିଛି।

ଏହି ୯ ମାସ ମଧ୍ୟରେ କମ୍ପାନିର ନିଟ୍‍ ଲାଭ ଏବଂ ନିଟ୍ ବିକ୍ରିଲବ୍ଧ ଆୟ ୧୦୮୫ କୋଟି ଟଙ୍କା ଏବଂ ୬୫୩୮ କୋଟି ଟଙ୍କା ହୋଇଛି। ଗତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ନାଲ୍କୋର ନିଟ୍‍ ଲାଭ ୪୦୦ କୋଟି ଟଙ୍କା ଏବଂ ନିଟ୍ ବିକ୍ରିଲବ୍ଧ ଆୟ ୫୦୭୧ କୋଟି ଟଙ୍କା ଥିଲା।

ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ନାଲ୍‌କୋ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଏହି ଅବଧିରେ କମ୍ପାନି ୫୪.୪୦ଲକ୍ଷ ଟନ୍‍ ବକ୍ସାଇଟ୍‍ ଉତ୍ପାଦନ କରିଛି। ଗତ ଆର୍ଥିକ ବର୍ଷର ଏହି ଅବଧିରେ ୫୩.୨୩ ଲକ୍ଷ ଟନ୍ ବକ୍ସାଇଟ୍ ଉତ୍ପାଦନ ହୋଇଥିଲା। ଏହି ଅବଧିରେ କମ୍ପାନି ୧୫.୫୧ ଲକ୍ଷ ଟନ୍‍ ଆଲୁମିନା ହାଇଡ୍ରେଟ୍‍ ଉତ୍ପାଦନ କରିଛି। ଗତ ଅର୍ଥିକ ବର୍ଷର ଏହି ଅବଧିରେ ଏହାର ପରିମାଣ ୧୫.୨୭ ଲକ୍ଷ ଟନ୍ ଥିଲା।

ଚଳିତ ବର୍ଷର ପ୍ରଥମ ୯ ମାସରେ ୩.୧୭ ଲକ୍ଷ ଟନ୍‍ ଆଲୁମିନିୟମ୍‍ ଉତ୍ପାଦିତ ହୋଇଥିବା ବେଳେ ଗତ ବର୍ଷର ଏହି ଅବଧିରେ ଆଲୁମିନିୟମ୍ ଉତ୍ପାଦନ ପରିମାଣ ୨.୮୬ ଲକ୍ଷ ଟନ୍ ଥିଲା। ଏ କ୍ଷେତ୍ରରେ ୧୦.୬ ପ୍ରତିଶତ ବୃଦ୍ଧି ଘଟିଛି । ଗତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ନାଲ୍କୋର ବିଦ୍ୟୁତ ଶକ୍ତି ଉତ୍ପାଦନ ପରିମାଣ ୪୪୯୪ ନିୟୁତ ୟୁନିଟ୍‍ ଥିବା ବେଳେ ଚଳିତ ଆର୍ଥିକ ବର୍ଷର ଏହି ଅବଧିରେ ଉତ୍ପାଦିତ ବିଦ୍ୟୁତ ଶକ୍ତିର ପରିମାଣ ୯ ପ୍ରତିଶତ ବୃଦ୍ଧି ପାଇ ୪୮୯୭ ନିୟୁତ ୟୁନିଟକୁ ବୃଦ୍ଧି ହୋଇଛି । ଏତଦ୍‍ବ୍ୟତୀତ, କମ୍ପାନି ୨୧୧ ନିୟୁତ ୟୁନିଟ୍‍ ପବନ ଚାଳିତ ବିଦ୍ୟୁତଶକ୍ତି ମଧ୍ୟ ଉତ୍ପାଦନ କରିଛି।

କାର୍ଯ୍ୟ କ୍ଷେତ୍ରରେ ଦକ୍ଷତା, ବ୍ୟୟ ହ୍ରାସ, ପଦ୍ଧତିଗତ ପରିଚାଳନା ନିଷ୍ପତ୍ତି ଏବଂ ନାଲ୍କୋରେ ଐକ୍ୟବଦ୍ଧ କାର୍ଯ୍ୟ ସଂସ୍କୃତି ବଳରେ ନାଲ୍କୋ ଏହି ଅଭୂତପୂର୍ବ ସଫଳତା ହାସଲ କରିଛି।

