ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟ୍‌ ଦୁନିଆରେ ଏବେ ବେଶ୍‌ ପରିଚିତ ନାମ ହେଉଛନ୍ତି ବିରାଟ କୋହଲି। ପଡ଼ିଆରେ ରନ୍‌ ବର୍ଷା କରିବା କ୍ଷେତ୍ରରେ ହେଉ ଅବା ବ୍ୟକ୍ତିଗତ ଜୀବନୀକୁ ନେଇ ହେଉ, ବିରାଟ ଧିରେ ଧିରେ ବହୁ ‘ବିରାଟ’ କିମ୍ବଦନ୍ତୀ କ୍ରିକେଟର୍‌ଙ୍କୁ ପଛରେ ପକାଇଚାଲିଛନ୍ତି।

ଦିନିକିଆ କ୍ରିକେଟ୍‌ରେ ଆଉ ଏକ ମାଇଲ୍‌ଖୁଣ୍ଟ ଅତିକ୍ରମ କରିଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି।

ଦିନିକିଆ କ୍ରିକେଟ୍‌ରେ ଭାରତୀୟ ବ୍ୟାଟସମ୍ୟାନ୍‌ ଭାବେ ରନ୍‌ ସଂଗ୍ରହ କରିବା କ୍ଷେତ୍ରରେ ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ପଛରେ ପକାଇଛନ୍ତି ବିରାଟ କୋହଲି। ଭାରତ-ଦକ୍ଷିଣ ଆଫ୍ରିକା ୪ର୍ଥ ଦିନିକିଆରେ କୋହଲି ୭୫ ରନ୍‌ କରିଥିଲେ।

ଏହି କ୍ରମରେ ଭାରତୀୟ ବ୍ୟାଟସମ୍ୟାନ୍‌ ଭାବେ ଦିନିକିଆରେ ରନ୍‌ ସଂଗ୍ରହ କ୍ଷେତ୍ରରେ ଆଝାରଙ୍କୁ ପଛରେ ପକାଇ କୋହଲି ୫ମ ସ୍ଥାନକୁ ଉଠିଛନ୍ତି।

ଆଝାର ଦିନିକିଆରେ ୯୩୭୮ ରନ୍‌ କରିଥିବା ବେଳେ କୋହଲି ୨୦୬ଟି ଦିନିକିଆରୁ ୯୪୨୩ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ୱେଷ୍ଟଇଣ୍ଡିଜର କ୍ରିସ୍‌ ଗେଲ୍‌ ୨୭୫ଟି ମ୍ୟାଚ୍‌ରୁ ୯୪୨୦ ରନ୍‌ କରିଥିବା ବେଳେ କୋହଲି ତାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।

ଅନ୍ତର୍ଜାତୀୟ ସ୍ତରରେ ଦିନିକିଆ ମ୍ୟାଚ୍‌ରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ତାଲିକାର ୧୬ତମ ସ୍ଥାନରେ ଅଛନ୍ତି କୋହଲି। ଏହି ତାଲିକାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୧ନଂରେ ରହିଛନ୍ତି। ସେ ୪୬୩ଟି ଦିନିକିଆରୁ ୧୮୪୨୬ ରନ୍‌ କରିଛନ୍ତି। ଶ୍ରୀଲଙ୍କାର କୁମାର ସାଙ୍ଗାକାରା ୧୪୨୪୩ ରନ୍‌ ସହ ୨ୟ ଓ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୧୩୭୦୪ ରନ୍‌ ସହ ୩ୟ ସ୍ଥାନରେ ରହିଛନ୍ତି।

ଭାରତୀୟ ବ୍ୟାଟସମ୍ୟାନ୍‌ ଭାବେ ଦିନିକିଆରେ ସର୍ବାଧିକ ରନ୍‌ ସ୍କୋରର୍‌ ତାଲିକାରେ ସୌରଭ ଗାଙ୍ଗୁଲି ୧୧୩୬୩ ରନ୍‌ ସହ ୨ୟ, ରାହୁଲ ଦ୍ରାବିଡ଼୍‌ ୧୦୮୮୯ ରନ୍‌ ସହ ୩ୟ ଓ ମହେନ୍ଦ୍ର ସିଂହ ଧୋନି ୯୯୫୪ ରନ୍‌ ସହ ୪ର୍ଥ ସ୍ଥାନରେ ରହିଛନ୍ତି।

ପ୍ରତି ମ୍ୟାଚ୍‌ରେ ବିରାଟଙ୍କ ସଫଳତା ଦେଖି ଆଗାମୀ ଦିନରେ ବହୁ କିମ୍ବଦନ୍ତୀଙ୍କ ରେକର୍ଡ ଭାଙ୍ଗିବେ ବୋଲି କ୍ରିକେଟ୍‌ ବିଶେଷଜ୍ଞ ମତ ଦେଇଛନ୍ତି।

Comment