ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଫଶିଗଲା କଲେଜ ବସ୍‌
  • କୌଣସି ଅଘଟଣ ଘଟିନି
  • ପ୍ରାୟ ୨ ଘଣ୍ଟା ଧରି ଟ୍ରାଫିକ ଜାମ୍
  • ସ୍ୱେରେଜ ଲାଇନ୍ ଫାଟିଯିବା ଯୋଗୁଁ ଧସିଲା ରାସ୍ତା

ରାଜଧାନୀ ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ପାୱାର ହାଉସ୍ ଛକରେ ହଠାତ୍ ଦବି ଗଲା ରାସ୍ତା। ମଝି ରାସ୍ତାରେ ପ୍ରାୟ ୫ ଫୁଟର ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଶହ ଶହ ଗାଡ଼ି ରାସ୍ତା ମଝିରେ ଅଟକି ରହିବାରୁ ଟ୍ରାଫିକ ସମସ୍ୟା ଉପୁଜିଛି। ହେଲେ କୌଣସି ଅଘଟଣ ବା କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦିନ ୧୧ଟା ବେଳେ ଏହି ରାସ୍ତାରେ ଏକ କଲେଜ ବସ୍ ଅଟକି ରହିଥିଲା। ବସ୍‌ଟି ଅଟକି ରହିଥିବା ବେଳେ ରାସ୍ତା ଦବିଥିବା ପ୍ରତ୍ୟକ୍ଷଦର୍ଶିମାନେ କହିଛନ୍ତି। ପରେ ଅନ୍ୟ ଗାଡ଼ି ଚଳାଚଳ କରିବାରୁ ମାଟି ଧସି ଗର୍ତ୍ତଟି ବଡ଼ ହୋଇଥିଲା।

ପାଖାପାଖି ୫ ଫୁଟର ଗର୍ତ୍ତ ସୃଷ୍ଟି ହୋଇଥିଲା। ହଠାତ୍ ରାସ୍ତା ଦବି ଯିବାରୁ ସ୍ଥାନୀୟ ଲୋକ ଭୟଭୀତ ହୋଇଯାଇଛନ୍ତି। ଖବରପାଇ ବିଏମ୍‌ସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି କରୁଛନ୍ତି।

ମାଟି ତଳେ ବିଦ୍ୟୁତ୍ ପାଇପ୍ ବିଛା ଯାଉଥିବା ବେଳେ ସ୍ବେରେଜ ପାଇପ୍‌ ଫାଟି ଯିବା ଯୋଗୁଁ ଏଭଳି ଅଘଟଣ ଘଟିଛି। ସ୍ବେରେଜ ଲାଇନ୍ ଫାଟିଯିବା ଫଳରେ ପାଣି ଲିକ୍‌ ହେବାରୁ ରାସ୍ତା ତଳୁ ମାଟି ଧସି ଯାଇଥିଲା। ରାସ୍ତା କାମ ନିମ୍ନମାନର ହେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

Comment