ନାଲ୍କୋ ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି, “ସରକାରଙ୍କ ଦୃଢ ଆର୍ଥିକ ନୀତି ଏବଂ ଯୋଗାଣ-ଚାହିଦା କ୍ଷେତ୍ରରେ ସଂସ୍କାର ସହ ନିର୍ମାଣ ଓ ଶକ୍ତି କ୍ଷେତ୍ରରେ ଅଭିବୃଦ୍ଧି ଏବଂ ଅଟୋମୋବାଇଲ୍ ଶିଳ୍ପରେ ବିକାଶ ହେତୁ ଆମେ ଆମର ଲକ୍ଷ୍ୟ ଠାରୁ ଅଧିକ ସଫଳତା ହାସଲ କରିପାରିବୁ ବୋଲି ଆଶା କରୁଛୁ।”

କମ୍ପାନି ନିକଟରେ କର୍ପୋରେଟ୍ ପ୍ଲାନ୍-୨୦୩୨ ପ୍ରଣୀତ କରିଛି। ଏହି ଯୋଜନା ଅନୁସାରେ ୨୦୨୪ ସୁଦ୍ଧା ନାଲ୍କୋ ୧୮୧୭୧ କୋଟି ଟଙ୍କା ଏବଂ ୨୦୩୨ ମସିହା ସୁଦ୍ଧା ୩୧,୨୪୮ କୋଟି ଟଙ୍କା ଟର୍ଣ୍ଣ୍ଓଭର୍ ପାଇଁ ଲକ୍ଷ୍ୟ ରଖିଛି।

ଅନଗୁଳ ସ୍ଥିତ ସ୍ମେଲ୍ଟର କ୍ଷମତାରେ ବାର୍ଷିକ ୦.୫ ନିୟୁତ ଟନ୍ ବୃଦ୍ଧି, ଆଲୁମିନା ରିଫାଇନେରୀରେ ବାର୍ଷିକ ୧ ନିୟୁତ ଟନ୍ କ୍ଷମତା ସଂପ୍ରସାରଣ, ଉତ୍କଳ ଡି ଓ ଇ କୋଇଲା ବ୍ଲକ୍ର ବିକାଶ, ପଟ୍ଟାଙ୍ଗୀ ବକ୍ସାଇଟ୍ ଖଣିର ବିକାଶ, ଅନୁଗୁଳ ଆଲୁମିନିୟମ୍ ପାର୍କ୍ ସ୍ଥାପନ, ଜିଏସିଏଲ୍ ସହ ଯୌଥ ଉଦ୍ୟମରେ ବାର୍ଷିକ ୨.୭ ଲକ୍ଷ ଟନ୍ କ୍ଷମତାର କଷ୍ଟିକ୍ ସୋଡା ପ୍ରକଳ୍ପ, ଏନ୍ଆଇଏନ୍ଏଲ୍ ସହ ମିଳିତ ଭାବେ କୋଲ୍ ଟାର୍ ଡିଷ୍ଟିଲେସନ୍ ପ୍ରକଳ୍ପ କରାଯାଉଛି।

ଓଡ଼ିଶାରେ ୧୩୨୦ ମେଗାୱାଟ୍ କ୍ଷମତାବିଶିଷ୍ଟ ନୂତନ ତାପ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର, ନାଲ୍କୋ ଏଚସିଏଲ୍ ଓ ଏମସିଏଲ ଯୌଥ ଉଦ୍ୟମ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍ (କାବିଲ୍) ମାଧ୍ୟମରେ ବିଦେଶରେ ଷ୍ଟ୍ରାଟେଜିକ୍ ଖଣିଜ ପଦାର୍ଥର ଅଧିଗ୍ରହଣ ଓ ପ୍ରକ୍ରିୟାକରଣ ଏବଂ ମିଧାନୀ ସହ ମିଳିତ ଭାବେ ଉଚ୍ଚମାନର ଆଲୁମିନିୟମ୍ ଆଲୟ ପ୍ରକଳ୍ପ ଆଦି ପ୍ରତିଷ୍ଠା ପାଇଁ ନାଲ୍କୋ ପକ୍ଷରୁ ବିହୁ ପଦକ୍ଷେପ ଗ୍ରହଣ କରାଯାଉଛି।

Comment